Unknown

 

 

 

 

 

 

 

 

 

 

 

ଶୋଭନା

କେଶବ ଚନ୍ଦ୍ର ମିଶ୍ର

 

ଉତ୍ସର୍ଗପତ୍ର

 

ବିଦ୍ୟାନୁରାଗୀ ଢେଙ୍କାନାଳର ପଟ୍ଟାୟତ ସାହେବ

ଶ୍ରୀ ଶ୍ରୀ ନରସିଂହପ୍ରତାପ ସିଂହଦେଓ

ଶ୍ରୀକରକମଳେଷୁ ।

 

ଶ୍ରୀମନ୍ମହୋଦୟ,

 

ଆପଣ ରାଜକୁମାର, ନାନା ବିଳାସ ବିଷୟରେ ସମ୍ମୁଖୀନ ଥାଇ ମଧ୍ୟ ନିଜ ଅଧ୍ୟବସାୟଦ୍ୱାରା ବି.ଏ ପାସ୍‍ କଲେ । ତଥାପି ଜ୍ଞାନଲିପ୍‍ସା ତୃପ୍ତ ନ ହେବାରୁ ସାତ ସମୁଦ୍ର ପାର ହୋଇ ଉଚ୍ଚତର ଜ୍ଞାନାର୍ଜନ ପାଇଁ ଶ୍ୱେତଦ୍ୱୀପକୁ ଯାତ୍ରା କରି ଉତ୍କଳ ରାଜବଂଶମାନଙ୍କରେ ଜଣେ ଆଦର୍ଶ ପୁରୁଷ ହୋଇଅଛନ୍ତି ।

 

ଆପଣଙ୍କର ଏ ବିଦ୍ୟାନୁରାଗ ଦର୍ଶନରେ ଆକୃଷ୍ଟ ହୋଇ ମୁଁ ମୋର ହୃଦୟର ଭକ୍ତିସହକାରେ ଏ ନାଟକ ଖଣ୍ଡି ଆପଣଙ୍କ ଶ୍ରୀ କରକମଳରେ ଅର୍ପଣ କଲି । ସାଦରେ ଗ୍ରହଣ କଲେ ନିଜକୁ ଚରିତାର୍ଥ ମନେ କରିବି ।

 

ଆପଣଙ୍କର

ଏକାନ୍ତ ଅନୁଗତ ଓ ଅନୁଗ୍ରହାକାଂକ୍ଷୀ

ଲେଖକ

☆☆☆

 

ଭୂମିକା

 

ନାଟକ ଲେଖିବା ସହଜ ନୁହେ । ଢେଙ୍କାନାଳର ଶ୍ରୀମାନ୍ ପଟ୍ଟାୟତ ସାହେବ ମୋତେ ନାଟକ ଖଣ୍ଡିଏ ଲେଖିବାକୁ ଉତ୍ସାହ ଦେବାରୁ ମୁଁ ଏହା ଲେଖିଲି । ମାତ୍ର ରଙ୍ଗମଞ୍ଚରେ ଅଭିନୟ ପାଇଁ ଏହା ଉପଯୋଗୀ ହେଲା କି ନାହିଁ, ସେ ବିଷୟରେ ମୁଁ ଅନଭିଜ୍ଞ ଥିଲି । ମୋର ଶ୍ରଦ୍ଧେୟ ବନ୍ଧୁ, ପୁରୀ ମ୍ୟୁନିସିପାଲ ଭାଇସ୍‍ ଚେୟାରମ୍ୟାନ୍ ବାବୁ ଶ୍ରୀ ହରିଚରଣ ମହାନ୍ତି ଏହାର ପାଣ୍ଡୁଲିପି ପଢ଼ି ଏ ଲେଖାକୁ ଅଭିନୟ ପାଇଁ ଉପଯୋଗୀ ହେବାକୁ ସଜାଡ଼ି ଦେଇଥିବାରୁ ତାଙ୍କୁ ମୋର ଅନ୍ତରର ଧନ୍ୟବାଦ ପ୍ରଦାନ କରୁଅଛି । ବିଷୟଟି ଗୋଟିଏ ବଙ୍ଗଳା ଗଳ୍ପ ପୁସ୍ତକରୁ ନିଆଯାଇଅଛି, ମାତ୍ର ତାହା ବିଚ୍ଛେଦରେ ସମାପ୍ତ ହୋଇଥିଲା, ଏ ପୁସ୍ତକ ମିଳନରେ ସମାପ୍ତ ହୋଇଅଛି ।

 

ବାଲେଶ୍ୱର

ଶ୍ରୀ କେଶବଚନ୍ଦ୍ର ମିଶ୍ର

୧୨।୩।୩୦

ଭୁବନ, ଶ୍ରୀବତ୍ସ ଭଗୀରଥପୁର ଶାସନ

 

। ଜି । ଢେଙ୍କାନାଳ

☆☆☆

 

ନାଟକୀୟ ପୁରୁଷଗଣ–

 

ଦାଉଦ୍‍ ଖାଁ (ବଙ୍ଗ, ବିହାର ଓ ଓଡ଼ିଶାର ନବାବ)

 

ଦିଲ୍ଲୀପ ସିଂହ (ରାଜା ହରିନାରାୟଣଙ୍କର ପେନ୍‍ସନ୍‍ ପ୍ରାପ୍ତ ସର୍ଦାର)

 

ଯାଦବନାଲ (ଦିଲ୍ଲୀପ ସିଂହଙ୍କ ଅଜା)

 

ତୋଡ଼ରମଲ୍ଲ (ମୋଗଲ ସେନାପତି)

 

ବେନୁ (ରାଜା ହରିନାରାୟଣଙ୍କ ପ୍ରହରୀ)

 

ରାଜା ହରିନାରାୟଣ ସିଂହ (ମୋଗଲାଧୀନ ରାଜପୁତ ସାମନ୍ତ)

 

ରୁଦ୍ରପତି—(ରାଜମହଲର ପ୍ରଧାନ ଧନକୁବେର)

 

ଜାଲିମ୍‍ ସିଂହ (ଦସ୍ୟୁ ସର୍ଦାର)

 

ଅମର ସିଂହ (ରାଜା ହରିନାରାୟଣଙ୍କ ସର୍ଦାର ଓ ଦିଲ୍ଲୀପ ସିଂହଙ୍କ ପୁତ୍ର)

 

ବୁଦ୍ଧନ୍‍ (ରଜା ହରିନାରାୟଣଙ୍କ ପ୍ରହରୀ)

 

ଆକବର ଶା (ମୋଗଲ ସମ୍ରାଟ)

 

ପଣ୍ଡିତ

 

ମନାଇମ୍‍ ଖାଁ (ଆକବରଙ୍କ ପ୍ରଧାନ ସେନାପତି)

 

ହୁସେନ୍‍କୁଲି ଖାଁ (ଆକବରଙ୍କ ପ୍ରଧାନ ସେନାପତି)

 

ବିଦୂଷକ

 

ନାଟକୀୟ ରମଣୀଗଣ–

 

ଊର୍ମିଳା (ରାଜା ହରିନାରାୟଣଙ୍କ କନ୍ୟା)

 

ମାୟା (ଦିଲ୍ଲୀପ ସିଂହଙ୍କ ସ୍ତ୍ରୀ)

 

ନଳନା (ରାଜା ହରିନାରାୟଣଙ୍କଦ୍ୱାର ଅତ୍ୟାଚାରିତା ରମଣୀ)

 

ଶୋଭନା (ରୁଦ୍ରପତିଙ୍କ କନ୍ୟା)

 

କାମନା (ଶୋଭନାର ଦାସୀ)

☆☆☆

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ—(ପ୍ରାଙ୍ଗଣ)

 

 

(ଊର୍ମିଳା ଦେବୀ ଚନ୍ଦ୍ରକିରଣର ଶୋଭା ଦେଖୁଅଛନ୍ତି ଓ ଗାନ କରୁଅଛନ୍ତି ।)

 

 

 

ଚାନ୍ଦ ରଜନୀ ଦିଶେ ଆହା କି ଶୋଭା

 

ବିକାଶ ବାସ କୁନ୍ଦ କି ମନୋଲୋଭା ।

 

ଜଳେ କିରଣ କେତେ ସୃଜଇ ଆଭା

 

ତରଙ୍ଗେ ଦୋହଲାଇ ରଜତପ୍ରଭା ।

 

ଗଗନେ ଶଶଧର ଜଳେ କୁମୁଦ

 

ପ୍ରେମେ ଅନାଇ ଆହା ଲଭେ କି ମୁଦ ।

 

ଦିଅ ଚନ୍ଦ୍ରମା ଦିଅ ବିନ୍ଦୁଏ ସୁଧା,

 

ପାଇଣ ଲଭେଁ ଶାନ୍ତି ଜୀବନ ସୁଦ୍ଧା ।

 

 

 

(ଏପରି ସମୟରେ ବଙ୍ଗ, ବିହାର ଓ ଓଡ଼ିଶାର ନବାବ ଦାଉଦ ଖାଁ ଦ୍ୱାରଦେଶରେ ଉଭା ହୋଇ କହୁଅଛନ୍ତି)

 

 

ଦାଉଦ ଖାଁ—

ଏ ଘରେ କିଏ ଅଛି ?

 

 

ରମଣୀ—

ତୁମେ କିଏ ?

 

 

ଦା—

ମୁଁ ଜଣେ ଆଶ୍ରୟପ୍ରାର୍ଥୀ । ତୁମେ କିଏ ?

 

 

ର—

ରାଜପୁତ ରମଣୀ ।

 

 

ଦା—

ଅନ୍ୟ ପରିଚୟ ?

 

 

ର—

ଏହା କଣ ଯଥେଷ୍ଟ ପରିଚୟ ନୁହେ ?

 

 

ଦା—

ଠିକ୍ କହିଲ; ରାଜପୁତର ପରିଚୟ ରାଜପୁତ, କିନ୍ତୁ ମୁଁ କିଏ ଜାଣ ?

 

 

ର—

ତାହା ଜାଣିବାର ପ୍ରୟୋଜନ ନାହିଁ ।

 

 

ଦା—

ମତେ ଆଶ୍ରୟ ଦେଲେ ତୁମର କି ବିପଦ ଘଟିବ ଜାଣ ?

 

 

ର—

ସେ କଥା ମଧ୍ୟ ଜାଣିବାର ଆବଶ୍ୟକ ନାହିଁ, ଆଶ୍ରୟାର୍ଥୀକୁ ଆଶ୍ରୟ ଦାନରେ ଯେବେ ବିଧାତାର ସମସ୍ତ ବିପଦରାଶି ଦଳବଦ୍ଧ ଓ ଘନୀଭୂତ ହୋଇ ମତେ ଆକ୍ରମଣ କରେ, ତେବେ କରୁ, ତଥାପି ମୁଁ ରାଜପୁତ ରମଣୀ, ଆଶ୍ରୟାର୍ଥୀକୁ କେତେବେଳେ ବିମୁଖ କରିବି ନାହିଁ ।

 

 

ଦା—

‘‘କିନ୍ତୁ ତୁମେ ରମଣୀ ।’’

 

 

ର—

ରମଣୀ ବୋଲି ବୋଧ ହୁଏ ତୁମର ମୋର ଶକ୍ତିରେ ସନ୍ଦେହ ଜନ୍ମୁଅଛି । କିନ୍ତୁ ତୁମେ ହିନ୍ଦୁଲଳନାକୁ ଚିହ୍ନି ନାହଁ, ହିନ୍ଦୁ ଜାତି ଇତିହାସ ଅବଗତ ନୁହଁ । ଶୁଣି ନାହଁ ଯେ, ସମନ ହିନ୍ଦୁ ନାରୀ ଶକ୍ତି ନିକଟରେ ତ୍ରସ୍ତ ହୋଇ ପରାଭବ ସ୍ୱୀକାର କରେ । ଜାଣି ନାହଁ ହିନ୍ଦୁ ନାରୀ ଅପ୍ରତିଦ୍ୱନ୍ଦ୍ୱୀ ବୀର ଭୀଷ୍ମଙ୍କ ନିଧନପାଇଁ ହେତୁ ହୋଇ ଥିଲା । ସେଦିନର କଥା, ମହାପ୍ରତାପୀ ସମ୍ରାଟ ଆଲ୍ଲାଉଦ୍ଦୀନ ପଦ୍ମି ନୀଳ ରୂପରେ ମୁଗ୍ଧ ହୋଇ ଚିତୋର ଦୁର୍ଗକୁ ଆକ୍ରମଣ କରିଥିଲେ । ମାତ୍ର ଲକ୍ଷେ ମୁଦ୍ରା ବ୍ୟୟକରି ଲକ୍ଷ ଜନ ଗାତ୍ରରକ୍ତରେ ଚିତୋର ଦୁର୍ଗକୁ ରଞ୍ଜିତ କରି କେବଳ ଶତସହସ୍ର ରମଣୀଙ୍କ ଦେହଭସ୍ମ ପାଇଲେ, ମାତ୍ର କାହାର କେଶ ସ୍ପର୍ଶ କରି ପାରିଲେ ନାହିଁ । ଏଥିରୁ କି ଜଣାଯାଉ ନାହିଁ ଯେ, ହିନ୍ଦୁ ରମଣୀ କେବେ ଶକ୍ତିହୀନା ନୁହେଁ ? ଶୁଣ ହେ ସୈନିକ, ଯଦି ସହସ୍ର ବିପଦ ଭୀମ ଭୈରବ ଗର୍ଜନରେ ସମୁଦ୍ର, ତରଙ୍ଗ ଉଚ୍ଛ୍ୱାସ ନେଇ ରାକ୍ଷସ ସମାନ ଗତି କରି ମୋତେ ଗ୍ରାସ କରିବାକୁ ଧାଇଁଆସେ, ଯଦି ଜଗତର ଶକ୍ତିସବୁ ପୁଞ୍ଜୀଭୂତ ହୋଇ ମୋହର ବିପକ୍ଷରେ ଆସି ଛିଡ଼ା ହୁଏ, ତଥାପି ତୁମକୁ ମୁଁ ଅଭୟ ଆଶ୍ରୟ ଦେଲି । ଏ ପ୍ରାସାଦରେ ମୁଁ ଜୀବିତ ଥିବାଯାଏ କେହି ତୁମ ବସ୍ତ୍ରପ୍ରାନ୍ତ ସ୍ପର୍ଶ କରିବାକୁ କ୍ଷମ ହେବ ନାହିଁ ।

 

 

ଦା—

ଆହା ! ଏହି ଭକ୍ତି ପ୍ରଦୀପ୍ତା ସେ ସୌନ୍ଦର୍ଯ୍ୟତୃପ୍ତା ବିଶ୍ୱଶାନ୍ତିଦାୟିନୀ ବିଶ୍ୱଜନନୀରୂପିଣୀ ଶକ୍ତିଶାଳିନୀ ପୁଣ୍ୟପୁଲକ ପ୍ରଦାୟିନୀ ଦେବୀ ମୂର୍ତ୍ତି ଦର୍ଶନ କରି ମୋର ହୃଦୟ ଭକ୍ତିରେ ଆନତ ଏବଂ ଶ୍ରଦ୍ଧାରେ ପ୍ରଣତ ହେଲା ।

 

 

(ଏହା କହି ବିସ୍ମୟପୁଲକ ହୃଦୟ ଏବଂ ନିସ୍ପନ୍ଦ ନେତ୍ରରେ ରମଣୀର ମୁଖକୁ ଚାହି ରହିଲେ । (ଏହା ଦେଖି ହାସ୍ୟରଞ୍ଜିତ ନେତ୍ରରେ ରମଣୀ କହିଲେ )

 

 

ର—

କାହିଁକି ମୋ ମୁଖକୁ ଚାହିଁ ରହିଛ ଅତିଥି ?

 

 

 

(ବାସ୍ପରୁଦ୍ଧ କମ୍ପିତ କଣ୍ଠରେ ଅତିଥି କହିଲେ)

 

 

ଅ—

କଣ ଦେଖୁଛି ଏହା କିପରି କି ଭାଷାରେ କହିବି କିନ୍ତୁ ଯାହା ଦେଖୁଛି, ତାହା ଜୀବନରେ କେବେ ଦେଖି ନାହିଁ, କି ଦେଖିବି ନାହିଁ କିମ୍ବା ଭୁଲିବି ନାହିଁ । ଦେଖୁଛି, ଶତ ଚନ୍ଦ୍ର-କିରଣ ପରିଶୋଭିତା, ସ୍ୱର୍ଗ-ସୁଷମା-ପରିପ୍ଳାବିତା, ମହିମାବିମଣ୍ଡିତା ଗୋଟିଏ ମାତୃମୂର୍ତ୍ତି ଅଭୟହସ୍ତ ଉତ୍ତୋଳନ କରି ମୋର ସମ୍ମୁଖରେ ଦଣ୍ଡାୟମାନ-। ତାହାର ବଦନରେ ପବିତ୍ରତାର ପୁଣ୍ୟହିଲ୍ଲୋଳ, ହୃଦୟରେ ଧର୍ମରେ କଲ୍ଲୋଳ, ହସ୍ତରେ ଶାନ୍ତିର ଅନାବିଳ ଧାରା ଏବଂ ନୟନରେ କେବେ ଦେଖି ନାହିଁ, ଏହା ଧ୍ୟାନଗଠିତା ଜୀବନ୍ତ ଦେବୀପ୍ରତିମା । ହିନ୍ଦୁରମଣୀ ମାନବୀ ନୁହେ ଦେବୀ-। ମା’, ମା’, ବଙ୍ଗେଶ୍ୱର ଦାଉଦ ଖାଁ ଜାନୁପାତ କରି ଆଜି ତୁମ୍ଭଙ୍କୁ ମାତୃ ସମ୍ୱୋଧନରେ ଅଭିନନ୍ଦନ କରୁଅଛି । ମା, ତାକୁ ସନ୍ତାନର ଅଧିକାର ଦିଅ । ମା, ତାକୁ ତୁମ୍ଭର ମଙ୍ଗଳାଶିଷରେ ଶକ୍ତିମାନ୍‍ କର, ଶାନ୍ତି-ବାହୁ ପ୍ରସାରଣ କରି ତାର ମଳିନ କର୍ମ-କାଳିମାର ଧୂଳି ଧୋଇ ଦିଅ ।

 

 

ର—

ତୁମେ ନବାବ ଦାଉଦ ଖାଁ ?

 

 

ଦା—

ହଁ ମା, ମୁଁ ସେହି ହତଭାଗ୍ୟ ଅତ୍ୟାଚାରୀ ପାପିର ଆଦର୍ଶ, ନବାବ ଦାଉଦ ଖାଁ ।

 

 

ର—

ଯାହା ହେଉ ତୁମେ ମୋର ସନ୍ତାନ । ଉଠ ବତ୍ସ । ବିଧାତା ଚରଣରେ ପ୍ରାର୍ଥନା କରେ, ତୁମେ ମନୁଷ୍ୟ ହୁଅ, ରଣ-ମୃତ୍ୟୁ ଲାଭ କର, ମୋଗଲ ବିଜୟୀ ହୁଅ ।

 

 

ଦା—

(ଉଠି ଛିଡ଼ା ହୋଇ) ମୋଗଲ ବିଜୟୀ ହୁଅ ! ମା, ଏ ଆଶା ମରୁର ଜଳାଶୟ ପରି ବହୁଦୂରକୁ ଚାଲିଗଲାଣି । ଆଜି ମୁଁ ମୋଗଲ ସେନାପତିଦ୍ୱାରା ପରାଜିତ । ମୋର ଛତ୍ରଭଙ୍ଗରେ ସୈନ୍ୟସବୁ କିଏ କୁଆଡ଼େ ପଳାୟନ କଲେଣି, ଶୃଗାଳ ପରି ପ୍ରାଣରକ୍ଷାପାଇଁ ଆଜି ମୁଁ ତୁମର ଆଶ୍ରୟାର୍ଥୀ, ପଛରେ ମୋର ଅନୁସନ୍ଧାନପାଇଁ ପ୍ରଧାନ ସେନାପତି ମନାଇମ୍‍ ଖାଁ ଦୈତ୍ୟ ପରି ଧାଇଁଛି । ବଙ୍ଗଳାର ଅନେକ ଜମିଦାର ମୋଗଲ ସଙ୍ଗରେ ଯୋଗ ଦେଇଅଛନ୍ତି । ମୋଗଲ ବର୍ତ୍ତମାନ ଅସୀମ ଶକ୍ତିଶାଳୀ । ମୋର ସୈନ୍ୟ ନାହିଁ, କି ଦୁର୍ଗ ନାହିଁ, କି ଅର୍ଥ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ମଧ୍ୟ ନାହିଁ, ମୁଁ ମୋଗଲ ବିଜୟୀ ହେବା ଅସମ୍ଭବ ।

 

 

ର—

ଅସମ୍ଭବ କଥା ବୀରମୁଖରେ ଶୋଭା ପାଏ ନାହିଁ । ଆକୁଳ ଆକାଂକ୍ଷା ମନୁଷ୍ୟକୁ ସଫଳତା ପ୍ରଦାନ କରେ । ଯଦି ତୁମର ତନ୍ମୟତା ଓ ଏକାଗ୍ରତା ଥାଏ, ତେବେ ନିଶ୍ଚୟ ଜାଣେ ଯେ ତୁମକୁ ସବୁ ମିଳିବ ।

 

 

ଦା—

ମା, ତୁମ ବାକ୍ୟରେ ହୃଦୟ ଆଶାର ଝଙ୍କାରରେ ଝଙ୍କୃତ ହୋଇ ଉଠୁଛି । ଶତସହସ୍ର ନବୀନ ଆଶାରେ ହୃଦୟ ପୁଣି ଉଦବେଳିତ ହେଉଛି । ତୁମେ ଦେବୀ-! ତୁମ ପ୍ରାର୍ଥନା ନିଷ୍ଫଳ ହେବ ନାହିଁ । ମୁଁ ପାରିବି ଯଦି ବଞ୍ଚେ । ଆଜି ଯେବେ ମନାଇମ୍‍ ଖାଁ ହସ୍ତରୁ ମୁକ୍ତି ପାଏଁ, ତେବେ ପୁଣି ମୋଗଲକୁ ବଙ୍ଗଳା ହତା ମଧ୍ୟରୁ ବିଦୂରିତ କରିବି । ପୁଣି ବଙ୍ଗଳାର ସିଂହାସନ ପଠାଣର ହେବ । ପୁଣି ପଠାଣର ଜୟନାଦରେ ବଙ୍ଗଳାର ଆକାଶ ବତାସ ପ୍ରକମ୍ପିତ ହେବ ।

 

 

ର—

ଯାହା ହେଉ ନବାବ, ତୁମ ସାଧନା ସଫଳ ହେଉ ।

 

 

ଦା—

ମା, ଯଦି ତୋର ବାକ୍ୟ ସତ୍ୟ ହୁଏ, ଯଦି ପୁଣି ବଙ୍ଗଳାରେ ସିଂହାସନ ପାଏଁ, ତାହାହେଲ ଏହିସବୁ କୃତଘ୍ନ ଜମିଦାରଙ୍କୁ ଏପରି ଶାସ୍ତି ଦେବି, ଯାହା ବିଭୀଷିକା ପରି ବଙ୍ଗବକ୍ଷରେ ଅଙ୍କିତ ରହିବ ।

 

 

ର—

ନବାବ, ମୋର ଗୋଟିଏ ଭିକ୍ଷା ଅଛି ଦେବ କି ? ତୁମେ ସନ୍ତାନ, ମୁଁ ଜନନୀ । ତୁମ ନିକଟରୁ କି ଭିକ୍ଷା ପାଇବି ନାହିଁ ?

 

 

ଦା—

ମା, ଏ କି ପ୍ରହେଳିକା, ଜନନୀକୁ ସନ୍ତାନରେ ଅଦେୟ କ’ଣ ଅଛି ? ଏ ସିଂହାସନହୀନ, ମୁକୁଟହୀନ ଦୀନ ଭିକ୍ଷୁକଠାରେ କି ଭିକ୍ଷା ମା ଅକପଟରେ କହ । ଶୋଣିତଦାନରେ ମଧ୍ୟ ତୋର ଭିକ୍ଷା ପୂର୍ଣ୍ଣ କରିବି ।

 

 

ର—

ନବାବ, ମୋର ପିତା ଜମିଦାର ହରିନାରାୟଣ ମୋଗଲ ପକ୍ଷରେ ରହି ଯୁଦ୍ଧ କରୁଛନ୍ତି । ଯଦି ତୁମେ ରାଜ୍ୟ ପାଅ, ଯଦି ତୁମର ଏ ଘନ ଘୋର ଦୁର୍ଦିନ କଟିଯାଇ ଆଲୋକମୟ ପ୍ରଭାତ ଉଦିତ ହୁଏ, ଯଦି ତୁମ ଚରଣରେ ବଙ୍ଗଳା ଲୁଣ୍ଠିତ ହୋଇ ଅଭିବାଦନ କରେ, ତାହାହେଲେ ନବାବ—

 

 

ଦା—

ବୁଝିଛି ମା, ଆଉ କହିବାକୁ ହେବ ନାହିଁ । ମା, ତୁମର ସନ୍ତାନ ଦାଉଦ ଖାଁ ବିଳାସୀ, ମଦ୍ୟପାୟୀ ଓ ଅତ୍ୟାଚାରୀ ହେଲେ ମଧ୍ୟ ସେ ଅକୃତଜ୍ଞ ନୁହେଁ କିମ୍ବା ସେ ପଶୁ ନୁହେଁ । ତୁମର ଏ ଋଣର ବିନିମୟ ନାହିଁ । ଶପଥ କରୁଛି, ତୁମ ପିତାଙ୍କ ପଦରେ କୁଶାଙ୍କୁର ବିଦ୍ଧ ହେବ ନାହିଁ, କି ହେବାକୁ ଦେବି ନାହିଁ ।

 

 

ର—

ମୁଁ ମଧ୍ୟ ଶପଥ କରୁଛି ପୁତ୍ର, ଆଜୀବନ ତୁମକୁ ପୁତ୍ରତୁଲ୍ୟ ଦେଖିବି । ତୁମର ଶୁଭ କାମନା କରିବି, ଆଉ ମଧ୍ୟ ତୁମର ବିପଦାପଦରେ ଯଥାସାଧ୍ୟ ସାହାଯ୍ୟ କରିବି । ଭଗବାନ ନ କରନ୍ତୁ, ଯଦି କେବେ ବିପଦ ପଡ଼େ, ଯଦି ଏହି ଦୁଃଖିନୀ ଜନନୀର ସାହଯ୍ୟରେ ପ୍ରୟୋଜନ ହୁଏ—ଜାଣିଥାଅ, ହୃଦୟରେ ଶେଷ ଶୋଣିତ ବିନ୍ଦୁ ଦେଇ ସାହାଯ୍ୟ କରିବି ।

 

 

ଦା—

ମା, ପୁଣି ତୁମକୁ ଅଭିବାଦନ କରୁଛି ।

 

ଦ୍ୱିତୀୟ ଦୃଶ୍ୟ—(କକ୍ଷ)

 

 

(ଦିଲ୍ଲୀପ ସିଂହଙ୍କ ସ୍ତ୍ରୀ ମାୟା ରୋଗୀଶୀର୍ଣ୍ଣ ନିଷ୍ପଭ ନୟନ ଦିଓଟି ସ୍ୱାମୀଙ୍କ ପ୍ରତି ସ୍ଥାପିତ କରି କହିଲେ)

 

 

ମାୟା—

କାହିଁ ?

 

 

ସ୍ଵାମୀ—

କଣ କାହିଁ ମାୟା ?

 

 

ମାୟା—

ମୋର ପୁତ୍ର ଅମରପ୍ରସାଦ ।

 

 

ସ୍ୱାମୀ—

ସେ ପ୍ରାୟ ଏହିକ୍ଷଣି ଆସିବ ।

 

 

ମାୟା—

ଯୁଦ୍ଧ କଣ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ?

 

 

ସ୍ଵାମୀ—

ହୋଇଛି ।

 

 

ମାୟା—

କିଏ ଜୟୀ ହେଲା ?

 

 

ସ୍ଵାମୀ—

ଆମ୍ଭେମାନେ ।

 

 

ମାୟା—

ତେବେ ମୋର ଅମର ଆସିବାର ଏତେ ବିଳମ୍ବ କାହିଁକି ?

 

 

(ଦିଲ୍ଲୀପ ନିରୁତ୍ତର)

 

 

 

ତେବେ କ’ଣ ମୋର ଅମର ନାହିଁ ? ଆହା ମୋର ଅମର କୁଆଡ଼େ ଗଲା ? (କ୍ରନ୍ଦନ)

 

 

ସ୍ୱା—

ମୟା, ମାୟା, ମୁଁ ତୁମର ନିଷ୍ପାପ ଦେହ ସ୍ପର୍ଶ କରି କହୁଛି ଆମର ଅମର ସୁସ୍ଥ, ସବଳ ଓ ଅକ୍ଷତ ଦେହରେ ଜୀବିତ ଅଛି ।

 

 

ମା—

ତେବେ ସତ୍ୟ କହ ପ୍ରଭୁ, ତାର ଆସିବା ଏତେ ଡେରି କାହିଁକି ?

 

 

ସ୍ୱା—

ସେ ପଠାଣ କାରାଗାରରେ ଥିଲା ।

 

 

ମା—

କଣ ହେଲା ! (କ୍ରନ୍ଦନ)

 

 

ଦି—

ମାୟା, ମୁଁ ତୁମର ସ୍ୱାମୀ, ମୋ କଥାରେ ତୁମ୍ଭର ଯଦି ବିନ୍ଦୁମାତ୍ର ବିଶ୍ୱାସ ଥାଏ ତେବେ ଶୁଣ—ମୋଗଲ ସେନାପତି ମନାଇମ ଖାଁ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଯାଇଛନ୍ତି । ବର୍ତ୍ତମାନ ସମ୍ଭବତଃ ସେ ମୁକ୍ତ ହୋଇଛି; ଶୀଘ୍ର ଆସିବ ।

 

 

ମା—

କିନ୍ତୁ—

 

 

ଦି—

କିନ୍ତୁ କଣ ମାୟା ?

 

 

ମା—

ଦେଖୁଛି, ତା ସଙ୍ଗରେ ଆଉ ଦେଖା ହେବ ନାହିଁ । (କହି ଦୀର୍ଘ ନିଶ୍ୱାସ ପକାଇବା)

 

 

ଦି—

ମାୟା, ଏପରି କଥା କହୁଛ କାହିଁକି ?

 

 

ମା—

କାହିଁକି କହୁଛି ତାହା କଣ ବୁଝିପାରୁ ନାହଁ ? ମୋର ଦେହ କଳା ପଡ଼ିଗଲାଣି, ଦୀପ ନିଭି ଆସିଲାଣି, ଆଉ ଡେରି ନାହିଁ, ପ୍ରଭୁ ।

 

 

ନି—

ମୋତେ ଛାଡ଼ି କୁଆଡ଼େ ଯିବ ମାୟା ? ତୁମ୍ଭଙ୍କୁ ମୁଁ ଏକା ଯିବାକୁ ଦେବି ନାହିଁ । ମୋର ହୃଦୟ ସଙ୍ଗରେ ତୁମ୍ଭଙ୍କୁ ଗୁନ୍ଥି ରଖିଛି । ମୋର ପ୍ରତି ଗ୍ରନ୍ଥିରେ ତୁମ୍ଭେ ଜଡ଼ିତ ଅଛ । ମୋର ଜୀବନ-ଦୀପ ତୁମ୍ଭର ଗୁଣଗାରିମାଦ୍ୱାରା ସୌନ୍ଦର୍ଯ୍ୟସୁଷମାରେ ସମୁଜ୍ଜ୍ୱଳ, ଯଦି ଦୀପ ନିଭେ ଏକ ସଙ୍ଗରେ ଦିଓଟି ଦୀପ ନିଭିବ ।

 

 

(ଉଭୟେ ନିରୁତ୍ତର—କିଛିକ୍ଷଣ ପରେ)

 

 

ମା—

ହେଇଟି ତ ?

 

 

ଦି—

କଣ ମାୟା ?

 

 

ମା—

ଅଶ୍ୱର ପଦଧ୍ୱନି, କଣ ସେ ଆସୁଛି ? ଅମର ମୋର ଆସୁଛି ? ଯାଅ ସ୍ୱାମୀ ସଦର ଦ୍ୱାର ଖୋଲି ତାକୁ କୋଳ କରି ନେଇଆସ ।

 

 

ଦି—

(ସଦର ଦ୍ୱାର ଖୋଲି) କାହିଁ, କେହି ତ ନାହିଁ ! କେବଳ ଅମଳ-ଧବଳ ଜ୍ୟୋସ୍ନାର ପ୍ଳାବନ ଓ ବୃକ୍ଷଶୋଭିନୀ ଖଦ୍ୟୋତର ବିଜୁଳିପ୍ରଭା ପରି ମୁହୁର୍ମୁହୁଃ ହାସ୍ୟ, ହେ ଈଶ୍ୱର, ତୁମ୍ଭ ପରି କଠୋର ନିର୍ମମ ନିର୍ଦ୍ଦୟ ଆଉ କିଏ ଅଛି । ଆଉ ତୁମ୍ଭର ନାମ, ଧର୍ମର ନାମ ଜୀବନରେ ଉଚ୍ଚାରଣ କରିବି ନାହିଁ, ଏହି ଶେଷ, ତୁମ୍ଭର ନାମ ଅଛି, ମାତ୍ର କାର୍ଯ୍ୟ ନାହିଁ । ତୁମ୍ଭେ ମିଥ୍ୟା ।

 

 

ଯାଦବଲାଲ—

ଛି, ନାତି ଏପରି କଥା କୁହାଯାଏ ?

 

 

ଦି—

ଅଜା, ମନୁଷ୍ୟର ଧୈର୍ଯ୍ୟ ତ ଆକାଶ କିମ୍ବା ସମୁଦ୍ର ପରି ଅସୀମ ନୁହେଁ ।

 

 

ଯା—

ଏତେ ବ୍ୟସ୍ତ କାହିଁକି ? ମୋ ନାତୁଣୀବୋହୂ କିପରି ଅଛି ?

 

 

ଦି—

ବର୍ତ୍ତମାନ ବଞ୍ଚିଅଛି । ଆଉ ରଖି ହେବ ନାହିଁ, ଅମର ଯଦି ଆସନ୍ତା, ଆଉ ଦୁଇ ଚାରି ଦିନ ଧରି ରଖି ପାରନ୍ତି । ବିପଦ୍‍ଗ୍ରସ୍ତ ବ୍ୟକ୍ତି ଯେପରି ବାରମ୍ବାର ଆକୁଳକଣ୍ଠରେ ଈଶ୍ୱରଙ୍କ ନାମୋଚ୍ଚାରଣ କରେ, ସେହିପରି ତୁମ ନାତୁଣୀବୋହୂ ମୁଖରେ କେବଳ ଅମର, ଅମର ଏବଂ ନୟନରେ ଅବିରଳ ଅଶ୍ରୁଧାରା ମଧ୍ୟେ ମଧ୍ୟେ କେବଳ ମର୍ମଦାହୀ ଦୀର୍ଘନିଶ୍ୱାସ । ସେହି ଦୃଶ୍ୟ ଦେଖି ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି, ଆଉ ସହିହେବ ନାହିଁ ।

 

 

ଯା—

କିନ୍ତୁ ସେହି ସହ୍ୟଗୁଣ ମନୁଷ୍ୟକୁ ମନୁଷ୍ୟ କରେ । ବିଦ୍ୟାର୍ଥୀ ଶିକ୍ଷକର ତାଡ଼ନା, ବେତ୍ରାଘାତ ଓ ଅପମାନ ସହ୍ୟ କରି କେତେ ଥର ବିଫଳ ହୋଇ ବିଦ୍ୟାଲାଭ କରେ । ଯୋଦ୍ଧା କେତେ ଉଦ୍ୟମ, କେତେ ଅସ୍ତ୍ରାଘାତଦ୍ୱାରା ଦେହ କ୍ଷତବିକ୍ଷତ କରେ, ଦେହର ଶୋଣିତ ଢାଳି ଦିଏ, ତେବେ ଯୋଦ୍ଧା ହୁଏ । କବି କେତେ ପରିଶ୍ରମ କରି କେତେ ସାଧନଦ୍ୱାରା କେତେ ସାଧନଦ୍ୱାରା କେତେ ନିଶି ବିନିଦ୍ର ହୋଇ କେତେ ଥର ବିଫଳମନୋରଥ ହୋଇ ସମାଲୋଚକର ତପ୍ତ ଲୌହ ସମ କଷାଘାତରେ ଜର୍ଜରିତ ହୋଇ ପରେ କବି ହୁଏ । ଏହି ସବୁ ମୂଳରେ ଧୈର୍ଯ୍ୟରୂପ ମହାପରୀକ୍ଷା ରହିଅଛି । ଛାତ୍ର ଯଦି ଶିକ୍ଷକର ଅପମାନରେ ଅଧୈର୍ଯ୍ୟ ହୋଇପଡ଼େ, ଯୋଦ୍ଧା ଯଦି କ୍ଷତର ଯାତନା ସହ୍ୟ କରି ନପାରେ କବି ଯଦି ଥରେ ବିଫଳ ହୋଇ ଧୈର୍ଯ୍ୟ ହରାଇ ଲେଖନୀ ତ୍ୟାଗ କରେ, ତାହା ହେଲେ ଜଗତରୁ ମନୁଷ୍ୟ କଥାଟି ଉଠିଯାନ୍ତା । ପ୍ରତ୍ୟେକ ମନୁଷ୍ୟର ହୃଦୟରେ ଦୃଢ଼ତାର ପରୀକ୍ଷା ଧୈର୍ଯ୍ୟ ଉପରେ ନିର୍ଣ୍ଣୀତ ହୁଏ । କଠୋର ବଜ୍ରସମ ବିପଦ ଯେ ଛାତି ପତେଇ ସହ୍ୟ କରେ, ସଂସାରରେ ଶତ ପ୍ରଲୋଭନ ଅବିଚଳିତ ଚିତ୍ତରେ ପରିହାର କରିପାରେ, ଐଶ୍ୱର୍ଯ୍ୟରେ ଅଧୀର ନ ହୋଇ ଯେ ସେହି ଐଶ୍ୱର୍ଯ୍ୟ ମଧ୍ୟରେ ଜୀବନ ପୂଜା କରିପାରେ, ଶତ ଶୋକ-ଦୁଃଖ, ସହସ୍ର ଚିନ୍ତା କଷ୍ଟ ଯେ ଅମ୍ଳାନବଦନରେ ସହ୍ୟ କରିପାରେ, ସେ ପ୍ରକୃତ ମନୁଷ୍ୟ— ସେ ଈଶ୍ୱରଙ୍କର ପ୍ରିୟ ସନ୍ତାନ । ସିଦ୍ଧି ଓ କୀର୍ତ୍ତି ଦିଓଟି ସହୋଦର ଭଉଣୀ ।

 

 

ଦି—

(ବାଧା ଦେଇ) ଅଜା, ଇଏ କଣ ?

 

 

ଯା—

କଣ ନାତି ?

 

 

ଦି—

ବହୁ ଅଶ୍ୱର ପଦଧ୍ୱନି ଶୁଣାଯାଉଛି ।

 

 

ଯା—

ସତ ତା ନାତି ।

 

 

ଦି—

ପୁଣି ରମଣୀର କଳକଣ୍ଠ ସହ ଅସ୍ତ୍ରର ଝଣ୍‍ଝଣ୍‍ ଶବ୍ଦ ? ଶବ୍ଦ ଯେପରି ଆମ୍ଭର ପ୍ରଭୁ ରାଜା ହରିନାରାୟଣଙ୍କ ଅଟ୍ଟାଳିକାରୁ ଆସୁଅଛି ।

 

 

ଯା—

ମୁଁ ସେହିପରି ଅନୁମାନ କରୁଅଛି । ରମଣୀ କଣ୍ଠସ୍ୱର ଯେପରି ପ୍ରଭୁକନ୍ୟାର ବୋଲି ଅନୁମାନ ହେଉଅଛି । ସହସା ଏତେ ଅଶ୍ୱାରୋହୀ କାହିଁକି ? ବୋଧ ହୁଏ ପ୍ରଭୁ ପ୍ରତ୍ୟାବର୍ତ୍ତନ କଲେ ।

 

 

ଦି—

ତାହାହେଲେ ଅସ୍ତ୍ରର ଘାତ-ପ୍ରତିଘାତ ଧ୍ୱନି ହୁଅନ୍ତା କାହିଁକି ? ଆଉ ମଧ୍ୟ ଆନନ୍ଦଧ୍ୱନି ନ ଉଠି ପ୍ରଭୁକନ୍ୟାର ଏ କାତର ଧ୍ୱନି କାହିଁକି ? ଅଜା, ରାଜାଙ୍କ ନବରରେ ଦୁଇ ଚାରି ଜଣ ପ୍ରହରୀ ବ୍ୟତୀତ ଆଉ କେହି ନାହିଁ । ରାଜା ଆମ୍ଭମାନଙ୍କ ଉପରେ ତାଙ୍କର ପ୍ରାସାଦ ଓ ରାଜକନ୍ୟାରେ ରକ୍ଷଣର ଭାରାର୍ପଣ କରି ନିଶ୍ଚିନ୍ତ ହୋଇ ଯୁଦ୍ଧରେ ରତ ଅଛନ୍ତି । ମୁମୂର୍ଷୁ ପତ୍ନୀକୁ ତ୍ୟାଗ କରି ମୁଁ କଣ ଥରେ ରାଜକନ୍ୟାର ସମ୍ବାଦ ନେଇ ପାରିବିନାହିଁ ? ହେଇଟି, ହେଇଟି, ପୁଣି ପ୍ରଭୁକନ୍ୟାଙ୍କ କାତର କଣ୍ଠଧ୍ୱନି ତାଙ୍କର ବିପଦର ବାର୍ତ୍ତା ଆଣି ଦେଉଛି । ମୁଁ ରାଜପୁତ, ରାଜାଙ୍କ ଅନ୍ନରେ ଦେହର ପଞ୍ଜର ପରିପୁଷ୍ଟ, ଶୋଣିତର ସ୍ଫୀତ—ଏକଦିଗରେ ପ୍ରଭୁକନ୍ୟାର ଉଦ୍ଧାରାର୍ଥେ ଧର୍ମର ଆହ୍ୱାନ, ଅନ୍ୟ ଦିଗରେ ଶଯ୍ୟାରେ ମୁମୂର୍ଷୁ ପତ୍ନୀ, କର୍ତ୍ତବ୍ୟର ବନ୍ଧନ, କଣ କରିବି ? କେଉଁ ପଥ ଅବଲମ୍ୱନ କରିବି ? ଆଜି ମୋର ଏହି ମହାସଂକଟ କାଳରେ ଏହି ଅନ୍ଧକାର ପ୍ରଶ୍ନର ମୀମାଂସା କରି କିଏ ପଥ ଦେଖାଇ ଦେବ ?

 

 

ମାୟା—

ମୁଁ ଦେବିନାଥ । ଯଦି ଭଗବାନଙ୍କର ଅଭିସମ୍ପାତ ନ ନେଇ ଆଶୀର୍ବାଦ ନେବାକୁ ଚାହଁ, ଯଦି ରାଜପୁତ ବୋଲି ପରିଚୟ ଦିଅ, ଯଦି ରାଜପୁତ ଇତିହାସ ବିସ୍ମୃତ ନ ହୁଅ, ଯଦି ଚିରାଙ୍କିତ କୃତଘ୍ନତାର ଘନଘୋର ମସୀ-ବର୍ଣ୍ଣରେ ଆତ୍ମାକୁ କଳୁଷିତ କରିବାର ଇଚ୍ଛା ନ ଥାଏ, ଯଦି ରାଜପୁତ ନାମରେ ଘୃଣା ଉଦ୍‍ଗୀରଣ କରିବାକୁ ନ ଚାହଁ, ତେବେ ତୁମ୍ଭର ବିପନ୍ନା ପ୍ରଭୁକନ୍ୟାର ସାହାଯ୍ୟାର୍ଥ ଏହି ମୁହୂର୍ତ୍ତରେ ଧାଅଁ, ମସ୍ତକ କୀର୍ତ୍ତିର ମୁକୁଟରେ, ଦେହ ଯଶର ପରିଚ୍ଛଦରେ, ଆତ୍ମା ଧର୍ମର ଭୂଷଣରେ ଅଳଙ୍କୃତ ହେବ । ତୁମ ନାମ ସ୍ମରଣଦ୍ୱାରା ମାନବରେ ଶ୍ରୀ ଫୁଟିଉଠିବ । ଯାଅ ସ୍ୱାମୀ, ଏହି ମୁହୂର୍ତ୍ତରେ ଯାଅ, ଲକ୍ଷ ସ୍ତ୍ରୀ, ଲକ୍ଷ ସାମ୍ରାଜ୍ୟ ଓ ସ୍ୱାର୍ଗାପେକ୍ଷା ବିପନ୍ନାକୁ ରକ୍ଷା କୋଟିଗୁଣରେ ଶ୍ରେଷ୍ଠ । ଯାଅ ସ୍ୱାମୀ ଯାଅ, ବିଦ୍ୟୁତଗତିରେ ଯାଅ—

 

 

ଦି—

ଠିକ୍‍ କହିଲ, ଧନ୍ୟ ତୁମ୍ଭେ ଆଦର୍ଶରୂପିଣୀ କର୍ତ୍ତବ୍ୟମୟୀ ପତ୍ନୀ ! ଅଜା, ଗଲି, ତୁମ ହାତରେ ମୋର ଜୀବନ-ପ୍ରଦୀପଟି ଦେଇ ଗଲି । ତାକୁ ନିଭିବାକୁ ଦେବ ନାହିଁ ।

 

 

(ସୁଦୀର୍ଘ ଯଷ୍ଠିଗୋଛା ହାତରେ ଦିଲ୍ଲୀପ ଅଦୃଶ୍ୟ ହେଲେ)

 

ତୃତୀୟ ଦୃଶ୍ୟ (ପଥ)

 

(ଜମିଦାର ହରିନାରାୟଣଙ୍କ ପ୍ରାସାଦ ଦ୍ୱାରରେ ରାଜା ତୋଡ଼ରମଲ୍ଲ ଛଦ୍ମ ବେଶରେ)

 

 

ପ୍ରହରୀ—

ତୁମେ କିଏ ?

 

 

ତୋଡ଼ରମଲ୍ଲ—

ମୁଁ ମୁସାଫେର ।

 

 

ପ୍ର—

ଏତେ ରାତିରେ ଏଠାରେ କାହିଁକି ?

 

 

ତୋ—

ଆଶ୍ରୟପାଇଁ ।

 

 

ପ୍ର—

ଏଠାରେ ଆଶ୍ରୟ ମିଳିବ ନାହିଁ, ଅନ୍ୟତ୍ର ଦେଖ ।

 

 

ତୋ—

ତୁମେ କଣ କ୍ଷତ୍ରିୟ ?

 

 

ପ୍ର—

ହଁ, ମୁଁ କ୍ଷତ୍ରିୟ ।

 

 

ତୋ—

ତୁମର ପ୍ରଭୁ ?

 

 

ପ୍ର—

କ୍ଷତ୍ରିୟ କେବେ ଅନ୍ୟ ଜାତିର ଦାସତ୍ୱ କରେନାହିଁ ।

 

 

ତୋ—

କ୍ଷତ୍ରିୟ କେବେ ଅତିଥିକୁ ବିମୁଖ କରେନାହିଁ । ତୁମର ପ୍ରଭୁ ପଶୁ, ସେଥିପାଇଁ ଭୃତ୍ୟଗୁଡ଼ିକଙ୍କୁ ସେହି ଉପାଦାନରେ ଗଠିତ କରାଯାଇଅଛି ।

 

 

ପ୍ର—

କଣ କହିଲ ମୁସାଫେର ? (ପ୍ରହରୀ କୋଷ ମଧ୍ୟରୁ ଅସି ବାହାର କରିବା—ମୁସାଫେର କିଞ୍ଚିତ୍‍ ଦୂର ଘୁଞ୍ଚି ଛିଡ଼ା ହେବା—ପ୍ରହରୀ କ୍ରୋଧ ଦମନ କରି ନା, ତୁମେ ମୁସାଫେର, କିନ୍ତୁ ସାବଧାନ, ଦ୍ୱିତୀୟଥର ଏପରି ବାକ୍ୟ ଉଚ୍ଚାରଣ କଲେ ତୁମର ମସ୍ତକ ଦ୍ୱିଖଣ୍ଡିତ ହେବ । ମୋର ପ୍ରଭୁ କ୍ଷତ୍ରିୟ କି ନୁହନ୍ତି ଏବଂ ତାଙ୍କ ଭୃତ୍ୟଠାରେ କ୍ଷତ୍ରିୟର ତେଜ ଅଛି କି ନାହିଁ, ତୁମର ଶୋଣିତ ଦ୍ୱାରା ଏହା ଧରଣୀ ବକ୍ଷରେ ଲିଖିତ ରହିବ ।

 

 

(ଏପରି ସମୟରେ ଦ୍ୱିତଳର ଗୋଟିଏ କୋଠରୀର ଝରକା ସଶବ୍ଦରେ ଉନ୍ମୁକ୍ତ ହେଲା)

 

 

ରମଣୀ—

ପ୍ରହରୀ !

 

 

ପ୍ର—

ମା ।

 

 

ର—

ଏତେ ରାତିରେ କି ଗଣ୍ଡଗୋଳ ?

 

 

ପ୍ର—

ଜଣେ ମୁସାଫେର ଆସି ବୃଥାରେ ବିରକ୍ତି କରୁଛି । ଯିବାକୁ କହିଲେ ଯାଉ ନାହିଁ ।

 

 

ର—

ମୁସାଫେର, ତୁମେ କଣ ଚାହଁ ?

 

 

ମୁ—

ଆଶ୍ରୟ ।

 

 

ର—

ନା ।

 

 

ମୁ—

ତେବେ ଗୋଟିଏ କଥା ପଚାରିବି । ତାର ସତ୍ୟ ଉତ୍ତର ଦେବେ, ମିଥ୍ୟା କହିବ ନାହିଁ ।

 

 

ର—

ରାଜପୁତ କନ୍ୟା ମିଥ୍ୟା ଜାଣେ ନାହିଁ । ଏପର୍ଯ୍ୟନ୍ତ ମଧ୍ୟ ଶିଖିନାହିଁ । ତୁମେ ଯବନ, ତେଣୁ ଏପରି ପ୍ରଶ୍ନ କରୁଛ ।

 

 

ମୁ—

ତେବେ ସତ୍ୟ କହ ରାଜପୁତକନ୍ୟା—ପଳାୟିତ ପଠାଣପତି ଦାଉଦଖାଁକୁ ତୁମେ ଆଶ୍ରୟ ଦେଇଛ କି ?

 

 

ର—

ଦେଇଛି ।

 

 

ମୁ—

(ଅତି ବିସ୍ମୟରେ) ଆଶ୍ରୟ ଦେଇଛ ?

 

 

ର—

ହଁ ଆଶ୍ରୟ ଦେଇଛି । ଏଥିରେ ବିସ୍ମୟର କାରଣ କିଛି ନାହିଁ । ରାଜପୁତ ପୁରୁଷ ବା ରମଣୀ ଯେଉଁଦିନ ଆଶ୍ରୟର୍ଥିକୁ ବିମୁଖ କରିବ, ସେ ଦିନଠାରୁ ଏ ଚନ୍ଦ୍ର ଓ ତାରକାଗୁଡ଼ିକ ଆକାଶରେ ଉଦୟ ହେବେ ନାହିଁ । ଗଭୀର ମର୍ମଯାତାନାରେ ଅନ୍ଧକାର ମଧ୍ୟରେ ମୁଖ ଗୁଞ୍ଜିବେ । କିନ୍ତୁ ମୁସାଫେର, ତୁମର ଏ ସମ୍ବାଦରେ ପ୍ରୟୋଜନ କଣ ? ମୁଁ ଏହା ଜାଣିବାକୁ ଚାହେଁ ।

 

 

ମୁ—

ମୁଁ ଜାଣିବାକୁ ଚାହେଁ, ତୁମ୍ଭେ ନବାବ ଦାଉଦ ଖାଁକୁ ତ୍ୟାଗ କରିବ କି ନାହିଁ ?

 

 

ର—

ତୁମେ ମୁସାଫେର, ତୁମର ଏ ପ୍ରଶ୍ନରେ କି ଅଧିକାର ? ତୁମ୍ଭେ କିଏ ?

 

 

ମୁ—

ମୁଁ ମୋଗଲ ସହକାରୀ ସେନାପତି ରାଜା ତୋଡ଼ରମଲ୍ଲଙ୍କ ଅନୁଚର ।

 

 

ର—

ତେବେ ତୁମର ସେହି ମୋଗଲପଦଲେହୀ ପ୍ରଭୃ ତୋଡ଼ରମଲ୍ଲଙ୍କୁ ପଠାଇ ଦିଅ । ଏ ପ୍ରଶ୍ନର ଉତ୍ତର ତାଙ୍କୁ ଦେବି ।

 

 

ମୁ—

ତେବେ ଉତ୍ତର ଦିଅ । (ଏହା କହି ଛଦ୍ମବେଶ ପରିତ୍ୟାଗ କରି ଅସ୍ତ୍ରଶସ୍ତ୍ର ସହ ନିଜ ବେଶ ଧାରଣ କରି କହିଲେ)—ରମଣି, ମୁଁ ରାଜା ତୋଡ଼ରମଲ୍ଲ, ବର୍ତ୍ତମାନ ମୋ ପ୍ରଶ୍ନର ଉତ୍ତର ଦିଅ ।

 

 

ର—

ମୁଁ ରମଣୀ ହେଲେ ମଧ୍ୟ ରାଜା ତୋଡ଼ରମଲ୍ଲ ପରି ଏପର୍ଯ୍ୟନ୍ତ ମୋଠାରେ ହୀନତା ପ୍ରବେଶ କରି ନାହି । ଶରୀରରେ ଶୋଣିତ ଥିବାଯାଏ ରାଜପୁତ ରମଣୀ ଆଶ୍ରୟାର୍ଥୀକୁ କେତେବେଳେ ପରିତ୍ୟାଗ କରିବ ନାହିଁ ।

 

 

ରାଜା—

ସ୍ପର୍ଦ୍ଧିତାନାରୀ, ବର୍ତ୍ତମାନ ଚିନ୍ତା କର । ବିବେଚନା କରି କାର୍ଯ୍ୟ କର । ନୋହିଲେ ସମୂହ ବିପଦ ଘଟିବ ।

 

 

ର—

ମୋର ବିବେକଶକ୍ତିକୁ ତ ଅର୍ଥବିନିମୟରେ ମୁଷଳମାନ ପଦରେ ଢାଳି ଦେଇ ନାହିଁ । ବିପଦ ତୁମର । ଦାଉଦ ଖାଁକୁ ଧରି ନ ପାରିଲେ ତୁମର ମୋଗଲ ପ୍ରଭୁ ଆକବର ଖାଁ ରୁଷ୍ଟ ହେବ । ହୁଏତ କ୍ରୋଧରେ ପାଦୁକା ପ୍ରହାର କିମ୍ବା ବେତ୍ରାଘାତ କରିବେ । ଏହା ନ ହେଲେ ବେତନ କାଟିବେ । ତେଣୁ କହିଲି, ବିପଦ ତୁମର, ମୋର ନୁହେଁ । ରାଜପୁତରମଣୀ ପ୍ରାଣର ମମତା ରଖେ ନାହିଁ କିମ୍ୱା ବିପଦକୁ ଭୟ କରେ ନାହିଁ ।

 

 

ରା—

(ଅତି କ୍ରୋଧରେ କୋଷରେ ଅସି ଝଣତ୍‍କାର କରି)ସ୍ୱେଚ୍ଛାରେ ଦାଉଦ ଖାଁକୁ ମୋ ହସ୍ତରେ ସମର୍ପଣ ନ କଲେ ବଳପ୍ରୟୋଗ କରିବାକୁ ବାଧ୍ୟ ହେବୁଁ ।

 

 

ର—

ରାଜା, ତାହା ମୁଁ ଜାଣେ, ତେବେ ଏତେ ବିଳମ୍ବ, ଏପରି ଛଦ୍ମବେଶ ଓ ଏପରି କପଟତାର ପ୍ରୟୋଜନ କଣ ଥିଲା ? ତୁମ୍ଭର ଯାହା ଇଚ୍ଛା ତାହା କର, ତଥାପି ନବାବଙ୍କୁ ତୁମ ହସ୍ତରେ କଦାପି ସମର୍ପଣ କରିବି ନାହିଁ ।

 

 

ରା—

ଉତ୍ତମ—(ରାଜା ବଂଶୀଧ୍ୱନି କଲେ । ତତ୍‍କ୍ଷଣାତ୍‍ ୫୦ଜଣ ଅଶ୍ୱାରୋହୀ ରାଜାଙ୍କ ସମ୍ମୁଖରେ ଆସି ସସମ୍ମାନରେ ଅଭିବାଦନ କଲେ ।)

 

 

ରା—

ସୈନ୍ୟଙ୍କ ପଛକୁ ଯାଇ କହିଲେ—

 

 

ରା—

ସୈନ୍ୟଗଣ—ଏହି ଅଟ୍ଟାଳିକା ମଧ୍ୟରେ ନବାବ ଦାଉଦ ଖାଁ ଲୁଚି ରହିଅଛନ୍ତି । ତାଙ୍କର ସନ୍ଧାନ ନିଅ, ଯଦି କେହି ବାଧାଦିଏ ଅ..ଦ୍ୱାରା ସେ ବାଧା ବିଦୂରିତ କର-। ଯାଅ–

 

 

ର—

ଉଚ୍ଚକଣ୍ଠରେ—ବେନୁ !

 

 

ବେ—

ମା !

 

 

ର—

କେତେ ଜଣ ପ୍ରହରୀ ଅଛ ?

 

 

ବେ—

ଦଶ ଜଣ ।

 

 

ର—

ଉତ୍ତମ—ଏହି ଶୃଗାଳଗୁଡ଼ିକ ଏଠାରେ ବଡ଼ କୋଳାହଳ କରୁଅଛନ୍ତି, ଏଗୁଡ଼ାଙ୍କୁ ତଡ଼ି ଦିଅ । ଯେପରି ସେଗୁଡ଼ାକ ରାଜପୁତ ଶୌର୍ଯ୍ୟ-ପ୍ରାକାର ରକ୍ଷିତ ଧର୍ମ-ଅଟ୍ଟାଳିକା ମଧ୍ୟରେ ପ୍ରବେଶ କରି ନପାରନ୍ତି । ଅସି ରଖି ବାଡ଼ି ନିଅ । ଯଦି ରାଜପୁତ ଅଟେ, ଯଦି ନିର୍ମଳ ଓ ଉଷ୍ମ ଶୋଣିତର ପ୍ରବାହ ଥାଏ ତେବେ ପୃଷ୍ଠଦେଶ ଅସ୍ତ୍ରରେଖାଦ୍ୱାରା ଅଙ୍କିତ କର ନାହିଁ । ଯଦି ଏହି ଦଶଜଣ ଅର୍ଦ୍ଧେକ ମୋଗଲ ସୈନ୍ୟ ନିହତ କରି ନପାର, ବୁଝିବି ତୁମେମାନେ ମନୁଷ୍ୟ ନୁହଁ । ରାଜପୁତର ଶକ୍ତି ଓ ବୀରତ୍ୱ ହରାଇ ଏହି ଶୃଗାଳ ସମାନ ହୋଇଅଛି ।

 

 

(ସଜୋରେ ସୁବୃହତ୍‍ ଯଷ୍ଟି ଭୂମିରେ କଚାଡ଼ି ସଗର୍ବେ ବେନୁ କହିଲା ।)

 

 

ବେନୁ—

ନିଶ୍ଚିନ୍ତ ଥାଅ ମା’, ଆମେମାନେ ମନୁଷ୍ୟ ।

 

 

(ବେନୁ ଅଗ୍ରଗାମୀ ହୋଇ ମୋଗଲ ସୈନ୍ୟର ସମ୍ମୁଖୀନ ହେଲା । ଆଉ ସବୁ ପ୍ରହରୀ ପଛରେ ରହିଲେ । ଯୁଦ୍ଧ ଚଳିଲା ଭୀଷଣ ଲଗୁଡ଼ାଘାତରେ ଯବନ ସୈନ୍ୟଙ୍କ ହସ୍ତରୁ ଅସି ସ୍ଖଳିତ ହେଲା)

 

 

ରାଜା—

(ସ୍ୱଗତ)ଏହି ମତ୍ତହସ୍ତିର ବଳସମ୍ପନ୍ନ, କେଶରୀସମ ନିର୍ଭୀକ ଦଶଜଣ ବୀର ଆଉ ଅଧିକକ୍ଷଣ ଏହିପରି ଆତ୍ମପ୍ରାଣ ତୁଚ୍ଛକରି ଯୁଦ୍ଧ କଲେ ଆମର ପରାଜୟ ଅସମ୍ଭବ ନୁହେଁ । ଆଜି ଯଦି ମୁଁ ଏହି ଦଶଜଣ ବୀରଙ୍କ ନିକଟରେ ପରାଜିତ ହୁଏ, ତାହାହେଲେ ଦେଶପୂର୍ଣ୍ଣ ଦୁର୍ନାମରେ ମୋର ଜୀବନର ସଫଳତା-ସୋପାନ ଚୂର୍ଣ୍ଣବିଚୂର୍ଣ୍ଣ ହେବ । ରାଜା ନିଜେ ଯୁଦ୍ଧ କଲେ । କ୍ରମେ କ୍ରମେ ପ୍ରହରିମାନେ ଲଗୁଡ଼ ପକାଇ ଭୂପତିତ ହେଲେ । ଅର୍ଦ୍ଧକ ମୋଗଲସୈନ୍ୟ ମଧ୍ୟ ଭୂପତିତ ହେଲେ ।

 

 

(ରାଜା ଅବଶିଷ୍ଟ ସୈନ୍ୟ ସହ ଅଟ୍ଟାଳିକା ମଧ୍ୟକୁ ପ୍ରବେଶ କରିବାକୁ ଆରମ୍ଭ କରିବା ମାତ୍ରକେ)

 

 

ରମଣୀ—

(ଚିତ୍କାର କରି) ଆଶ୍ରୟାଥକୁ ରକ୍ଷା କରିବାଲାଗି, ରାଜପୁତ୍‍ରମଣୀର ସତ୍ୟରକ୍ଷା କରିବାକୁ ଏଠାରେ କଣ କେହି ଜଣେ ନାହିଁ ?

 

 

ଦିଲ୍ଲୀପ ସିଂହ—

ମୁଁ ଅଛି ମା’—ଆଦେଶ କର ମା’ ।

 

 

ର—

ପ୍ରଭୁଭକ୍ତ ସର୍ଦାର, ଏ ଆଦେଶ ନୁହେଁ—ମୃତ୍ୟୁ । ଏତେଗୁଡ଼ିଏ ମୋଗଲ ସୈନ୍ୟ ସଙ୍ଗରେ ଏକାକୀ ଯୁଦ୍ଧଦାନ ଏବଂ ମୃତ୍ୟୁକୁ ବରଣ କରିବା ଏକ କଥା ।

 

 

ଦି—

ମା, ତୁମ ଅନ୍ନରେ ଏ ଦେହ ପୁଷ୍ଟ, ସ୍ନେହୋଚ୍ଛ୍ୱାସରେ ବର୍ଦ୍ଧିତ । ଆଦେଶ ଦିଅ ମା, ତୁମ ଆଦେଶରେ ପ୍ରାଣବଳି ଦେଇ ପ୍ରାଣଦ୍ୱାରା ପ୍ରାଣପ୍ରତିଷ୍ଠା କରେଁ ।

 

 

ର—

ରାଜପୁତ୍‍ ଗରିମାର ପୂର୍ଣ୍ଣ ପ୍ରତିମୂର୍ତ୍ତି କର୍ତ୍ତବ୍ୟପରାୟଣ ସର୍ଦାର, ଅଟ୍ଟାଳିକାଦ୍ୱାରା ରକ୍ଷାକର । ତୁମ ପ୍ରଭୁକନ୍ୟାର ଏହି ଶେଷ ଆଦେଶ ପାଳନ କର । ଯେତେକ୍ଷଣ ପାର ବାଧା ଦିଅ । ଇତ୍ୟବସରେ ପିତା ସସୈନ୍ୟରେ ଉପସ୍ଥିତ ହୋଇପାରନ୍ତି ବିଳମ୍ବ କରନାହିଁ । ହୃଦୟରେ ଭୀଷ୍ମର ଦୃଢ଼ତା ଆଣ । ରାଜପୁତ ମହିମାଦ୍ୱାରା ମୋଗଲସୈନ୍ୟ ଆକ୍ରମଣ କର । (ଏକ ଦିଗରେ ୨୫ ଜଣ ମୋଗଲ ସୈନ୍ୟ ଅନ୍ୟ ପକ୍ଷରେ ବୃଦ୍ଧ ଦିଲ୍ଲୀପ । ବୃଦ୍ଧର ଅବସାଦ ନାହିଁ, ଯେପରି ସେ ଅସୁରବଳରେ ବଳୀୟାନ୍‍ । ଯୁଦ୍ଧ ଚାଲିଲା ।)

 

 

ରାଜା—

(ବିସ୍ମୟରେ) ବୃଦ୍ଧର କି ଅମିତବିକ୍ରମ ! (ଉଚ୍ଚକଣ୍ଠରେ)ବୃଦ୍ଧ, କ୍ଷାନ୍ତ ହୁଅ । କାହିଁକି ବୃଥାରେ ପ୍ରାଣ ହରାଇବ ?

 

 

ବୃଦ୍ଧ—

ହୃତ୍‍ପିଣ୍ଡର ସ୍ପନ୍ଦନ ସ୍ତବ୍ଧ ନ ହେବାଯାଏ ମୁଁ କ୍ଷାନ୍ତ ହେବି ନାହିଁ । ବୃଥା ନୁହେଁ ରାଜା, ଏହା ରାଜପୁତ୍‍ କୀର୍ତ୍ତିର ସ୍ମୃତିପ୍ରତିଷ୍ଠା ।

 

 

ରାଜା—

(ଉତ୍ତର ଶୁଣି ବିସ୍ମିତ ହୋଇ ଉଚ୍ଚକଣ୍ଠରେ) ସୈନ୍ୟଗଣ, ବୃଦ୍ଧକୁ କେହି ଆଘାତ କର ନାହିଁ । ଯଷ୍ଟି କାଢ଼ି ନେଇ ବନ୍ଦୀ କର ।

 

 

ର—

(ବୃଦ୍ଧ ବନ୍ଦୀ ହେବା ଦେଖି)

 

 

(ରମଣୀ ଅସିହସ୍ତରେ ଦ୍ୱାରଦେଶରେ ଦଣ୍ଡାୟମାନ)

 

 

ରା—

ଇଏ କଣ ? ଆଲୁଳାୟିତକୁନ୍ତଳା, ପୂର୍ଣ୍ଣାଳଙ୍କାରବିଭୂଷିତା ଶତଶଶିରଶ୍ମିପ୍ରଭାନ୍ୱିତା, ଉଜ୍ଜ୍ୱଳବେଶପରିହିତା, ତୀକ୍ଷ୍‍ଣ ଅସିଧୃତା ଅପୂର୍ବ ରମଣୀମୂର୍ତ୍ତି ! ଓଃ ! ଏହାର ନୟନରେ ପ୍ରତିହିଂସାର ଲେଲିହାନ ବହ୍ନିଶିଖା, ବଦନରେ ଦୃଢ଼ତାର ଦୀପ୍ତି, ସର୍ବାଙ୍ଗରେ ଅପୂର୍ବ ଦେବୀଜ୍ୟୋତି, ଜଗଦ୍ଧାତ୍ରୀ, ଜଗଜ୍ଜନନୀ କଣ ଆଶ୍ରିତ ରକ୍ଷଣାର୍ଥ ମାନବୀମୂର୍ତ୍ତିରେ ଅସିହସ୍ତରେ ଅବତୀର୍ଣ୍ଣା ?

 

 

ରା—

ରାଜା—ମୁଁ ଏ ପର୍ଯ୍ୟନ୍ତ ଅଛି । ମୋତେ ପରାଜିତ ନ କରି ଏ ଅଟ୍ଟାଳିକା ପ୍ରବେଶ କରି ପାରିବ ନାହିଁ ।

 

 

ରା—

ମୁଁ କର୍ତ୍ତବ୍ୟର ଆଜ୍ଞାବହ । ପ୍ରଭୁଙ୍କ କାର୍ଯ୍ୟ ସମ୍ପାଦନ ପାଇଁ ବାଧ୍ୟ । ଦ୍ଵାର ତ୍ୟାଗ କର, ରମଣୀକୁ ଆକ୍ରମଣ କରିବା ବାଞ୍ଛନୀୟ ନୁହେଁ ।

 

 

ର—

ରାଜା, ରମଣୀ ମୁଁ, ନା ପୁରୁଷବେଶଧାରୀ ରମଣୀ ତୁମ୍ଭେ ? ପଳାୟିତ ବନ୍ଦୀ ଜଣକୁ ଧୃତ କରିବାକୁ ଏତେ ସୈନ୍ୟ ନେଇ ସେ ଆସେ, ସେ କି ପୁରୁଷ ? ଆଉ କେତେକ ବିବେକ ବୋଲି କହୁଛ କେତେ ? ବିବେକର ନାମ ମୁଖରେ ଆଣ ନାହିଁ ରାଜା । ଆପଣାର ସ୍ଵାଧୀନତା ସିଂହାସନ ପୁଣି ସ୍ୱର୍ଗାଦପି ଗରୀୟସୀ ଯେଉଁ ଜନ୍ମଭୂମି, ଅର୍ଥ ବିନିମୟରେ ଯବନ ଚରଣରେ ଦେଇ, ଧର୍ମ ମୋକ୍ଷ ଆଦି ସବୁ ବୁଡ଼ାଇ ଦେଇ ରାଜପୁତ୍‍ ଜାତିର ପୂତ ଗରିମା ସାଗରରେ ଭସାଇ ଦେଇ କେଉଁ ମୁଖରେ କଥା କହ ? ବୀରତ୍ୱ ଗୌରବମୟ ରାଜସ୍ଥାନ ଅଙ୍ଗଗଳିତ କ୍ଷତରେ ବିକୃତ କରି ରାଜବାଡ଼ ଅମଳ ବତାସରେ କଳଙ୍କିହିଲ୍ଲୋଳ ଢାଳି ପୂତଗନ୍ଧମୟ କରି ଯବନଚରଣ ପ୍ରାନ୍ତରେ ଜାନୁପାତି ବସି କ୍ରୀତଦାସ ତୁଲ୍ୟ ଆତ୍ମବିକ୍ରୟ କରି ଲଜ୍ଜା ଛାଡ଼ି ଅଛି । ବାକ୍ୟଘଟା ଛାଡ଼, ମୌଖିକ ମହତ୍ୱ ଦେଖାଇବାର କିଛି ପ୍ରୟୋଜନ ନାହିଁ । ହେ ଯବନ ସେନାପତି ! ଆସ, ଆଜି ରାଜପୁତ୍‍ କନ୍ୟାର ଶକ୍ତି ଦେଖ ।

 

 

 

ଦାଉଦ ଖାଁ ପଦାକୁ ଆସି କହିଲେ—

 

 

 

ଜନନୀ ! ତୁମର ପୁତ୍ର ଏତେ ହୀନ ନୁହେ ଯେ, ମାତାର ପ୍ରାଣ ବିନିମୟରେ ଶୃଗାଳ ପରି ପଳାୟନ କରି ରମଣୀର ଆଶ୍ରୟ ଲଭି ନିଜ ପ୍ରାଣରକ୍ଷା କରିବ । ସେ ଏପରି କାପୁରୁଷ ନୁହେ । ଭାବିଥିଲି, ଆଜି ଯଦି ପ୍ରାଣ ରଖିପାରେଁ, ତେବେ ଏହି ଅପମାନ କଳଙ୍କ ମୋଗଲ ଶୋଣିତରେ ଧୌତ କରିଥାନ୍ତି ଏହା ମୋର ସତ୍ୟ ସତ୍ୟ । ଆଶା ଥିଲେ, ପଠାଣ ସାମ୍ରାଜ୍ୟ-ଲୌହ-ଭିର୍ତ୍ତି ଚିରଦିନ ଏପରି ପ୍ରୋଥିତ କରିଥାନ୍ତି, ଯାହା ଧରିତ୍ରୀ କମ୍ପନରେ ହିମାଳୟ ଭାରରେ ଅବିଚଳିତ ରହିଥାନ୍ତି; ପୁଣି ଇଚ୍ଛାଥିଲା—ପଳାୟିତ ସୈନ୍ୟବୃନ୍ଦ ଏକତ୍ର କରି ତାଙ୍କ ପ୍ରାଣରେ ନବଶକ୍ତି ସଞ୍ଚାର କରି ଏକ ବିପୁଳ ଶକ୍ତି ଉଦ୍ଭବ କରିଥାନ୍ତି, ଏ ଆଶାରେ ତୁମ ଆଶ୍ରୟ ନେଇଥିଲି, ମାତ୍ର ତୁମ ପ୍ରିୟ ଅଟ୍ଟାଳିକା ମଧ୍ୟରେ ଭୀଷଣ ଅଗ୍ନିସଂଯୋଗ କରି ବଞ୍ଚିବା ଶ୍ରେୟ ନାହିଁ ଆସ, ରାଜା ଆକ୍ରମଣ କର, ହସ୍ତରେ ଅସ୍ତ୍ର ଥିଲେ ପଠାଣ ହୃଦୟ କେବେ ବନ୍ଦୀତ୍ୱ ସ୍ୱୀକାର କରେ ନାହିଁ । ଆସ, ରାଜା ଆକ୍ରମଣ କର ।

 

 

(ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେଲା ।)

 

 

[ରାଜାଙ୍କ ଭୀଷଣ ଅସିପ୍ରହାରରେ ନବାବଙ୍କ ଅସି ସ୍ଖଳିତ ହେଲା ।]

 

 

 

(ଉଚ୍ଚକଣ୍ଠରେ ରାଜା ଆସି କହିଲେ—ବନ୍ଦୀ କର ।)କାହାର ସାଧ୍ୟ ବନ୍ଦୀ କରିବ । (ଏହା କହି ଉନ୍ମୁକ୍ତ ଅସି ହସ୍ତରେ ରମଣୀ ନବାବଙ୍କ ସମ୍ମୁଖରେ ଦଣ୍ତାୟମାନ ।)

 

 

ଦାଉଦ ଖାଁ—

(ବ୍ୟଥିତ ହୃଦୟରେ କାତର କଣ୍ଠରେ) ମା, ଭାଗ୍ୟଚକ୍ରରେ ନିପୀଡ଼ିତ ହତଭାଗ୍ୟ ସନ୍ତାନ ପାଇଁ, କାହିଁକି ମା’ ତୁମର ଅମୂଲ୍ୟ ପ୍ରାଣ ହରାଇବ? ଆଉ ପ୍ରାଣ ଦେଇ ମଧ୍ୟ ମୋତେ ରକ୍ଷା କରି ପାରିବନାହିଁ । ମୋର ମୁକ୍ତି ବିଧାତଙ୍କର ଅଭିପ୍ରେତ ନୁହେଁ । ତୁମର ଶତଚେଷ୍ଟା ବିଫଳ ହେବ । ଘୁଞ୍ଚିଯାଅ । ମୋଗଲ ମତେ ଚାହେ । ମୋତେ ପାଇଲେ ସେ ସନ୍ତୁଷ୍ଟ ହୋଇ ଚାଲିଯିବ । ତୁମର ଶାନ୍ତିପୂର୍ଣ୍ଣ ରାଜ୍ୟରେ ଆଉ ଅଗ୍ନି ଜଳିବ ନାହିଁ ।

 

 

ରମଣୀ—

ଆଗ୍ନେୟଗିରି ପ୍ରବାହ ନେଇ ଆକାଶ ରଙ୍ଗେଇ, ବତାଶ ପ୍ରତପ୍ତ କରି ବ୍ୟୋମସ୍ପର୍ଶୀ ଲୋଳଶିଖା ବିସ୍ତାର କରି ସାଗର ହୃଦୟ ଉତ୍ତାପରେ ଶୁଷ୍କ କରି ବିଶ୍ୱସଂହାର ମୂର୍ତ୍ତିର ଉଚ୍ଛ୍ୱାସରେ ପ୍ରବଳ ସ୍ୱନରେ ପ୍ରଖର ରୂପରେ ଅଗ୍ନି ଜଳିଉଠୁ , ତଥାପି ଆଶ୍ରୟାର୍ଥୀକୁ ମୁଁ ଏକାକୀ ନିରସ୍ତ୍ରଭାବରେ ଶତ୍ରୁକବଳରେ କେବେ ନିକ୍ଷେପ କରିବ ନାହିଁ । ସାମ୍ରାଜ୍ୟ, ଐଶ୍ୱର୍ଯ୍ୟ, ସୁଖଶାନ୍ତି ଭାସିଯାଉ, ତାହା ରସାତଳେ ବୁଡ଼ିଯାଉ, କଦାପି ଘୁଞ୍ଚିବି ନାହିଁ । ରାଜପୁତ୍‍ ବାଳିକା ମୁଁ, ମସ୍ତକରେ ଧର୍ମମୁକୁଟର ଚରଣ ଦିଓଟି ରହୁ । ଯେଉଁ ଦେଶ ଧର୍ମଚନ୍ଦ୍ରାତପ ତଳରେ ରହିଛି, ଧର୍ମମୃତ୍ତିକାରେ ଯେଉଁ ଦେଶ ଗଢ଼ା ଅଟେ, ଯେଉଁ ଦେଶରେ ପ୍ରତି ପର୍ବତରେ ସର୍ବଦା ସାମାଗାନ ପ୍ରତିଧ୍ୱନିତ ହୁଏ, ଯେଉଁ ଦେଶରେ ନର ବାରି ସ୍ପର୍ଶି ମୁକ୍ତି ଲଭେ, ଯେଉଁ ଦେଶରେ ଆତିଥେୟତା ଆଶ୍ରୟାର୍ଥୀ ରକ୍ଷା, ଆତ୍ମୋତ୍ସର୍ଗ, ସ୍ୱାର୍ଥବଳୀ ଶିକ୍ଷା ଅଟେ, ଯେଉଁଠାରେ ଦେବଗଣ ଜନ୍ମଗ୍ରହଣ କରି ଧନ୍ୟ ହୁଅନ୍ତି, ସେହି ମହାପୁଣ୍ୟ ଆର୍ଯ୍ୟାବର୍ତ୍ତରେ ମୋର ଜନ୍ମ । ଯେଉଁଠାରେ ହାସ୍ୟମୟ ମୁଖରେ ରମଣୀ ଧର୍ମରକ୍ଷାର୍ଥ ଭୀଷଣ ଅନଳକୁ ସ୍ନେହରେ ପ୍ରିୟଜନ ପରି ଆଲିଙ୍ଗନ କରେ, ଯେଉଁ ଦେଶରେ ରମଣୀ ସ୍ୱାମୀ-ସନ୍ତାନକୁ ସ୍ୱହସ୍ତରେ ବୀରବେଶରେ ସୁସଜ୍ଜିତ କରି ରଣକ୍ଷେତ୍ରକୁ ପଠାଇଦିଏ, ଯେଉଁଠାରେ ବିଧିନିୟମ ରମଣୀର ଧର୍ମ ପ୍ରଭାବରେ ପରିବର୍ତ୍ତିତ ହୁଏ, ଯେଉଁ ରାଜପୁତର ଜୀବନରେ ଏକ ବୀରତ୍ୱର ଉପାସନା, ଯାହାର ମୂଳମନ୍ତ୍ର ସ୍ୱାଧୀନତା, ଯେଉଁ ରାଜପୁତ ଲଲାଟରେ ଅଙ୍କିତ ଅସଂଖ୍ୟ କୀର୍ତ୍ତିରେଖା ସ୍ତରେ ସ୍ତରେ ରଖିଲେ ଆକାଶଭେଦ, ସେହି ରାଜପୁତ୍‍ ନାରୀ ମୁଁ । ହେ ରାଜନ୍‍, ମୋତେ ହତ୍ୟା ନକରି ଆଜି ନବାବ ଶରୀର କେଭେଁ ସ୍ପର୍ଶ କରିପାରିବ ନାହିଁ ।

 

 

ରାଜା—

ଧନ୍ୟ ତୁମେ ରାଜପୁତକନ୍ୟା, ଏ ମୂର୍ତ୍ତି ଜୀବନରେ ଦେଖିନାହିଁ କି ଭୁଲିବି ନାହିଁ । ଯେଉଁ ରାଜା ତୋଡ଼ରମଲ୍ଲର ବାହୁବଳରେ ଶତଶତ ରାଜ୍ୟ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଅଛି, ଯାହାର ପ୍ରତାପରେ ଶତଶତ ମୁକୁଟ ରାଜମସ୍ତକରୁ ସ୍ଖଳିତ ହୋଇ ଭୂଲୁଣ୍ଠିତ ହୋଇଅଛି, ଯାହାର ଶକ୍ତିଦର୍ଶନରେ ସମଗ୍ର ଭାରତବର୍ଷ ସ୍ତମ୍ଭିତ, ସେହି ରାଜା ତୁମକୁ ମାତୃ ସମ୍ୱୋଧନ କରି ତୁମର ଏହି ମହତ୍ୱ ନିକଟରେ ପରାଭବ ସ୍ୱୀକାର କରୁଅଛନ୍ତି । ଆଉ ନବାବ, ପ୍ରାଣରେ ତୁମର ଯେତେବେଳେ ଏଡ଼େ ଉଚ୍ଚ ଆକାଂକ୍ଷା,ତେବେ ଯାଅ ନବାବ, ତୁମର ଶକ୍ତି ଏକାଗ୍ରତା, ଅଧ୍ୟବସାୟ ଓ ଦୃଢ଼ତାର ସମବାୟରେ ଗୋଟିଏ ପ୍ରବଳ ଶକ୍ତିଚାପ ନିର୍ମାଣ କର । ପାରିବି ତ ତାହା ଭାଙ୍ଗିବି, ନ ପାରିବି ଯେବେ ତୁମ ବୀରତ୍ୱର ପୂଜା କରିବି, ଯାଅ ତୁମେ ମୁକ୍ତ, ତୁମେ ଏକା ଏହି ସୈନ୍ୟଦଳ ନେଇ ଅସହାୟ ଅବସ୍ଥାରେ ତୁମକୁ ବନ୍ଦୀ କରି କଳଙ୍କ କ୍ରୟ କରିବାକୁ ମୁଁ ଚାହେଁ ନାହିଁ । ଯାଅ, ତୁମେ ମୁକ୍ତ ଓ ସ୍ୱାଧୀନ ।

 

 

 

(ସାଗର ଗର୍ଜ୍ଜନ ତୁଲ୍ୟ ପଶ୍ଚାତଦ୍ଦେଶରୁ ଧ୍ୱନି ହେଲା) ଛିଡ଼ାହୁଅ !

 

 

 

(ସମସ୍ତେ ପଛକୁ ଚାହିଁ ଦେଖିଲେ, ପ୍ରଧାନ ସେନାପତି ମନାଇମ ଖାଁ ଉପସ୍ଥିତ)

 

 

ମନାଇମ ଖାଁ—

କାହାକୁ ସ୍ୱାଧୀନତା ଦେଉଛି ରାଜା ?

 

 

ରା—

ନବାବ ଦାଉଦ ଖାଁକୁ ।

 

 

ମ—

କି ଅଧିକାରରେ ତୁମେ ମୋଗଲର ପରମଶତ୍ରୁକୁ ସ୍ୱାଧୀନତା ଦେଉଛି ମୁଁ ତାର କୈଫିୟତ୍‍ ଚାହେ ।

 

 

ରା—

ପ୍ରୟୋଜନ ହେଲେ କୈଫିୟତ୍‍ ଦିଲ୍ଲୀରେ ସମ୍ରାଟଙ୍କ ନିକଟରେ ଦେବୁଁ ।

 

 

ମ—

ରାଜା ଜାଣ, ତୁମେ ଆମର ଅଧୀନ ସୈନାଧ୍ୟକ୍ଷ ।

 

 

ରା—

ତୁମେ ଜାଣ ସେନାପତି, ମୁଁ ରାଜପୁତ୍‍ ?

 

 

ମ—

ରାଜପୁତ୍‍ ହେଲେ ମଧ୍ୟ ତୁମେ ମୋଗଲର ଦାସ ।

 

 

ରା—

ମୁଁ ତାହା ଅସ୍ୱୀକାର କରୁ ନାହିଁ । କିନ୍ତୁ ତୁମପରି ମନୁଷ୍ୟତ୍ୱ ଓ ସ୍ୱାଧୀନତାରେ ଜଳାଞ୍ଜଳି ଦେଇ ରାଜପୁତ୍‍ ଦାସତ୍ୱ କରିବାକୁ ଏପର୍ଯ୍ୟନ୍ତ ଶିଖିନାହିଁ । ସେ ଦାସତ୍ୱ ମଧ୍ୟରେ ମଧ୍ୟ ସ୍ୱାଧୀନତା ଚାହେଁ ।

 

 

ମ—

ସାବଧାନ ରାଜା, ରସନା ସଂଯତ କରି ବାକ୍ୟ ପ୍ରୟୋଗ କର ।

 

 

ରା—

ସେନାପତି, ରାଜା ତୋଡ଼ରମଲ୍ଲ ଭିକ୍ଷୁକ ନୁହେଁ, ସେ କାହାର ରକ୍ତଚକ୍ଷୁରେ ଭୀତ ନୁହେ ।

 

 

ମ—

ସୈନ୍ୟଗଣ ! ନବାବ ଦାଉଦ ଖାଁକୁ ବନ୍ଦୀ କର ।

 

 

ରା—

ସାବଧାନ ସୈନ୍ୟଗଣ, ଅଗ୍ରସର ହେଲେ ପ୍ରାଣ ହରାଇବ । ମନାଇମ ଖାଁ, ରାଜା ତୋଡ଼ରମଲ୍ଲର ବାକ୍ୟ ଶିଶୁର କାକଳୀ ବା ଉନ୍ମାଦର ପ୍ରଳାପ ନୁହେ । ଯାହାକୁ ମୁକ୍ତି ଦେଇଛି ତାକୁ ଶତ ବାଧାବିଘ୍ନସତ୍ୱେ ରକ୍ଷା କରିବି । ଆଦେଶ ପ୍ରତ୍ୟାହାର କର ।

 

 

ମ—

ମୋଗଲର ପ୍ରଧାନ ଶତ୍ରୁକୁ ତୁମେ ମୁକ୍ତି ଦେଲେ, ମାତ୍ର ମୁଁ ଦେଇପାରିବି ନାହିଁ । ମୋର ଆଦେଶ ପ୍ରତିପାଳନ କର ସୈନ୍ୟଗଣ !

 

 

ରା—

ମୋଗଲ ସୈନ୍ୟଙ୍କୁ ଆକ୍ରମଣ କର ରାଜପୁତଗଣ ?

 

 

 

(ଉଭୟ ଦଳ ଆକ୍ରମଣୋଦ୍ୟତ ହେବା ଦେଖି)

 

 

ମ—

କ୍ଷାନ୍ତି ହୁଅ ସୈନ୍ୟଗଣ । (ରାଜାଙ୍କ ମୁଖକୁ ଚାହିଁ) ତୋଡ଼ରମଲ୍ଲ, ତୁମର ଏ ଅପମାନର ପ୍ରତିଶୋଧ ଦିଲ୍ଲୀରେ ଗ୍ରହଣ କରିବି ।

 

 

ରା—

ସେଥିପାଇଁ ମୁଁ ଭୀତ ନୁହେ । ମନାଇମ ଖାଁ, ତୁମେ ଯଥାସାଧ୍ୟ ପ୍ରତିଶୋଧ ନିଅ ।

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ—(ବନପଥ)

 

ଏଠାରେ ଶିବିକା ରଖ । (ଶିବିକା ସ୍ଥାପନ)

 

 

(ତିନିଜଣ ଅଶ୍ୱାରୋହୀ ଶିବିକା ଘେରି ଛିଡ଼ା ହେଲେ ।)

 

 

ଆଦେଶଦାତା—

ସୁନ୍ଦରି ! ଶିବିକାରୁ ବାହାରି ଆସ । (ପରେ ପୁରୁଷ ଶିବିକା ନିକଟକୁ ଯାଇ ଆଦେଶ ପ୍ରଦାନ) ରୁଦ୍ରପତି ! ତୁମଠାରେ କିମ୍ୱା ତୁମ ସ୍ତ୍ରୀଠାରେ କିଛି ପ୍ରୟୋଜନ ନାହିଁ, ତେବେ ତୁମ ସ୍ତ୍ରୀଙ୍କର ଅଳଙ୍କାରଗୁଡ଼ିକ ଦେଇଦିଅ । ଯଦି ଅପମାନିତ ହେବାକୁ ନ ଚାହଁ, ତେବେ ଅଳଙ୍କାରଗୁଡ଼ିକ ଶୀଘ୍ର ବାହାର କରି ରଖିଦିଅ । (ଅଳଙ୍କାର ବାହାର କରି ଆଦେଶଦାତା ହସ୍ତରେ ପ୍ରଦାନ ।) ଆଦେଶଦାତା ସେ ଅଳଙ୍କାରସବୁ ଲୁଗାମଧ୍ୟରେ ଲୁଚାଇ ରଖି କହିଲେ, ତୁମେ ଦୁହେଁ ମୁକ୍ତ । ବର୍ତ୍ତମାନ ଯାଇପାର ।

 

 

ରୁଦ୍ରପତି—

(ବ୍ୟଗ୍ରକଣ୍ଠରେ) ମୋ କନ୍ୟା ?

 

 

ଆଦେଶଦାତା—

ତୁମର କନ୍ୟା ସ୍ୱାଧୀନ, ତେବେ ମୁଁ ତାକୁ ଛାଡ଼ି ଦେବି ନାହିଁ । (କିଶୋରକୁ ଲକ୍ଷ୍ୟ କରି) ସୁନ୍ଦରି ! ମୋର ପଛରେ ଆସ ।

 

 

କିଶୋରୀ—

କୁଆଡ଼େ?

 

 

ଆ—

ମୋ ଗୃହକୁ ।

 

 

କି—

କାହିଁକି ?

 

 

ଆ—

କାହିଁକି ତାହା

 

 

ଆ—

କାହିଁକି ତାହା ବୁଝିପାରୁ ନାହିଁ ? ମୁଁ ଦସ୍ୟୁ ସର୍ଦାର ଜାଲିମ ସିଂହ । ମୋର କୋଷାଗାର ବହୁ ଧନରତ୍ନରେ ପୂର୍ଣ୍ଣ। କିନ୍ତୁ ଆଜି ଯେଉଁ ରତ୍ନ ଲାଭ କରିଛି, ସେ ରତ୍ନ କେବେ ପାଇନାହିଁ । ବୋଧହୁଏ ଭବିଷ୍ୟତରେ ପାଇବି ନାହିଁ ।

 

 

କି—

ସେ ରତ୍ନ କଣ?

 

 

ଜା—

ସେ ରତ୍ନ ତୁମେ?

କି—

ରତ୍ନ ଶାଖାମୃଗର କଣ୍ଠରେ ଶୋଭା ପାଇବାକୁ ସୃଷ୍ଟି ହୋଇନାହିଁ । ଶୁଣ ସର୍ଦାର, ମୁଁ ମୋର ବହୁ ମୂଲ୍ୟ ଅଳଙ୍କାର ଦେଉଛି ଏବଂ ପ୍ରଭୂତ୍ୱ ଅର୍ଥ ଦେବି, ମୋତେ ମୁକ୍ତି ଦିଅ ।

 

 

ସର୍ଦାର—

ତାହା କି ସୁନ୍ଦର ! ମୋର ଏହି ଐଶ୍ୱର୍ଯ୍ୟ ଅଛି ତାହାର ଏକାଂଶ ମୂଲ୍ୟରେ ତୁମ ପିତାଙ୍କ ସମ୍ପତ୍ତି ତ ତୁଚ୍ଛ । ଗୋଟିଏ ବିଶାଳ ସାମ୍ରାଜ୍ୟ କିଣି ପାରେଁ, ମୁଁ ତୁମର ଐଶ୍ୱର୍ଯ୍ୟର ପ୍ରତ୍ୟାଶୀ ନୁହେ, ତୁମ ରୂପର ପ୍ରତ୍ୟାଶୀ । ଆସ ସୁନ୍ଦରି ! ମୋର ପଛରେ ଆସ। ଅରଣ୍ୟ ମଧ୍ୟରେ ଶିବିକା ଯିବ ନାହିଁ, ତେଣୁ ତୁମକୁ ପାଦରେ ଚଳାଇ କଷ୍ଟ ଦେବାକୁ ବାଧ୍ୟ ହେଲି । ଯଦି ଇଚ୍ଛା କର ମୋ ଅଶ୍ୱରେ ଚଢ଼ିପାର-

 

 

କି—

(ଯୁକ୍ତିକରରେ ଜାନୁପାତ କରି ସାଶ୍ରୁ ନୟନରେ କାତର କଣ୍ଠରେ କହିଲେ) ସର୍ଦାର, ଦୀନହୀନ ଅବଳା ରମଣ ମୁଁ ମୋତେ ମୁକ୍ତି ଭିକ୍ଷା ଦିଅ । ବିଧାତାର ଶୁଭାଶୀର୍ବାଦ ଅଜସ୍ରଧାରାରେ ତୁମ ମସ୍ତକ ଉପରେ ବର୍ଷିତ ହେବ । ମୋତେ ମୁକ୍ତି ଦିଅ ସର୍ଦାର !

 

 

ସ—

ଏ ଭିକ୍ଷା ବ୍ୟତୀତ ଆଉ ଯାହା ମାଗିବ, ତାହା ତୁମକୁ ଛାଡ଼ି ପାରିବି ନାହିଁ ।

 

 

ରମଣୀ—

(ରାଗରେ) ମୁକ୍ତି ଦେବ ନାହିଁ ?

 

 

ସ—

ନାଁ

 

 

ର—

ଏହି ଶେଷଥର ପ୍ରାର୍ଥନା—ମୁକ୍ତି ଦେବ ନାହିଁ ?

 

 

ସ—

ମୁଁ ପୁନରାୟ କହୁଛି, ମୁକ୍ତି ଦେବି ନାହିଁ ।

 

 

ର—

ମୁଁ ମଧ୍ୟ କହୁଛି ଯେ, ମୋତେ ପାଇବା ତ ଦୂରର କଥା, ମୋର ଅଙ୍ଗ ସ୍ପର୍ଶ କରିବାକୁ ସକ୍ଷମ ହେବ ନାହିଁ । (ବାକ୍ୟ ସହ ବସ୍ତ୍ର ମଧ୍ୟରୁ ଖଣ୍ତିଏ ତୀକ୍ଷ୍ଣ ଛୁରୀକା ବାହାର କରି) ସର୍ଦାର ତେବେ ଦେଖ, କି ଭାବରେ କିପରି ତୁମର ଆଶା ବ୍ୟର୍ଥ ଏବଂ ମୋର ଧର୍ମ ରକ୍ଷା କରୁଛି ।

ସ—

ଆତ୍ମହତ୍ୟା କରିବ ?

ର—

ତଭିନ୍ନ ଆଉ ଉପାୟ କଣ ?

ସ—

ଉପାୟ ଅଛି—

ର—

କି ଉପାୟ ?

ସ—

ଯଦି—

ର—

(ଇତସ୍ତତଃ) କାହିଁକି, ଶୀଘ୍ର କହ ସର୍ଦାର, କି ଉପାୟ ଅଛି?

ସ—

ଯଦି ତୁମର ପିତାଙ୍କୁ କହି ମୋତେ ମୋଗଲର ପ୍ରଧାନ କର୍ମଚାରୀ ସମୂହ ଏବଂ ଜମିଦାରବର୍ଗଙ୍କ ସଙ୍ଗେ ପରିଚୟ କରାଇଦିଅ ।

ର—

ସେଥିରେ ତୁମର କି ଲାଭ ?

ସ—

ତାହାଦ୍ୱାରା ଏହି ଲାଭ ହେବ ଯେ, କାହାର ବି ସମ୍ପତ୍ତି ଅଛି, ତାର ସନ୍ଧାନ ପାଇପାରିବି ଏବଂ ମୋତେ ଦସ୍ୟୁ ବୋଲି କେହି ଧାରଣା କରି ପାରିବେ ନାହିଁ-

ର—

ଆଚ୍ଛା, ଏ ବିଷୟରେ ପିତାଙ୍କୁ ଅନୁରୋଧ କରିବ ।

ସ—

କରିବି କଥା ଛଡ଼ା, ବର୍ତ୍ତମାନ କରିବାକୁ ହେବ ।

ର—

ଆଚ୍ଛା, କରୁଛି; (ଛୁରିକା ଯଥାସ୍ଥାନରେ ରଖି କିଶୋରୀ ସ୍ୱୀୟ ପିତାଙ୍କ ନିକଟକୁ ଯାତ୍ରା କଲେ, ଇତ୍ୟବସରରେ ସର୍ଦାର ନିଃଶବ୍ଦରେ ଅଶ୍ୱରୁ ଓହ୍ଲାଇ ରମଣୀର ପଛରୁ ତାହାର ହସ୍ତଦ୍ୱୟ ଦୃଢ଼ଭାବରେ ଧାରଣ କରି)

ସର୍ଦାର—

ଏଥର ସୁନ୍ଦରୀ ତୁମକୁ କିଏ ରକ୍ଷା କରିବ?

ସୁନ୍ଦରୀ—

ଧର୍ମ ।

ସ—

ହାଃ ହାଃ ହାଃ ଧର୍ମ, ଧର୍ମ ନାହିଁ ।

ସୁ—

ଧର୍ମ ଅଛି ।

ସ—

ଯଦି ଅଛି ମୋ ହସ୍ତରୁ ରକ୍ଷା କରୁ ଦେଖିବା ତାର କିପରି ଶକ୍ତି ?

 

(ଏହା କହି ସକଳେ ରମଣୀକୁ ଆକର୍ଷଣ କରିବା)

ରମଣୀ—

(ଚିତ୍କାର କରି) କିଏ କୁଆଡ଼େ ଅଛ ଧାଇଁ ଆସ, ଉଲ୍‍କାଗତିରେ ଧାଇଁ ଆସ । ଦସ୍ୟୁର କବଳରେ ନାରୀର ସର୍ବସ୍ୱ ଯାଉଛି । ହେ ଦେବତା, ରକ୍ଷା କର, ରକ୍ଷା କର । ମା ସତୀ ସୀମନ୍ତିନି ! ତୁମର କନ୍ୟାର ମର୍ଯ୍ୟାଦା ରକ୍ଷା କରି ତୁମର ମହିମା ପ୍ରଚାର କର ।

 

 

(ଦୂରତ୍ୱ ବ୍ରଜନାଦରେ ପ୍ରତିଧ୍ୱନି ହେଲା ଭୟ ନାହିଁ, ଭୟ ନାହିଁ, ଭୟ ନାହିଁ । ଦୂରତ୍ୱ ଜଣେ ଅଶ୍ୱାରୋହୀ ଦ୍ରୁତଗତିରେ ଆସିଲେ । ଏହା ଦେଖି ସର୍ଦାର ରମଣୀର ଛୁରୀକି ବଳ ପୂର୍ବକ କାଢ଼ି ନେଇ ରମଣୀ ହସ୍ତ ଛାଡ଼ି ଅନୁଚରବର୍ଗ ସହ ଉନ୍ମୁକ୍ତ ଅସିହସ୍ତରେ ସୈନିକପୁରୁଷର ଆକ୍ରମଣ ପ୍ରତିରୋଧ କଲେ ।)

 

 

ଅଶ୍ୱାରୋହୀ—

ରମଣୀପୀଡ଼କ ନରଘାତକ ଦସ୍ୟୁ, ଯଦି ଜୀବନରେ କିଛି ମାତ୍ର ମମତା ଥାଏ, ତେବେ ଅସ୍ତ୍ରତ୍ୟାଗ କରି ଏହି ମୁହୂର୍ତ୍ତରେ ଏଠାରୁ ଚାଲିଯାଅ ।

 

 

ସର୍ଦାର—

(ଦମ୍ଭଭରେ) କିଏରେ, ତୁ ନିର୍ବୋଧ, ସ୍ୱେଚ୍ଛାରେ ଯୂପକାଷ୍ଠରେ ମୁଣ୍ତ ଦେବାକୁ ଆସିଲୁ । ଯା ଫେରି ଯା, ଯଦି ମାତା ପିତା ଥାନ୍ତି, ତେବେ ସେମାନଙ୍କ ନେତ୍ରରୁ ଅଶ୍ରୁବର୍ଷଣ କରାଅ ନାହିଁ ।

 

 

 

(ପରସ୍ପର ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା । କିଛିକ୍ଷଣ କ୍ଷୁଦ୍ଧ ପରେ ସର୍ଦାର ହସ୍ତରୁ ଅସି ଖସିପଡ଼ିଲା ଏବଂ ସେ ଭୂପତିତ ହେଲା । ଆଉ ଜଣେ ଅନୁଚର ତାପରେ ଭୂଶାୟୀ ହେବାର ଦେଖି ଅନ୍ୟ ଅନୁଚର ପଳାୟନ କଲା ।)

 

 

ଅଶ୍ୱାରୋହୀ—

(ସୁନ୍ଦରୀ ନିକଟକୁ ଆସି) ଆପଣ କିଏ ! ଏ ପରିଚୟ ପାଇବା ମୋର ଆବଶ୍ୟକ ନାହିଁ । ଏ ମହାପାଷାଣ୍ତ ହସ୍ତରୁ ଯେ ରକ୍ଷା ପାଇଲେ, ଏହା ଦେଖି ମୁଁ ସନ୍ତୁଷ୍ଟ ହେଲି । ବୋଧହୁଏ, ଏ ଶିବିକା ଆପଣଙ୍କର, ବର୍ତ୍ତମାନ ଆପଣ ନିରାପଦରେ ଶିବିକାରୋହଣ କରି ଗନ୍ତବ୍ୟ ପଥରେ ଯାଇ ପାରନ୍ତି । ରକ୍ଷକବୋଧ ହୁଏ, ଦସ୍ୟୁ ହସ୍ତରେ ଆହତ ହୋଇଥିବେ। ଆବଶ୍ୟକ ହେଲେ ମୁଁ ରକ୍ଷିରୂପେ ଆପଣଙ୍କ ସଙ୍ଗୀ ହୋଇପାରେ ।

 

 

ସୁନ୍ଦରୀ—

ଏହି ଦ୍ୱିତୀୟ ଶିବିକାରେ ମୋର ପିତା ଅଛନ୍ତି, ସେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ ।

 

 

ସୈନିକ—

ଆପଣଙ୍କ ପିତା ମଧ୍ୟ ଅଛିନ୍ତି ? (ଏହା କହି ତାଙ୍କ ନିକଟକୁ ଯାଇ ତାକୁ ବନ୍ଧନରୁ ମୁକ୍ତ କରି ଦେବା ।)

 

 

ସୁନ୍ଦରୀ ପିତା—

ତୁମେ କିଏ ବାପା, ଆମମାନଙ୍କୁ ଏ ଭୀଷଣ ବିପଦ ସାଗରରୁ ରକ୍ଷା କଲ । ତୁମେ କିଏ ବାପା ?

 

 

ସୈନିକ—

ମୋର କି ପରିଚୟ ଦେବି, ମୁଁ ଜଣେ ସାମାନ୍ୟ ବ୍ୟକ୍ତି, ରାଜା ହରିନାରାୟଣଙ୍କର ସାମାନ୍ୟ ସର୍ଦାର ସୈନିକ ମାତ୍ର, ନାମ ଅମରପ୍ରସାଦ ।

 

 

ସୁ:ପି—

ତୁମେ ସାମାନ୍ୟ ନୁହ, ଆଉ ଉଚ୍ଚ, ଅତି ମହତ୍‍, ଏପରି ଭାଷା ନାହିଁ, ଯେଉଁ ଭାଷାରେ ତୁମର ଏହି ମହୋପକାରର କୃତଜ୍ଞତା ଜଣାଇବି । ଏପରି ସମ୍ପତ୍ତି ନାହିଁ, ଯାହାର ବିନିମୟରେ ତୁମର ଏ ଉପକାରର ଋଣ ପରିଶୋଧ କରିବି । ତେବେ ଯାହା ଅଛି, ତାହା ଦେବି । ରାଜମହଲରେ ସର୍ବଶ୍ରେଷ୍ଠ ଧନୀ ରୁଦ୍ରପତିର ଘରକୁ ଯିବ । ଯଥାସାଧ୍ୟ ଅଞ୍ଜଳି ଦେବି ।

 

 

ଅମରସିଂହ—

ଆପଣ କଅଣ ସେ ବିଖ୍ୟାତ ଧନକୁବେର ରୁଦ୍ରପତି ।

 

 

ରୁଦ୍ରପତି—

ହଁ ଯୁବକ ।

 

 

ଅଶ୍ୱାରୋହୀ—

ମୋର ପ୍ରଣାମ ଗ୍ରହଣ କରନ୍ତୁ, ଆପଣ ଆଦେଶ ଅଲଙ୍ଘନୀୟ । ଆପଣଙ୍କର ଅଟ୍ଟାଳିକାକୁ ନିଶ୍ଚୟ ଯିବି; କିନ୍ତୁ ଉପକାର ପ୍ରତ୍ୟୁପକାର ପାଇଁ ଯିବି ନାହିଁ । ତାହାର ବିନିମୟ ପାଇଁ ନୁହେ, ପୁରସ୍କାର ଲୋଭରେ ନୁହେ, କେବଳ ସ୍ନେହ ଓ ପ୍ରୀତି ଲାଭାଶାରେ ଯିବି । ରାଜପୁତ୍‍ କେତେବେଳେ ଉପକାର ବିକ୍ରୟ କରେ ନାହିଁ କିମ୍ୱା ବିନିମୟରେ ଆଶାରଖେ ନାହିଁ ।

 

 

ରମଣ—

କାୟମନୋବାକ୍ୟରେ ଆଶୀର୍ବାଦ କରୁଛି, ତୁମେ ରାଜା ହୁଅ । ବୀରକୀର୍ତ୍ତି ଅର୍ଜ୍ଜନ କରି ରାଜପୁତନାରେ ଆଦର୍ଶ ପୁରୁଷ ହୁଅ । ସ୍ୱାସ୍ଥ୍ୟ ଚିରବିନିଦ୍ର ହୋଇ ତୁମକୁ ରକ୍ଷା କରୁ । ଈଶ୍ୱରଙ୍କ କରୁଣାଧାରାରେ ତୁମର ସମସ୍ତ ବିପଦାପଦ, ଶୋକତାପ ଧୌତ ହେଉ ।

 

 

ଅମର—

ମା, ତୁମର ଶୁଭାଶିଷ ମସ୍ତକରେ ଗ୍ରହଣ କଲି । ଆପଣମାନେ ବର୍ତ୍ତମାନ କୁଆଡ଼େ ଯିବେ ?

 

 

ରୁଦ୍ରପତି—

ମୁଙ୍ଗେର ଯିବାର ଇଚ୍ଛା ଥିଲା, ମାତ୍ର ରକ୍ଷିଗଣ ବର୍ତ୍ତମାନ ଦସ୍ୟୁ ଭୟରେ ପଳାୟିତ, ଆଉ ସେଠାରେ ନଯାଇ ରାଜମହଲ ଫେରିବୁଁ । ଆଶାକରେଁ, ଆପଣ ଆମ୍ଭେମାନଙ୍କର ସଙ୍ଗୀ ହେବେ । ଅନ୍ତତଃ ରାଜମହଲ ସୀମାପର୍ଯ୍ୟନ୍ତ ।

 

 

ଅମର—

ସାନନ୍ଦ ଚିତ୍ତରେ ଯିବି । (ସମସ୍ତଙ୍କର ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ (ହରି—ନାରାୟଣଙ୍କ ଅଟ୍ଟାଳିକା ।)

 

ହରି—

ଶୁଣିଛୁ ମା?

 

 

ଊର୍ମିଳା—

କଅଣ ବାପା?

 

 

ହ—

ପଠାଣ ପରାଜିତ; ଆମର ଜୟ ହୋଇଛି ।

 

 

ଊ—

ଶୁଣିଛି ।

 

 

ହ—

ଆଉ ଶୁଣିଛୁ ପଠାଣ ରାଜା ଦାଉଦ ଖାଁ ଛଦ୍ମବେଶରେ ପଳାୟନ କରିଛନ୍ତି, ସ୍ୱସୈନ୍ୟ ସହ ମୋଗଲ ସେନାପତି ମନାଇମ୍‍ ଖାଁ ତାର ଅନୁସରଣ କରିଛନ୍ତି-

 

 

ଉ—

ତା ଜାଣେ ବାପା ।

 

 

ହ—

ତା କିପରି ଜାଣିଲୁ ମା ।

 

 

ଊ—

ପଳାୟନ ପରେ ନବାବ ଦାଉଦ ଖାଁ ମୋର ଆଶ୍ରୟ ଭିକ୍ଷା କଲା ।

 

 

ହ—

ତୋର ଆଶ୍ରୟ ଭିକ୍ଷା କଲେ ତୁ ତାକୁ ଧୃତ କରିଛୁ ତ?

 

 

ଊ—

ନା ବାପା ।

 

 

ହ—

ତେବେ ?

 

 

ଊ—

ତାକୁ ଆଶ୍ରୟ ଦେଲି ।

 

 

ହ—

ଅନଳରୂପୀ ଶତ୍ରୁକୁ ଆଶ୍ରୟ ଦେଲୁ, କଅଣ ତୁ କହୁଛୁ?

 

 

ଊ—

ଠିକ୍‍ କହୁଛି—ଯାହା କହୁଛି ତାହା ସମ୍ପୂର୍ଣ୍ଣ ସତ୍ୟ ।

 

 

ହ—

ତା ପରେ ?

 

 

ଊ—

ତା ପରେ ରାଜା ତୋଡ଼ରମଲ୍ଲ ନବାବର ଅନୁସନ୍ଧାନ ପାଇ ସ୍ୱୟଂ ଉପସ୍ଥିତ ହୋଇ ଅଟ୍ଟାଳିକାରେ ପ୍ରବେଶ କରିବାକୁ ଉଦ୍ୟତ ହେଲେ । ମୋର ଆଦେଶରେ ପ୍ରହରିମାନେ ବାଧା ଦେଲେ । ଦେହର ଶୋଣିତ ବିନିମୟରେ ମୋର ଆଦେଶ ପାଳନ କଲେ । କିନ୍ତୁ ବହୁସଂଖ୍ୟକ ଶତ୍ରୁର ଆକ୍ରମଣରେ ଆହତ ହୋଇ ଭୂଶର୍ଯ୍ୟା ଗ୍ରହଣ କଲେ । ତଥାପି କେହି ଆଦେଶ ପାଳନରେ ପରାଙ୍ମୁଖ ହୋଇ ନାହିଁ । ଗୋଟି ଗୋଟି ହୋଇ ଯେତେବେଳେ ଦଶଜଣ ବୀର ଭୂଶଯ୍ୟାରେ ଶାୟିତ ହେଲେ, ଆଉ ଜଣେ ସୁଦ୍ଧା ବାଧା ଦେବାକୁ ନଥିଲେ, ସେତେବେଳେ ମୁଁ ଚିତ୍କାର କରି ଉଠିଲି—ରାଜପୁତକନ୍ୟାର ସତ୍ୟରକ୍ଷା କରିବାକୁ କଣ କେହି ଜଣେ ନାହିଁ ? ଦୂରରୁ ଜଳଦନିଃସ୍ୱନରେ ଉତ୍ତର ମିଳିଲା—ଅଛି ମା । ବିସ୍ମୟଚକିତ ନେତ୍ରରେ ଦେଖିଲି—ପଳିତକେଶ ବୃଦ୍ଧ ସର୍ଦାର ଦିଲ୍ଲୀପ ସିଂହ ମୋର ଆଦେଶ ପାଳନ ପାଇଁ ପ୍ରସ୍ତୁତ । ସେ ବୃଦ୍ଧର ପ୍ରଭୁଭକ୍ତି ଧନ୍ୟ। ପ୍ରଭୁକନ୍ୟାର ଆଦେଶ ପାଳନ ପାଇଁ ବହୁଦିନ ପରେ ବୃଦ୍ଧ ଯୁବକ ପରି ସିଧା ଛିଡ଼ା ହୋଇ ହୋଇ ଅସୀମ ଶକ୍ତିରେ ବାଡ଼ି ଧଇଲେ । ତାଙ୍କର ବାଡ଼ିଚାଳନା ଦେଖି ମୁଁ ବିସ୍ମିତ ହେଲି । ବିପକ୍ଷ ସୈନ୍ୟ ମଧ୍ୟ ବିସ୍ମିତ ହେଲେ । ବହୁକ୍ଷଣ ଯୁଦ୍ଧପରେ ବୃଦ୍ଧର ଶିଥିଳ ହସ୍ତରୁ ବାଡ଼ି ସ୍ଖଳିତ ହେଲା ।

 

 

ହ—

ତୁ ବାଳିକା ହୋଇ ଗୋଟିଏ ଦୁଃସାହସିକ କାର୍ଯ୍ୟ କଲୁ, ଯାହା ପ୍ରବଳ ପ୍ରତାପଶାଳୀ ରାଜନ୍ୟବର୍ଗ ପାରିବେ ନାହିଁ । କିନ୍ତୁ ସେହି ବୃଦ୍ଧ ସର୍ଦାର ଦିଲ୍ଲୀପ ଜାଣିଶୁଣି ସ୍ୱଇଚ୍ଛାରେ କାହିଁକି ନିଜର ଗୃହ ଓ ତାର ପ୍ରଭୁର ଗୃହ ଭସ୍ମସାତ୍‍ କରିବାକୁ ପ୍ରଚଣ୍ତଶକ୍ତି ଅନଳକୁ ନିମନ୍ତ୍ରଣ କଲା ? ଏ ତାହାର ପ୍ରଭୁଭକ୍ତି ନୁହେଁ, ପ୍ରଭୁଦ୍ରୋହିତା । ତା ପରେ ?

 

 

ଊ—

ତା ପରେ ରାଜା ପୁନରାୟ ଅଟ୍ଟାଳିକାରେ ପ୍ରବେଶାଦ୍ୟତ ହେଲେ । ଅନନ୍ୟୋପାୟ ହୋଇ ମୁଁ ନିଜେ ଅସ୍ତ୍ରଧାରଣ କରି ଦ୍ୱାରପଥରେ ଦଣ୍ତାୟମାନ ହେଲି । ଏପରି ସମୟରେ ନବାବ ଆସି ରାଜାଙ୍କୁ ଆକ୍ରମଣ କଲେ । ନବାବଙ୍କ ସର୍ବାଙ୍ଗରେ ଅସ୍ତ୍ରକ୍ଷତ, ପରିଚ୍ଛେଦ ଶୋଣିତରେ ସିକ୍ତ, ତଥାପି ନବାବ ଅଦ୍ଭୁତ ବିକ୍ରମରେ ରାଜାଙ୍କୁ ଏକାକୀ ଯୁଦ୍ଧଦାନ କଲେ। ମୋର ପ୍ରାଣ ବିନିମୟରେ ନିଜ ପ୍ରାଣରକ୍ଷା ପାଇଁ ସେ କଦାପି ସମ୍ମତ ହେଲେ ନାହିଁ। ନିରୁପାୟ ହୋଇ ରଣସ୍ଥଳରୁ ପଳାୟନ କଲେ ମଧ୍ୟ ନବାବ ବୀର ଯୋଦ୍ଧା । ଅକ୍ଷତଦେହ ପ୍ରଭୂତ ବିକ୍ରମଶାଳୀ ରାଜାଙ୍କ ସଙ୍ଗରେ ବହୁକ୍ଷଣ ଯୁଦ୍ଧ କଲାପରେ ନବାବ ନିରସ୍ତ୍ର ହେଲେ । ରାଜା ନବାବଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଲୋ । ମୁଁ ସେତେବେଳେ ନବାବଙ୍କୁ ପାଶ୍ଚାତରେ ରଖି ରାଜାଙ୍କ ସମ୍ମୁଖରେ ଛିଡ଼ା ହେଲି । ରାଜା ତୋଡ଼ରମଲ୍ଲ ମୋଗଲ ଦାସତ୍ୱ କଲେ ମଧ୍ୟ ମହାନ ଉଦାର । ସେ ମୋତେ ମାତୃ ସମ୍ୱୋଧନଦ୍ୱାରା ମୋ ନିକଟରେ ପରାଜୟ ସ୍ୱୀକାର କଲେ ଏବଂ ନବାବଙ୍କୁ ମୁକ୍ତି ଦେଲେ ।

 

 

ହ—

ମୁକ୍ତି ଦେଲେ ! ତାହାପରେ ?

 

 

ଊ—

ତାହାପରେ ପ୍ରଧାନ ସେନାପତି ମନାଇମ ଖାଁ ଉପସ୍ଥିତ ହେଲେ ।

 

 

ହ—

ସେ କଣ କଲେ?

 

 

ଊ—

ମନାଇମ ଖାଁ ନବାବଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଲେ । ରାଜା ତୋଡ଼ରମଲ୍କ ସେ ଆଦେଶରୋଧ କରିବାକୁ ଅସ୍ତ୍ରଧାରଣ କଲେ । ଏହା ଦେଖି ପ୍ରଧାନ ସେନାପତି ଯେ କାରଣରୁ ହେଉ ନିଜ ଆଦେଶ ପ୍ରତ୍ୟାହାର କରି ରଣସ୍ଥଳ ତ୍ୟାଗ କଲେ । ନବାବ୍ କଟକ ଅଭିମୁଖେ ଗମନ କଲେ ।

 

 

ହ—

(କ୍ରୋଧକମ୍ପିତ କଣ୍ଠରେ) ଊର୍ମିଳା, ମାତୃହୀନା ବୋଲି ଅତ୍ୟଧିକ ଆଦର କରିବାରୁ ତୋର ଅହଙ୍କାର ବଢ଼ିଯାଇଛି। ତାର ଫଳରେ ତୁ କଣ କଲୁ ବୁଝି ପାରିନାହୁଁ ? ଖାଲ ଖୋଳି ଆଗ୍ନେୟପ୍ରବାହ ଘରମଧ୍ୟକୁ ଆଣିଛୁ, ଯିବ ଯିବ, ସବୁ ଯିବ, ସେ ଅନଳ ପ୍ରବାହରେ ଐଶ୍ୱର୍ଯ୍ୟ, ସମ୍ପଦ, ରାଜତ୍ୱ, ପ୍ରାଣ, ମନ ଏପରି କି ତୁ ମଧ୍ୟ ଭାସିଯିବୁ । ରାଜା ତୋଡ଼ରମଲ୍ଲ ହସ୍ତରୁ ମୁକ୍ତି ପାଇଲେ ମଧ୍ୟ ମନାଇମ ଖାଁଙ୍କ ହସ୍ତରୁ କଦାପି ନିସ୍ତାର ନାହିଁ । ଏତେବେଳେକୁ ହୁଏ ତ ମୋତେ ଧୃତ କରିବାକୁ ପରୁଆନା ବାହାରିବଣି ଓଃ! କି ସର୍ବନାଶ କଲୁ ! (ରାଜା କକ୍ଷ ତ୍ୟାଗ କରି ବାହାରକୁ ଆସି ଡାକିଲେ ।)

 

 

ହରିନାରାୟଣ—

ବୁଧନ୍‍ ।

 

 

ବୁଧନ୍‍—

ଅଭିବାଦନ କରି ଦଣ୍ତାୟମାନ ।

 

 

ହରିନାରାୟଣ—

ବୁଧନ୍‍, ଏହି ମୁହୂର୍ତ୍ତରେ ଅବସରପ୍ରାପ୍ତ ସର୍ଦାର ଦିଲ୍ଲୀପକୁ ବନ୍ଦୀ କରି ନେଇ ଆସ । ଆମ ସଙ୍ଗରେ ଅନ୍ୟତ୍ର ଯିବାପାଇଁ କେତେକଜଣ ପ୍ରହରୀ ପ୍ରସ୍ତୁତ ହୁଅ-। ଜଳପଥରେ ଯିବ, ମାଝିମାନଙ୍କୁ ଆଜିଠାରୁ କହିଥିବୁ । ଆଜି କି କାଲି କେତେବେଳେ ଯିବି ତାହାର ସ୍ଥିରତା ନାହିଁ, ତେବେ ତୁମ୍ଭେମାନେ ପ୍ରସ୍ତୁତ ରହ-। ବର୍ତ୍ତମାନ ଯାଅ ଦିଲ୍ଲୀପକୁ ଶୃଙ୍ଖଳିତ ଓ କେଶାକର୍ଷଣ କରି ନେଇ ଆସ-। (ବୁଧନ୍‍ ନମସ୍କାର କରି ପ୍ରସ୍ଥାନ କଲା ।)

 

ତୃତୀୟ ଦୃଶ୍ୟ (ଦରବାର ଗୃହ)

 

ରାଜା—

ଦିଲ୍ଲୀପ ସିଂହ ! ତୁମ୍ଭେ ଆମ୍ଭର ଶତ୍ରୁ ଦାଉଦକୁ ଆଶ୍ରୟ ଦେବା ବିଷୟରେ ସାହାଯ୍ୟ ଦେଇ ଆମ୍ଭର ସର୍ବନାଶ କରିଅଛ । ଏଥିପାଇଁ ତୁମ୍ଭେ ଦଣ୍ତ ପାଇବାର ଯୋଗ୍ୟ ।

 

 

ଦିଲ୍ଲୀପ—

ମୁଁ ଏତେ କଥା ବୁଝି ନଥିଲି । ମୁଁ ହୁକୁମର ଚାକର । ଜେମାମଣି ଆଦେଶ ଦେବାରୁ ମୋଗଲସୈନ୍ୟକୁ ବାଧା ଦେଲି ।

 

 

ରାଜା—

ତୁମ୍ଭେ ଜେମାମଣିକୁ ବୁଝାଇଦେବା ଉଚିତ ଥିଲା ।

 

 

ଦିଲ୍ଲୀପ—

ମୋର ସେ କଥା ଖିଆଲ ହେଲା ନାହିଁ ।

 

 

 

(ରାଜା ହରିନାରାୟଣ ଆଦେଶ ଦେଲେ—ବେତ୍ରାଘାତ ଓ ଦୁଇମାସ କାରାଦଣ୍ତ । ଭୀଷଣଦର୍ଶନ ଏକବ୍ୟକ୍ତି ବେତ୍ରାଘାତ କଲା । ସହସା ପାଶ୍ଚତ୍‍ ଦିଗରୁ ଏକ ଯୁବକ ଆସି ବେତ୍ରାଘାତକାରୀର ପୃଷ୍ଠାଦେଶରେ ଗୋଟିଏ ପ୍ରଚଣ୍ତ ପଦାଘାତ କଲା । ବେତ୍ରାଘାତକାରୀ ଛାଟି ହୋଇ ରାଜାଙ୍କ ଉପରେ ପଡ଼ିଗଲା-।)

 

 

ରାଜା—

(କ୍ରୋଧରେ) ବାନ୍ଧି ତାକୁ । (ଦୁଇଜଣ ପ୍ରହରୀ ଆସି ଯୁବକର ହସ୍ତ ଧାରଣ କଲା ।)

 

 

ଯୁବକ—

ରାଜା ! ଅସିକୋଷରେ ଥିବାଯାଏ କେହି ମୋର ଅଙ୍ଗ ସ୍ପର୍ଶ କରିପାରିବେ ନାହିଁ । କିନ୍ତୁ ଆପଣ ପ୍ରଭୁ ଓ ଧର୍ମର ପ୍ରତିମୂର୍ତ୍ତି; ତେଣୁ ଆଜି ଜୀବନ ମଧ୍ୟରେ ପ୍ରଥମଥର ପାଇଁ ଅସ୍ତ୍ର ଥାଉଁ ଥାଉଁ ଏବଂ ଦେହରେ ଶୋଣିତ ଥାଉଁ ଥାଉଁ ବନ୍ଦୀ ହେବାକୁ ହେଲା ।

 

 

ରାଜା—

(କର୍କଶକଣ୍ଠରେ) ସେହି ହେତୁର ଏପରି ଭାବରେ ପ୍ରଭୁଭକ୍ତି ଦେଖାଇଲେ ତୁମ୍ଭର ଭକ୍ତିର ଛଳନାରେ ଆଉ ପ୍ରୟୋଜନ ନାହିଁ ଅମର !

 

 

ଅମର—

ସତ୍ୟ କହୁଛି, ଆପଣଙ୍କ ଧର୍ମର ପ୍ରତିଭୂ ରୂପେ ଦେଖେଁ; କିନ୍ତୁ ‘‘ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହିଁ ପରମଂତପଃ । ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବ ଦେବତାଃ ।’’ ସେହି ମୋର ସ୍ୱର୍ଗ ଓ ପ୍ରତ୍ୟକ୍ଷ ଦେବତା ନିଷ୍ଠୁର ପ୍ରହାରରେ ଜଜ୍ଜରିତ, ରୁଧିରେ ଅଙ୍ଗରଞ୍ଜିତ ବେଦନାରେ ନୟନ ପ୍ଲାବିତ, ଏ ପୈଶାଚିକ ଦୃଶ୍ୟ—ବୃଦ୍ଧ ପିତାଙ୍କ ପ୍ରତି ଏ କଠୋର ଅତ୍ୟାଚାର ଦର୍ଶନ କରି କୌଣସି ପୁତ୍ର ସ୍ଥିର ରହିପାରେ ? ଜାଣେ ନାହିଁ ପିତାଙ୍କର ଅପରାଧ କଣ, ଯେ ଅପରାଧ କଣ, ଅପରାଧ ହେଉ ପଛକେ ସେ ମୋହର ପିତା, ଜନ୍ମଦାତା, ତାଙ୍କର ଲାଞ୍ଛନା ମୁଁ ପୁତ୍ର ହୋଇ କିପରି ଦେଖିବି? ତାହାଙ୍କ ଲାଞ୍ଛନାରୁ ମୁକ୍ତ କରିବାକୁ ଯଦି ମୋତେ ତ୍ରିଭୁନର ବିରୁଦ୍ଧରେ ଛିଡ଼ାହେବାକୁ ହୁଏ, ତେବେ ଛିଡ଼ା ହେବି, ଯେବେ ପୁରୀଷପୂରିତ ବା ଅଗ୍ନିପ୍ରତପ୍ତ ଅନ୍ତନ ନରକ ବାଛିନେବାକୁ ହୁଏ—ନେବି; ଯଦି ମୋର ନୟନ ଓ ହୃତ୍‍ପିଣ୍ତ ଉଦ୍ଘାଟିତ କରିବାକୁ ହୁଏ, ତଥାପି ପିତାଙ୍କର ଲାଞ୍ଛନା ସହ୍ୟ କରି ପାରିବନାହିଁ ।

 

 

ରାଜା—

ସତେ ? ସୁନ୍ଦରଲାଲ,ଏ ପାଜିକୁ ବନ୍ଦୀକର, (ସୁନ୍ଦରଲାଲ ଅମରପ୍ରସାଦକୁ ବାନ୍ଧିଲା)।

 

 

ଅମର—

ପ୍ରଭୁ, ମୋତେ ମାରନ୍ତୁ, ମୋତେ କାଟନ୍ତୁ; କିମ୍ୱା ଅନ୍ଧକାର କାରାଗାରରେ ରଖନ୍ତୁ, କିନ୍ତୁ ମୋହର ବୃଦ୍ଧ ପିତାଙ୍କୁ ଛାଡ଼ି ଦିଅନ୍ତୁ ।

 

 

ରାଜା—

ସୁନ୍ଦରଲାଲ, ବେତ୍ରାଘାତ କର । (ବେତ୍ରାଘାତ ଚାଲିଲା)

 

 

 

(ଜ୍ୱାଳାରେ ଅମରପ୍ରସାଦ ଚିତ୍କାର କଲା)

 

 

 

(ସହସା ଗୋଟିଏ କିଶୋରୀ ଆସି ବେତ୍ରାଘାତକାରିର ଉତ୍ତୋଳିତ ବେତକୁ ଧରି ପକାଇଲେ)

 

 

ହରି—

ତୁ ଏଠାରେ କାହିଁକି ମା !

 

 

କିଶୋରୀ—

ବାପା ! ଏ କି ପୈଶାଚିକ କାଣ୍ତ ନୁହେ ମା, ଏ ବିଚାର ।

 

 

କିଶୋରୀ—

ଏ ବିଚାର ନୁହେ ବାପା, ଏ ଅତ୍ୟାଚାର । ବାପା, ମୁଁ ବାତାୟନ ପଥରୁ ସବୁ ଦେଖୁଛି ଓ ଶୁଣୁଛି । ପିତାକୁ ରକ୍ଷାକରିବା ପିତୃଭକ୍ତ ସନ୍ତାନର ଅବଶ୍ୟ କର୍ତ୍ତବ୍ୟ-। ଯେ ତାହା ନକରେ, ସେ ପୁତ୍ର ନୁହେ, ମନୁଷ୍ୟ ନୁହେ । ମନୁଷ୍ୟଚକ୍ଷୁରେ ସେ ଅପରାଧୀ । ପୁତ୍ର ପିତାର ଆଜ୍ଞାବହ ସେବକ ମାତ୍ର । ଆପଣ କେଉଁ ବିଧିରେ କି ବିଚାରରେ ପୁତ୍ରକୁ ଦଣ୍ତବିଧାନ କରୁଅଛନ୍ତି ?

 

 

ହରି—

ଆଚ୍ଛା ମା, ତୋ କଥାରେ ଅମରକୁ ମୁକ୍ତ କଲି, ମାତ୍ର ତାକୁ କର୍ମଚ୍ୟୁତ କଲି ।

 

 

ଅମର—

କୃତଜ୍ଞତାପୂର୍ଣ୍ଣ ନୟନରେ କିଶୋରୀକୁ ଚାହିଁ ରହିଲେ । ଛଳଛଳ ନୟନରେ ସେ କହିଲେ—ରାଜନନ୍ଦନୀ ! ଆପଣଙ୍କର ଏହି ଅଯାଚିତ ଅପାର କରୁଣପାଇଁ ଶତ ଧନ୍ୟବାଦ । କିନ୍ତୁ ମୁଁ ମୁକ୍ତି ଇଚ୍ଛା କରେ ନାହିଁ । କରୁଣାମୟି ! ଯଦି କରୁଣାମୟି ! ଯଦି କରୁଣା ହୁଏ ମୋର ପିତାଙ୍କୁ ମୁକ୍ତି ଦିଅ ତାହା ନ ହେଲେ ସାମ୍ରାଜ୍ୟର ବିନିମୟରେ ମୁଁ ମୁକ୍ତି ଦିଅ ତାହା ନ ହେଲେ ସାମ୍ରାଜ୍ୟର ବିନିମୟରେ ମୁଁ ମୁକ୍ତି ମାଗୁ ନାହିଁ ।

 

 

ରାଜନନ୍ଦିନୀ—

(ମଧୁର କଣ୍ଠରେ ଡାକିଲେ) ପିତଃ !

 

 

ହରି—

ତାହା ହୋଇପାରିବ ନାହିଁ । ତୋର ପ୍ରାର୍ଥନାରେ ଅମରପ୍ରସାଦକୁ ମୁକ୍ତି ଦେଲି, କିନ୍ତୁ ଏ ବୁଢ଼ା ବଜ୍ଜାତ୍‍କୁ ମୁକ୍ତି ଦେବା ଅସମ୍ଭବ ।

 

 

ଅମର—

ତେବେ ମୁଁ ମୁକ୍ତି ଇଚ୍ଛା କରେ ନାହିଁ।

 

 

ହରି—

ଯାହା ତୁମ୍ଭର ଅଭିରୁଚି। ତାପରେ (ଉଚ୍ଚକଣ୍ଠରେ) କିଷନ୍‍!

 

 

 

(କାରାରକ୍ଷକ ଆସି ସମ୍ମୁଖରେ ଛିଡ଼ା ହେଲା)

 

 

 

 

ହରି—

ଶୁଣ, ଏ ବୁଢ଼ା ବେମାନକୁ ବନ୍ଦୀ କରି ରଖ, ଏ ଯୁବକ ସଇତାନକୁ ଆବଦ୍ଧ କରି ରଖିବ, ଯଦି ମୁକ୍ତିଭିକ୍ଷା କରେ, ତେବେ ମୁକ୍ତି ଦେବ । ଏକ କାରାଗାରରେ ଦୁଇଜଣକୁ ଆବଦ୍ଧ କରି ରଖ ।

 

 

 

(ସସମ୍ମାନ ଅଭିବାଦନ କରି କିଷନ୍‍ ଚାଲିଗଲା)

 

 

ହରି—

ବୁଧନ୍‍ !

 

 

ବୁଧନ୍‍—

ଅଭିବାଦନ କଲା ।

 

 

ରାଜା—

ସବୁ ପ୍ରସ୍ତୁତ?

 

 

ବୁଧନ୍‍—

ଆଜ୍ଞା ।

 

 

ରାଜା—

ନାଉରୀ ପ୍ରଭୃତି ସବୁ ପ୍ରସ୍ତୁତ?

 

 

ବୁଧନ୍‍—

ଆଜ୍ଞା ହଁ ।

 

 

ରାଜା—

ମା ଊର୍ମିଳା, ଯା ଅନ୍ତଃପୁରକୁ ଯାଇ ପ୍ରସ୍ତୁତ ହୁଅ, ମୁଁ ଆଜି ଜଳପଥରେ ଯାତ୍ରା କରିବି।

 

 

ଊର୍ମିଳା—

କୁଆଡ଼େ ଯିବ ?

 

 

ରାଜା—

ମୁଙ୍ଗେର ।

 

Unknown

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ—(କାରାଗାର)

 

ଦିଲ୍ଲୀପ—

ପୁତ୍ର ?

 

 

ଅମର—

ଆଜ୍ଞା ।

 

 

ଦିଲ୍ଲୀପ—

ଘରକୁ ଯା।

 

 

ଅମର—

ଆପଣଙ୍କ ଏପରି ସଙ୍କଟାପନ୍ନ ଅବସ୍ଥାରେ ରଖି—

 

 

ଦିଲ୍ଲୀପ—

ତା ହେଉ—ଘରେ ତୁମ୍ଭର ଜନନୀ ମୃତ୍ୟୁଶର୍ଯ୍ୟାରେ ଶାୟିତା, ତୁମ୍ଭଙ୍କୁ ଦେଖିବାକୁ କାତର ନୟନରେ ଦ୍ୱାରକୁ ଚାହିଁ ରହିଛନ୍ତି । ଏତେବେଳେ, ଓଃ ନା, ନା, ତୁ ଘରକୁ ଯା ।

 

 

ଅମର—

ଓଃ ! ଏତେଦୂର ଘଟଣା ! ଆଚ୍ଛା, ଯାଉଛି ବାପା, ଯଦି ଆଜି ଆପଣଙ୍କୁ ମୁକ୍ତି ନ ଦିଏ ଏବଂ ଆପଣଙ୍କ ଅଦର୍ଶନରେ ସ୍ନେହମୟୀ ଜନନୀ ପ୍ରାଣତ୍ୟାଗ କରନ୍ତି, ଏପରି ପ୍ରତିଶୋଧ ନେବେ ଯେ, କେହି କେବେ କାହାପ୍ରତି ଅଯଥା ଅତ୍ୟାଚାର କରିବାକୁ ହସ୍ତ ଉତ୍ତୋଳନ କରିବ ନାହିଁ । କାରାରକ୍ଷକ ! ମୁଁ ମୁକ୍ତି ପ୍ରାର୍ଥନା କରୁଛି, ମୋତେ ମୁକ୍ତ କରିଦିଅ ।

 

 

(କାରାରକ୍ଷକ ଦ୍ୱାର ଖୋଲି ଦେଲା)

 

 

(ଅମର ପିତାଙ୍କୁ ନମସ୍କାର କରି ପ୍ରସ୍ଥାନ କଲା ।)

 

 

ଦିଲ୍ଲୀପଙ୍କ ଗାନ—

 

 

 

ଦୟାସାଗର ହେ, ଦାମୋଦର ହୃଷୀକେଶ,

 

ତବ ଦୟାବଳେ ବିପଦସଙ୍କୁଳେ ଦୁଃଖ ନହରଇ ଲେଶ ।

 

ଏ ଭାବ ଯାହାର ହୃଦେ ରହେ ଚିର ଅଶାନ୍ତି ତାହାର ଶେଷ ।

 

ତବ ପାଦପଦ୍ମେ ମୋ ମନ ଆନନ୍ଦେ ରହୁ ହୋଇ ସଦା ବଶ ।

 

ତୋ କୃପା-ବତାସ ଲଭି ଅନୁକ୍ଷଣ କଟୁ କାଳ ଅବଶେଷ ।

 

ଦ୍ୱିତୀୟ ଦୃଶ୍ୟ—(ଶ୍ମଶାନ ନଦୀତୀର)

 

(ଅମର ସିଂହ ନିଜଘରର ଦ୍ୱାର ନିକଟରେ ଯାଦବଲାଲଙ୍କୁ ଦେଖି କହିଲେ ।)

 

 

ଅମର—

ଅଜା ! ମୋ ମା କିପରି ଅଛି ?

 

 

ଯାଦବଲାଲ—

ଶ୍ମଶାନରେ ।

 

 

ଅମର—

ଚିତାରେ ? (ଶ୍ମଶାନକୁ ଯାଇ କହିଲେ) ବିଦାୟ ନ ନେଇ ଆଶୀର୍ବାଦ ନକରି, ନା ମା ମୋର ଅଛି । ପୁତ୍ରକୁ ଚରଣ ଧୂଳି ନ ଦେଇ ମା ମୋର ଯାଇପାରେ ନାହିଁ । ଚରଣଧୂଳି ଦିଅ ମା !

 

 

ଯାଦବଲାଲ—

ଆରେ ଏତ ଟୋକା, ମୁଁ ପଛେ ପଛେ ଯାଏଁ ।

 

 

ଅମର—

(ଚିତାକୁ ଲମ୍ପ ପ୍ରଦାନ କରିବାକୁ ଉଦ୍ୟତ ହେଲେ)

 

 

ଯାଦବଲାଲ—

(ଅମର ହାତ ଧଇଲେ, ସେ ମୂର୍ଚ୍ଛିତ ହୋଇ ଭୂମିରେ ପଡ଼ିଲେ । ପୁଣି ଜ୍ଞାନଲାଭ କରି କ୍ରନ୍ଦନ କଲେ । ପୁଣି ମୂର୍ଚ୍ଛିତ ଯାଦବ ଡାକିବାରୁ ଜ୍ଞାନ ହେଲା-।) ଅମର, ଚାଲ ଗୃହକୁ ଯିବ ।

 

 

ଅମର—

ନା, ନା ପ୍ରତିଶୋଧ ନେବି ।

 

 

ଯାଦବଲାଲ—

କାହା ଉପରେ ?

 

 

ଅମର—

ରାଜା ହରିନାରାୟଣ ଉପରେ ।

 

 

ଯାଦବଲାଲ—

ଅପରାଧ ?

 

 

ଅମର—

ସେ ପିତା ପୁତ୍ର ଉଭୟଙ୍କୁ ବନ୍ଦୀ କରି ରଖିବାରୁ ମା ମୋର ଚିନ୍ତାରେ ପ୍ରାଣ ହରାଇଲା ।

 

 

ଯାଦବଲାଲ—

ଭୁଲ ବୁଝୁଛ । ସେ ଉପଲକ୍ଷେ ମାତ୍ର—ନିୟତିକୁ ଏଡ଼ାଇବ କିଏ ?

 

 

 

‘‘ଶକ୍ତି ଅଛି ବତ୍ସ କାହାର ଜଗତେ ।

 

ନିୟତିକୁ ନେବ ନିଜ ଇଚ୍ଛାପଥେ ।’’

 

 

ଅମର—

ନ ହେଉ । ତେବେ ଶେଷ ସମୟରେ ଟିକିଏ ଦେଖି ପାରିଥାନ୍ତି ଏବଂ ତାହାର ଆଶୀର୍ବାଦରୁ ବଞ୍ଚିତ ହୋଇନଥାନ୍ତି । (କ୍ରୋଧରେ ଅଧର କାମୁଡ଼ି) ମୁଁ ପୁତ୍ର, ମୋ ସମ୍ମୁଖରେ ପିତାଙ୍କୁ ବେତ୍ରାଘାତ କରି ଅଙ୍ଗରୁ ରୁଧିରଧାର ବାହାର କରିଛି-। ମୁଁ ନୀରବରେ ତାହା ଦେଖିଛି । ଏହାର ପ୍ରତିଶୋଧ ନେବି । ହରିନାରାୟଣ ହୃଦୟରେ ଏପରି ଅଗ୍ନି ଜାଳିବି, ଯାହାର ଜ୍ୱାଳାରେ ତାହାର ହୃଦୟ ଛଟପଟ ହେବ, ଆର୍ତ୍ତନାଦରେ ଜଳ, ସ୍ଥଳ, ଓ ବ୍ୟୋମ କମ୍ପିତ ହେବ । ପ୍ରତିଶୋଧ ମୋର ମୂଳମନ୍ତ୍ର । ଯା ଅଜା, ଆପଣଙ୍କର କୌଣସି ଉପଦେଶ ମୋର ପ୍ରତିଜ୍ଞା ବ୍ୟର୍ଥ କରିପାରିବ ନାହିଁ ।

 

 

ଯାଦବଲାଲ—

ଶୁଣ ଅମର, ଏ ଜଗତରେ କ୍ଷମା ପରିଶୋଧ ଆଉ ନାହିଁ । (ହଠାତ୍‍ ପ୍ରବଳ ବାତ୍ୟାରେ ଚାରିଖଣ୍ତ ନୌକା ମଧ୍ୟରୁ ତିନିଖଣ୍ତ କୂଳରେ ଲାଗିଲା । ଖଣ୍ତେ ନୌକାକୁ ନାଉରୀମାନେ କୂଳକୁ ଆଣି ନପାରି ଚିତ୍କାର କଲେ । ତାହା ମଧ୍ୟରୁ ଗୋଟିଏ ରମଣୀ ଜଳ ମଧ୍ୟକୁ ଲମ୍ଫ ପ୍ରଦାନ କଲା—ହାହାକାର ଧ୍ୱନି ଉଠିଲା)

 

 

ବୃଦ୍ଧ—

(ଚିତ୍କାର କରି) କହିଲେ—ଯେ କେହି ମୋର ଜଳମଗ୍ନା କନ୍ୟାକୁ ଉଦ୍ଧାର କରିପାରିବ ତାକୁ ଲକ୍ଷେ ମୁଦ୍ରା ଅର୍ପଣ କରିବି । ଜମିଦାରୀ ଦେବି ।

 

 

ଅମର—

(ଧୈର୍ଯ୍ୟ ଧରି ଗଙ୍ଗାବକ୍ଷକୁ ଲମ୍ଫ ପ୍ରଦାନ କଲେ । ରମଣୀ କେଶଗୁଚ୍ଛ ଆକର୍ଷଣ କରି ଅତି କଷ୍ଟରେ ଉପରକୁ ଉଠିଲେ।) (ହରିନାରାୟଣ ନିକଟକୁ କନ୍ୟା ସହ ଆସି) ହେ ପିତୃଲାଞ୍ଛନାକାରୀ ଅତ୍ୟାଚାରୀ ପିଶାଚ ରାଜା ହରିନାରାୟଣ, ଏହି ମୋର ପ୍ରତିଶୋଧ । (ଏହା କହି ଚୈତନ୍ୟହୀନା କନ୍ୟାକୁ ତାଙ୍କ ନିକଟରେ ଶୁଆଇ ଦେଲା ।)

 

 

ହରିନାରାୟଣ—

ମୋର କନ୍ୟାର ଉଦ୍ଧାରକର୍ତ୍ତା ସ୍ୱୟଂ ଅମରପ୍ରସାଦ ? (ବାଷ୍ପରୁଦ୍ଧ କଣ୍ଠରେ) ତୁମ୍ଭେ ଏତେ ଉଚ୍ଚ, ଏତେ ମହତ୍‍, ଆଗେ ତୁମ୍ଭଙ୍କୁ ଚିହ୍ନି ନଥିଲି, ବୁଝି ନଥିଲି । ଏବେ ଚିହ୍ନିଲି, ବୁଝିଲି । ତୁମ୍ଭେ ବିଧାତାର ପ୍ରତିନିଧି, ଧର୍ମର ପ୍ରତିମୂର୍ତ୍ତି, ତୁମ୍ଭର ମହତ୍ତ୍ୱର ଉଜ୍ଜ୍ୱଳ ଆଲୋକରେଖାରେ ମୋର ଅନ୍ଧକାରମୟ ହୃଦୟ ଆଲୋକିତ ହେଲା ! ଧନ୍ୟ ତୁମ୍ଭେ, ତୁମ୍ଭଙ୍କୁ ଶତ ଧନ୍ୟବାଦ ।

(ଅନ୍ୟାନ୍ୟମାନଙ୍କ ଚେଷ୍ଟାରେ ଊର୍ମିଳାର ଜ୍ଞାନ ଉଦୟ ହେଲା ।)

 

 

ହରିନାରାୟଣ—

(କିଛିକ୍ଷଣ ନୀରବ ରହି) ଏହି ପବିତ୍ର ମୁହୂର୍ତ୍ତରେ ମୁକ୍ତ ଆକାଶ ତଳେ ଛିଡ଼ା ହୋଇ ଇଶ୍ୱରଙ୍କୁ ସାକ୍ଷୀ ରଖି ସର୍ବ ସମକ୍ଷରେ ମୋର ଅର୍ଦ୍ଧେକ ରାଜ୍ୟ ସହ ଏକମାତ୍ର କନ୍ୟା ଊର୍ମିଳାକୁ ତୁମ୍ଭ ହସ୍ତରେ ପ୍ରଦାନ କଲି । ଅବର୍ତ୍ତମାନରେ ତୁମ୍ଭେ ରାଜା—

 

 

 

(ହସ୍ତରେ ହସ୍ତ ସ୍ଥାପିତ ହେଲା—ଊର୍ମିଳାର ଦେହ କଣ୍ଟକିତ ହେଲା । ଅମରପ୍ରସାଦ ମସ୍ତକ ଅବନତ କଲେ । ସହସା ସମସ୍ତଙ୍କ ଆନନ୍ଦଧ୍ୱନୀ ମଥିତ କରି ଆର୍ତ୍ତନାଦ ଉଠିଲା । ସମସ୍ତେ ଦେଖିଲେ, ହଠାତ୍ ରାଜା ହରିନାରାୟଣଙ୍କ ଦେହ ରକ୍ତାକ୍ତ ହୋଇ ଭୂଲୁଣ୍ଠିତ ଏବଂ ତାଙ୍କ ପାର୍ଶ୍ଵରେ ତୀକ୍ଷ୍ଣ ଛୁରୀକାହସ୍ତରେ ସ୍ଖଳିତବେଶା, ମୁକ୍ତକେଶା ଏକ ରମଣୀ ଦଣ୍ଡାୟାମାନା । କ୍ଷଣମାତ୍ର ହରିନାରାୟଣଙ୍କୁ ଚାହିଁ ଅଟ୍ଟହାସ୍ୟ କରି) ହାଃ ହାଃ ହାଃ ! କର କର, ରମଣୀ ଉପରେ ଅତ୍ୟାଚାର କର । ବହୁଦିନର କଥା ମନେପଡ଼େ, ଯେଉଁଦିନ ମୋତେ ଦସ୍ୟୁ ପରି ପିତାମାତାଙ୍କ ସ୍ନେହମୟ କୋଡ଼ରୁ ସମାଜର କୋମଳଛାୟାତଳୁ ଟାଣି ଓ ଓଟାରି ଆଣି କୌସ୍ତୁଭମଣିଠାରୁ ମୂଲ୍ୟବାନ ମୋର ଅମୂଲ୍ୟ ରତ୍ନ ଅପହରଣ କଲ, ସେହିଦିନଠାରୁ ରାଜା, ତୁମ୍ଭଙ୍କୁ ହତ୍ୟା କରିବ ବୋଲି, ତୁମ୍ଭ ହୃଦୟର ରକ୍ତରେ ହସ୍ତ ରଞ୍ଜିତ କରିବ ବୋଲି ତୁମ୍ଭ ପଛେ ପଛେ ବୁଲୁଛି, କିନ୍ତୁ ସୁଯୋଗ ପାଇ ନ ଥିଲି, ଅନେକ କଷ୍ଟରେ ଆଜି ପାଇଛି । ହାଃ ହାଃ ! ଆଜି ମୋର ପ୍ରତିଜ୍ଞା ପୂର୍ଣ୍ଣ ହେଲା ।

 

 

ହରିନାରାୟଣ—

(ଭାବିଲି, ଏ ରମଣୀ ମୋଦ୍ୱାରା ଧର୍ମନିଷ୍ଟା ଗୃହସ୍ଥ ଲଳନା ସୁନ୍ଦରୀ । ଆଘାତ ଗୁରୁତର, ହରିନାରାୟଣ ଅନନ୍ତପଥରେ ଯାତ୍ରା କଲେ ।)

 

 

ସୁନ୍ଦରୀ—

ହାଃ ହାଃ ହାଃ ! ପୂର୍ଣ୍ଣ ମୋର ପ୍ରତିଶୋଧ !

 

 

(କହି କହି ନଦୀବକ୍ଷକୁ ଲମ୍ଫ ପ୍ରଦାନ କଲେ)

 

ତୃତୀୟ ଦୃଶ୍ୟ

(ଦରବାର ଗୃହ)

 

 

କାହିଁକିରେ ମନ ଭଜୁ ନାହଁ ଶାନ୍ତି

 

କି ନେଇଣ ଆସିଥିଲୁ ତୁ ଏଥି,

 

କେତେ ରାଜା କେତେ ଅଶ୍ୱ ଗଜ

 

କେକେ ଧନରତ୍ନ ଥିଲା ତୋ କତି

 

ପୂର୍ବଜନ୍ମେ କେତେ କରିଣ ସାଧନା ।

 

କେତେ ଶୁଭକର୍ମ କରି ତୁ ନିତି,

 

ପାଇ ରାଜପଣ ଏ ବିଶାଳ ରାଜ୍ୟ

 

ତଥାପି ଭଜୁଛୁ ଏତେ ଅଶାନ୍ତି ।

 

ମାନବ ଜୀବନ ନେବାକୁ ନିରତ

 

ଲୋଭ ବଳୁଅଛି କିପାଇଁ ଅତି,

 

ପ୍ରଜା ପ୍ରୀତିସୁଖେ ରହିବାକୁ ନିତ୍ୟ

 

କିମ୍ପା ବଳୁ ନାହିଁ ତୋହର ମତି ।

 

କି କି ଶୁଭକର୍ମ ହିସାବ ଦେବୁ ତୁ

ଶମନ ପାଶରେ ରଖ ତୁ ଚିନ୍ତି,

 

ଯେତେବେଳେ ଏହି ସଂସାର ଛାଡ଼ିବୁ

 

କି ନେଇ ଗମିବୁ ତୋହର ସାଥି ।

 

 

 

(ଆକବର ଶା ଦରବାର ଗୃହରେ ଏକାକୀ ବସିଅଛନ୍ତି ଓ ମନେ ମନେ ଗାଳି କରୁଅଛନ୍ତି ଏହି ସମୟରେ ଦାମୋଦର ତର୍କପଞ୍ଚାନନ ସଦର ଦ୍ୱାରରେ ଉପସ୍ଥିତ ।)

 

 

ପଣ୍ଡିତ—

ପ୍ରହରୀ, ମୁଁ ସମ୍ରାଟଙ୍କ ସଙ୍ଗେ ଦେଖା କରିବାକୁ ବହୁଦୂରରୁ ଆସିଅଛି ।

 

 

ପ୍ରହରୀ—

ତୁମ୍ଭେ କିଏ ?

 

 

ପଣ୍ଡିତ—

ମୁଁ ଜଣେ ହିନ୍ଦୁ ପଣ୍ଡିତ ।

 

 

ପ୍ରହରୀ—

(ସମ୍ରାଟଙ୍କ ନିକଟରୁ ଯାଇ ସଲାମ କରି କହିଲା) ଜାହାଁପାନା ଜଣେ ହିନ୍ଦୁ ପଣ୍ଡିତ ଦେଖା କରିବାକୁ ଅପେକ୍ଷା କରିଅଛନ୍ତି ।

 

 

ସମ୍ରାଟ—

ଡାକିଆଣ

 

 

(ପଣ୍ଡିତ ନଇଁପଡ଼ି ଦୁଇ ହସ୍ତ ପ୍ରସାରି)

 

 

ଲକ୍ଷ୍ମୀସ୍ତେ ପଙ୍କଜାକ୍ଷୀ ନିବସତୁ ସଦନେ ଭାରତୀ କଣ୍ଠଦେଶେ

ବର୍ଦ୍ଧତାଂ ବନ୍ଧୁ ବର୍ଗୋ ପ୍ରବଳରିପୁଗଣା ଯାନ୍ତୁ ପାତାଳମୂଳଂ।

 

 

ଦେଶେ ଦେଶେ ଚ କୀର୍ତ୍ତିଃ ପ୍ରଭବତୁ ଭବତାଂ କୁନ୍ଦପୁଷ୍ପେନ୍ଦୁଶୁଭ୍ରଂ

ଜୀବ ତ୍ଵଂ ପୁତ୍ରପୌତ୍ରୈଃ ସକଳଗୁଣଯୁତୋ ଭୁଞ୍ଜତାଦ୍ରାଜଲକ୍ଷ୍ମୀଃ

 

 

(ସମ୍ରାଟ ସଲାମ କରିବାରୁ ପଣ୍ଡିତେ ପୁଣି ବୋଲିଲେ)

 

 

ଧନଂ ଧାନ୍ୟଂ ଧରା ଧର୍ମଂ କୀର୍ତ୍ତିରାୟୂର୍ଯଶଃ ଶ୍ରିୟଂ ।

ତୁରଗାନ୍‍ ଦିନ୍ତିନଃ ପୁତ୍ରାନ୍‍ ମହାଲକ୍ଷ୍ମୀଃ ପ୍ରୟଚ୍ଛତୁ ।

 

 

ଅଷ୍ଟୋତ୍ତରଶତସମ୍ବତ୍ସରଜୀବିତୋଽସ୍ତୁ ।

ପରମାୟୂର୍ବୃଦ୍ଧିରସ୍ତୁ, ମନୋବାଞ୍ଛା ପରିପୂର୍ଣ୍ଣୋଽସ୍ତୁ ।

 

 

ପଣ୍ଡିତ—

(ଦରବାର ଗୃହକୁ ଦୂରରୁ ଚାହିଁ ଦେଇ) ଓହୋ, ମଣିମୟ ଆସନରେ ମଣିମୟ ଭୂଷଣରେ ମଣିମୟ ରାଜଦଣ୍ଡ ଧାରଣ କରି ମହିମାନ୍ୱିତ ମହତ୍ତ୍ଵ ବିରତ୍ୱବିମଣ୍ଡିତ ମଧ୍ୟାହ୍ନ ଭାସ୍କରସମ ବୀର୍ଯ୍ୟବାନ୍‍ ଜଗଦୀଶ୍ୱରନାମରେ ଅଭିହିତ ପ୍ରଶାନ୍ତମୂର୍ତ୍ତି ଭାରତେଶ୍ୱର ଆକବର ଶାଙ୍କୁ ଦର୍ଶନ କରି ଆଜି ମୁଁ ଧନ୍ୟ ହେଲି । ମହାରାଜ, ବର୍ତ୍ତମାନ ହିନ୍ଦୁ ରାଜାମାନେ ପଣ୍ଡିତମାନଙ୍କୁ ପଚାରୁ ନାହାନ୍ତି । ମୂଷଳମାନ ରାଜା ଘୃଣା କରନ୍ତି । ହଜୁରଙ୍କର ହିନ୍ଦୁମାନଙ୍କଠାରେ ଅତି ସ୍ନେହ ଓ ସୌହାର୍ଦ୍ୟ ଥିବା ଜାଣି କୁଟୁମ୍ବପୋଷଣ ଚିନ୍ତାରେ ପେଷି ହୋଇ ସମ୍ରାଟଙ୍କ ସଭାରେ କିଛି ଶାସ୍ତ୍ରାଲୋଚନା କରିବାକୁ ଆସିଅଛି । କେତେ ପାଠ ପଢ଼ିଲି, ଦିନେ କେହି ତାର ଆଦର କଲେ ନାହିଁ ।

 

 

ସମ୍ରାଟ—

ବର୍ତ୍ତମାନ ମୁଁ ଦାଉଦ ଖାଁ ଯୋଗେ ମହାବ୍ୟସ୍ତରେ ଅଛି । ଏ ଶାସ୍ତ୍ରାଲୋଚନାର ସମୟ ନୁହେଁ, ପରେ ଦେଖା କରିବେ ପ୍ରହରୀ । ପ୍ରଧାନ ସଚୀବଙ୍କୁ କହ, ଏ ହିନ୍ଦୁ ମୌଲବିଙ୍କୁ ଏକଶତ ଟଙ୍କା ଦେଇ ବିଦାୟ କରିଦେଇ ଆମ୍ଭ ସଙ୍ଗେ ଶୀଘ୍ର ଦେଖା କରିବେ । ସେନାପତିଙ୍କୁ ମଧ୍ୟ ଡାକି ଦେବେ ।

 

 

ପଣ୍ଡିତ—

ଓହୋ ! ହିନ୍ଦୁ ରାଜାମାନେ ଦିନକୁ ଦିନ କଣ ହେଲେ, ଆପଣା ଆପଣା ଭିତରେ ବାଦ ଲଗାଇ ନିଜ ରାଜ୍ୟ ପରକୁ ଦେଇ ପରାଧୀନ ହୋଇ ବିଧର୍ମୀମାନଙ୍କର ଆଜ୍ଞାବହ ହୋଇ ରହିଲେ । ଯାହା ହେଉ, ଆକବରଶା ବିଧର୍ମୀ ହେଲେ କଣ ହେବ, ସ୍ଵଧର୍ମୀଙ୍କଠାରୁ ଢେର ଭଲ । କି ଉଦାର ! ମୁଁ ଦେଖାକରିବା ମାତ୍ରକେ ମୋତେ ଶହେ ଟଙ୍କା ଦେଲେ। ସେ କାହିଁକି ଗଜଲକ୍ଷ୍ମୀ ଭୋଗ ନ କରିବେ ?

 

 

 

(କ୍ରମେ କ୍ରମେ ସେନାପତିଗଣ ଗୋଟିକ ପରେ ଗୋଟିଏ ଆସି ଯଥାସ୍ଥାନରେ ଉପବିଷ୍ଟ ହେଲେ । ସଭାସଦ, ପାରିଷଦ ଓ ରାଜନ୍ୟବର୍ଗ ଶଙ୍କିତ ନୟନରେ ଭାରତେଶ୍ୱରଙ୍କୁ ଚାହି ଯଥାଯୋଗ୍ୟ ଆସନରେ ଉପବିଷ୍ଟ ହେଲେ । କମ୍ପିତ ହୃଦୟରେ କମ୍ପିତ ଚରଣରେ ପ୍ରଧାନ ସଚିବ ସମ୍ରାଟଙ୍କୁ ଆଭୂମି କୁର୍ଣ୍ଣିସ୍‍ କରି ଦଣ୍ଡାୟମାନ ହେଲେ ।)

 

 

ସମ୍ରାଟ—

କି ସମ୍ବାଦ ସଚିବ ?

 

 

ସଚିବ—

(ପୁନରାୟ କୁର୍ଣ୍ଣିସ କରି ସଭୟରେ) ଜାହାଁପାନା, ସମ୍ବାଦ ବଡ଼ ଗୁରୁତର । ପଠାଣପତି ନବାବ ଦାଉଦ ଖାଁ କଟକରୁ ନବଶକ୍ତି ସଂଗ୍ରହ କରି ବଙ୍ଗ, ବିହାର, ଓଡ଼ିଶା ଅଧିକାର କରି ଆପଣାକୁ ସ୍ଵାଧୀନ ବୋଲି ପ୍ରଚାର କଲାଣି । ବଙ୍ଗର ରାଜନ୍ୟ ଓ ଭୂସ୍ୱାମୀବର୍ଗ ନିକଟରୁ ବଳପୂର୍ବକ କର ଗ୍ରହଣ କରୁଅଛି ।

 

 

ସମ୍ରାଟ—

(କ୍ରୋଧରେ କମ୍ପିତ କଣ୍ଠରେ) ତାହାର ସ୍ପର୍ଦ୍ଧା ବ୍ୟୋମସ୍ପର୍ଶୀ ଦେଖୁଛ । ଏ ସ୍ପର୍ଦ୍ଧା ତାହାର ଚୂର୍ଣ୍ଣ କରି ଧୂଳିରେ ମିଶାଇବାକୁ ହେବ । ପଠାଣର ସିହାଂସନ ଭାରତବକ୍ଷରୁ ସମୂଳେ ଉତ୍ପାଟନ କରି ସାଗରଗର୍ଭରେ ନିମଜ୍ଜିତ କରିବାକୁ ହେବ । ଏ ଧୃଷ୍ଟତାର ଏପରି ପ୍ରତିଶୋଧ ନେବାକୁ ହେବ, ଯାହାର ଦର୍ଶନରେ ମୋଗଲ ବିରୁଦ୍ଧରେ କେହି ଅଙ୍ଗୁଳି ପର୍ଯ୍ୟନ୍ତ ଉତ୍ତୋଳନ କରିବାକୁ ସାହସ କରିବ ନାହିଁ । ମୋଗଲର ନାମ ସ୍ମରଣରେ ସମସ୍ତେ ସଭୟରେ ସସମ୍ଭ୍ରମରେ ମସ୍ତକ ଅବନତ କରିବେ । ଏଥର ମୋଗଲ ସୈନ୍ୟ ଦ୍ୱାରା ବଙ୍ଗଳା ପ୍ଳାବିତ ହେବ, ସେ ପ୍ଳାବନରେ ପଠାଣ ଶକ୍ତି ଭାସିଯିବ । ଯାଅ ସଚିବ, ସ୍ୱସ୍ଥାନ ଗ୍ରହଣ କର । (କୁର୍ଣ୍ଣିସ କରି ସଚିବ ନିଜ ଆସନ ଗ୍ରହଣ କଲେ ।)

 

 

ସମ୍ରାଟ—

ସେନାପତି ମନାଇମ ଖାଁ !

 

 

ସମ୍ରାଟ—

ଦୀନ ଦୁନିଆରେ ମାଲିକ, ଏ ଗୋଲାମ ପ୍ରତି କି ଆଦେଶ ହେଉଛି ?

 

 

ସମ୍ରାଟ—

ତୁମ୍ଭେ ବୀର, ପ୍ରକୃତ ଯୋଦ୍ଧା, ଏ ଦୁବୃର୍ତ୍ତ ପଠାଣ ଦାଉଦ ଖାଁର ଦମନର ଭାର ତୁମ୍ଭପ୍ରତି ଅର୍ପଣ କଲୁଁ । ତୁମ୍ଭେ ପ୍ରଧାନ ସେନାପତି ରୂପେ ପୁନରାୟ ବଙ୍ଗଳାକୁ ଯାଅ । ରାଜା ତୋଡ଼ରମଲ୍ଲ ତୁମ୍ଭର ସହକାରୀ । ଏଥିରେ ଯେ କୌଣସି ପ୍ରକାରେ ସେ ଗର୍ବିତ ପଠାଣର ଶକ୍ତି ଚୂର୍ଣ୍ଣବିଚୂର୍ଣ୍ଣ କର । ଆମ୍ଭେ ତାହାର ରକ୍ତାକ୍ତ କବନ୍ଧ କିମ୍ବା ଶୃଙ୍ଖଳିତ ଦେହ ଚାହୁଁ । ବଙ୍ଗବିଜୟୀ ବୀର ! ଆଶା କରେ ଏ ଉପଢ଼ୌକନ ପ୍ରଦାନ କରି ଆମ୍ଭଙ୍କୁ ସନ୍ତୁଷ୍ଟ କରିବାକୁ ପରାଙୁଖ ହେବ ନାହିଁ । ଯଦି ଉପହାର ଦେଇ ପାର, ତେବେ ପ୍ରଭୂତ ପୁରସ୍କାର ଓ ଅତୁଳ ସମ୍ମାନଦ୍ୱାରା ତୁମ୍ଭଙ୍କୁ ବିଭୂଷିତ କରିବୁଁ । ନ ପାରିଲେ ତୁମ୍ବର ବାଞ୍ଛନୀୟ ଶ୍ରେଷ୍ଠ ପଦଗୌରବ ସବୁ ବୁଡ଼ିଯିବ । ଯାଅ !

 

 

(ମନାଇମ୍‍ ଖାଁ କିଛିକ୍ଷଣ ଛିଡ଼ା ହୋଇ ରହିବାରୁ)

 

 

ସମ୍ରାଟ—

ସେନାପତି ! ତୁମ୍ଭର ଆଉ କିଛି ବକ୍ତବ୍ୟ, ଅଛି କି ?

 

 

ସେନାପତି—

ଏ ଅଧିନର ସମ୍ରାଟ୍‍ଙ୍କ ନିକଟରେ ଅର୍ଜି ଅଛି । ଯଦି ଆଦେଶ ହୁଏ, ଅଭୟ ଦିଅନ୍ତି—

 

 

ସମ୍ରାଟ୍‍—

ନିଃଶଙ୍କ ଚିତ୍ତରେ କହ ସେନାପତି ! ତୁମ୍ଭର କି ଅର୍ଜି ଅଛି ।

 

 

ସେନାପତି—

ହଜୁରଙ୍କ ଆଦେଶ ମସ୍ତକରେ ଗ୍ରହଣ କଲି, ମାତ୍ର ସାହନଶା, ରାଜା ତୋଡ଼ରମଲ୍ଲ ବ୍ୟତୀତ ଅନ୍ୟ କୌଣସି ସେନାନୀକୁ ସହକାରିରୂପେ ପ୍ରାର୍ଥନା କରୁଅଛି ।

 

 

ସମ୍ରାଟ୍‍—

ତାହାର କାରଣ ?

 

 

ସେନାପତି—

ତାହାର କାରଣ ଦାଉଦର ଏହି ଶକ୍ତିସଂଗ୍ରହ ହେତୁ ରାଜା ତୋଡ଼ରମଲ୍ଲ ।

 

 

ସମ୍ରାଟ୍‍—

କିପରି ?

 

 

ସେନାପତି—

ନବାବ୍‍ ଦାଉଦ୍‍ ଖାଁ ମୋଗଲଶକ୍ତିଦ୍ୱାରା ପରାଜିତ ହୋଇ ବଙ୍ଗର ଏକ ରାଜାର ଆଶ୍ରୟ ଗ୍ରହଣ କଲେ । ରାଜା ତୋଡ଼ରମଲ୍ଲ ରାଜାଙ୍କ ପୁରୀ ଆକ୍ରମଣ କରି ଦାଉଦ ଖାଁଙ୍କୁ କରାୟତ୍ତ କରି ମୁକ୍ତି ଦେଲେ । ସେ ସମୟରେ ମୁଁ ଉପସ୍ଥିତ ହୋଇ ନବାବଙ୍କୁ ଧୃତ କରିବାକୁ ମୋଗଲ ସୈନ୍ୟଙ୍କୁ ଆଦେଶ ଦେଲି । ରାଜା ତହିଁରେ ବାଧା ଦେଲେ । ତେଣୁ ପୁନରାୟ ଏହି ବଙ୍ଗବିଜୟର ଆୟୋଜନ ।

 

 

ସମ୍ରାଟ୍‍—

ରାଜା ତୋଡ଼ରମଲ୍ଲ, ଏହା ସତ୍ୟ ?

 

 

ତୋଡ଼ରମଲ୍ଲ—

(ଅଭିବାଦନ କରି) ସତ୍ୟ ସମ୍ରାଟ୍‍ ।

 

 

ସମ୍ରଟ୍‍—

ରାଜା, ତୁମ୍ଭଙ୍କୁ ଅସୀମ ପ୍ରଭୂତ୍ୱ, ଅତୁଳ ଶକ୍ତି ପ୍ରଦାନ କରିଛି, ଅଗାଧ ବିଶ୍ୱାସ ତୁମ୍ଭଠାରେ ଅଯାଚିତଭାବରେ ଢାଳି ଦେଇଛି, କିନ୍ତୁ ଆଜି ଏ କଣ ଶୁଣୁଛି ରାଜା-?

 

 

ରାଜା—

ସମ୍ରାଟ୍‍ ! ରାଜପୁତ କେତେବେଳେ ବିଶ୍ୱାସଘାତକ ହୁଏ ନାହିଁ । ମୁଁ ରାଜଭକ୍ତ ପ୍ରଜା, ହିନ୍ଦୁ ନିକଟରେ ରାଜା, ଜାତି ଧର୍ମ ନିର୍ବିଶେଷରେ ଦେବତାସ୍ୱରୂପ । କାହିଁକି ମୁଁ ମୁକ୍ତି ଦେଲି ଶୁଣନ୍ତୁ ସମ୍ରାଟ୍‍ । ଦାଉଦ ଖାଁ ପରାଜିତ ହୋଇ ପ୍ରାଣଭୟରେ ପଳାୟନ କରି ଗୋଟିଏ କନ୍ୟାର ଆଶ୍ରୟ ଗ୍ରହଣ କଲେ । ତାହାର ସୈନ୍ୟ ନାହିଁ, କେହି ସହାୟ ନାହିଁ । ତଥାପି ବାଳିକା ତାହାକୁ ଆଶ୍ରୟ ଦେଲା । ସେ ବାଳିକାର ପିତା ହରିନାରାୟଣ ଅଟନ୍ତି । ସେତେବେଳେ ସେ ମୋଗଲ ସାହାଯ୍ୟପାଇଁ ମୁଙ୍ଗେର ଅଞ୍ଚଳରେ ଥିଲେ । ନବାବ ଦାଉଦଙ୍କୁ ହସ୍ତରେ ଦେବାପାଇଁ ଯେତେ ଭୟ ଦେଖାଇଲି, ସେ ବାଳିକା କଦାପି ତାହା କଲା ନାହିଁ । ଧନ୍ୟ ସେ ବାଳିକା ! ମୁଁ ରାଜପୁତ ଯୋଦ୍ଧା ହୋଇ ସୁଦ୍ଧା ସେ ଅବଳାକୁ ଆକ୍ରମଣ କରିବାକୁ ଆଦେଶ ପ୍ରଦାନ କରି ତାହାର କାର୍ଯ୍ୟ ଯାହା ଦେଖିଲି, ଚମତ୍କୃତ ହେଲି । ଆମ୍ଭ ସୈନ୍ୟକୁ ବାଧା ଦେବାକୁ ତାହାର ମୁଷ୍ଟିମେୟ ପ୍ରହରୀବର୍ଗଙ୍କୁ ସେ ଆଦେଶ ଦେଲା । ପ୍ରତ୍ୟେକ ପ୍ରହରୀ ଯୁଦ୍ଧରେ ପରାଜିତ ହଲେ । ମୁକ୍ତ ଦ୍ୱାରପଥରେ ପ୍ରବେଶୋଦ୍ୟତ ହୋଇ ଗୋଟିଏ ଅପୂର୍ବ ଦୃଶ୍ୟ ଦର୍ଶନରେ ସ୍ତମ୍ବିତ ହୋଇ ରହିଲି । ତାହା କଣ ବର୍ଣ୍ଣନା କରିବି ?

 

 

ସମ୍ରାଟ୍—

କଣ ଦେଖିଲ ରାଜା ?

 

 

ତୋଡ଼ରମଲ୍ଲ—

ଦ୍ଵାରପଥରେ ଶତରାମଧନୁବର୍ଣ୍ଣବିଜୟିତ୍ରୀ ଆଲୁଳାୟିତ କୁନ୍ତଳା ତେଜୋମୟୀ ମାତୃମୂର୍ତ୍ତି ହସ୍ତରେ ଅସି ଧରି ବୀରଦର୍ପରେ ସହସା ଆସି ମୋତେ ବାଧା ଦେଲା । ମୁଁ ଦେଖିଲି, ତାହାର ଦେହରେ ତ୍ରିଭୁବନର ସୋନ୍ଦର୍ଯ୍ୟ, ନୟନରେ ଅନଳପ୍ରଭା ଓ ବଦନରେ ସମୁଦ୍ରଗାମ୍ଭୀର୍ଯ୍ୟ । ତେଣୁ ସଭୟରେ ମୁଁ ପଛକୁ ଫେରିଲି । ଏହି ସମୟରେ ଦାଉଦ୍‍ ଖାଁ ଅଟ୍ଟାଳିକା ମଧ୍ୟରୁ ବହିର୍ଗତ ହୋଇ ମୋତେ ଆକ୍ରମଣ କଲା । କ୍ଷଣକ ଯୁଦ୍ଧରେ ସେ ପରାଜିତ ହେଲା । ତାକୁ ବନ୍ଦୀ କରିବାକୁ ସୈନ୍ୟଙ୍କୁ ଆଦେଶ ଦେଲେ । ଏହି ସମୟରେ ସେହି ମାତୃମୂର୍ତ୍ତି ଶୀଘ୍ର ଆସି ନବାବ ସମ୍ମୁଖରେ ଉପସ୍ଥିତ ହେଲା । ଶତ ଭୀତି ପ୍ରଦର୍ଶନରେ ମଧ୍ୟ କୌଣସି ପ୍ରକାରେ ସେ ବାଳିକା ଘୁଞ୍ଚିଲା ନାହିଁ । ମୁଁ ଭାବିଲି, ବାଳିକାକୁ ହତ୍ୟା ନ କରି ନବାବଙ୍କୁ ବନ୍ଦୀକରିବା ମୋ ପକ୍ଷରେ କଦାପି ସମ୍ଭବ ନୁହେଁ । ଏକେତ ନିରାଶ୍ରୟ ନିଃସମ୍ବଳ ପଳାୟିତ ଶତ୍ରୁକୁ ବନ୍ଦୀ କରିବାକୁ ସସୈନ୍ୟରେ ଆସିଛି । ଏହା ଦୁରପନେୟ କଳଙ୍କ । ପୁଣି ନାରୀହତ୍ୟା କରିବାକୁ କଦାପି ମୋର ହସ୍ତ ଉତ୍ତୋଳିତ ହେଲା ନାହିଁ । ତେଣୁ ନବାବଙ୍କୁ ମୁକ୍ତି ଦେଲି । ଗରୀୟାନ୍ ମହୀୟାନ୍ ହେ ଭାରତଭାଗ୍ୟବିଧାତା, ମୁଁ ଅପରାଧୀ-। ପ୍ରଭୋ ! ମୋତେ ଶାସ୍ତି ଦିଅ । ମାତ୍ର ବିଶ୍ୱାସଘାତକରୂପ କଳଙ୍କଭାର ରାଜପୁତ ମସ୍ତକରେ ଢାଳି ଦିଅ ନାହିଁ

 

 

ସମ୍ରାଟ୍—

ଚମତ୍କାର ! ଏହା ବିଶ୍ୱାସଘାତକତା ନୁହେଁ । ଏହା ତୁମ୍ଭର ମହତ୍ତ୍ୱର ଉଜ୍ଜ୍ୱଳ ଆଦର୍ଶ । ବନ୍ଦୀକୁ ମୁକ୍ତିଦେଇ ଆମ୍ଭ ଶିରରେ ଗୌରବ ମୁକୁଟ ପିନ୍ଧାଇଛ । ଧନ୍ୟ ତୁମ୍ଭର କୀର୍ତ୍ତି ! ଯଦି ତୁମ୍ଭେ କ୍ଷୁଦ୍ର ବାଳିକାକୁ ହତ୍ୟାକରି ନବାବ ଦାଉଦଙ୍କୁ ବନ୍ଦୀ କରିଥାନ୍ତି, ଆମ୍ଭର ଲଲାଟ କଳଙ୍କରେ ଲିପ୍ତ ହୋଇଥାନ୍ତା ଏବଂ ଆମ୍ଭଙ୍କୁ ନାରୀହନ୍ତା ବୋଲି ଜଗତରେ କହିଥାନ୍ତି । ହେ ରାଜା ତୋଡ଼ରମଲ୍ଲ ! ତୁମ୍ଭେ ମହାପ୍ରାଣ ଅଟ । ଏ ମହାପ୍ରାଣତାର ପୁରସ୍କାରରୂପେ ତୁମ୍ଭଙ୍କୁ ଆଜି ବିଶାଳ ଜାୟଗିରି ପ୍ରଦାନ କରୁଛି । ଆଜିଠାରୁ ମହାରାଜା ପଦବୀ ପାଇଲ ।

 

 

(ହୋସେନ କୁଲିଖାଁଙ୍କୁ ଡାକି) ଆସ ସେନାପତି ।

 

 

ସେନାପତି—

କୁର୍ଣ୍ଣିସ କରି ଦଣ୍ଡାୟମାନ ।

 

 

ସମ୍ରାଟ୍‍—

ସେନାପତି ! ତୁମ୍ଭେ ପ୍ରଭୁଭକ୍ତ; ମହାଯୋଦ୍ଧା । ତୁମ୍ଭଠାରେ ବଙ୍ଗ ବିଜୟର ଭାର ଅର୍ପଣ କଲୁଁ । ମହାରାଜା ତୋଡ଼ରମଲ୍ଲ ତୁମ୍ଭର ସହକାରୀ ।

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

 

(ରାଜା ଅମରପ୍ରସାଦଙ୍କ କକ୍ଷ ।)

 

 

ବିଦୂଷକ—

ଛାମୁ ସର୍ଦାର ଥିଲେ, ରାଜା ହେଲେ, ମାତ୍ର ବ୍ରାହ୍ମଣ ପେଟ ଦିନେ ପୂରିଲା ନାହିଁ-। କିନ୍ତୁ—

 

 

ଅମର—

କିନ୍ତୁ କହି ରହିଗଲ ଯେ ।

 

 

ବିଦୂ—

କିନ୍ତୁ ଆପଣଙ୍କ ପିତା ଦିଲ୍ଲୀପ ସିଂହଙ୍କ ପରି ଆତ୍ମା ଚିହ୍ନିବା ଲୋକ ମୁଁ ଦେଖି ନାହଁ । ଉଁ—ଆକଣ୍ଠ ଖୁଆଇ ଛାଡ଼ିବେ । ଆରେ ବାପରେ, ଦିନେ ମୁଁ ଧୂମ ଖରାବେଳେ ପହଞ୍ଚିଗଲି । ଦେଖିବା ମାତ୍ରକେ ପଚାରିଲେ, କଣ ଖାଇଚ ? ମୁଁ ପିତ୍ତରକ୍ଷା ପାଇଁ ସକାଳୁ ସ୍ନାନ କରି ସେରେ ଚୂଡ଼ା ଗୋଟାଏ ନଡ଼ିଆ ପଳେ ଗୁଡ଼ ଖାଇଥିଲି । ମୋର ସେ କଥା ଆଉ ମନେ ନାହିଁ । ହଠାତ୍ କହିଦେଲି— କିଛି ଖାଇ ନାହିଁ । ସେହିକ୍ଷଣି ଗୋଟାଏ ଦହି ପ୍ରାୟ ଦୁଇ ସେର ହେବ ଅଣାଇଲେ । ତାଙ୍କ ସମୟର ଦହି ଆଜି କାହିଁ ? ଆଙ୍ଗୁଳିଏ ମୋଟା ସର ପଡ଼ିଥାଏ । ହାତରୁ ଚିକଣ ତିନିଦିନେ ଛାଡ଼ିବ ନାହିଁ । ସବୁ ବନ୍ଦୋବସ୍ତ କରି ମୋତେ ଡାକି ନେଲେ, ମୁଁ ଯାଇ ଚାହିଁଦେବା ମାତ୍ରେ ମୋ ମନଟା ଉଲୁସି ଉଠିଲା, ଆର ଜିଭରୁ ନାଳ ଗଡ଼ି ପଡ଼ୁଥାଏ, ମୁଁ ତାକୁ ଢୋକି ପକାଉ ଥାଏ ।

 

 

ଅମର—

କଣ ଖୁଆଇଲେ ?

 

 

ବିଦୂ—

ସେ କଥା କଣ କିହିବି । ସେ କଣ ମନରୁ ଯିବ ? ଫୁଙ୍କିଦେଲେ ଉଡ଼ିଯିବ—ଦୁଇ ସେର ସରୁଚୂଡ଼ା, ଚାରି ଗଣ୍ତା ପାଚିଲା କଦଳୀ, ଦହିଟା ପ୍ରାୟ ଦୁଇ ସେର ହେବ । ଅଧ ସେର କି ପାଞ୍ଚ ପଳ ଗୁଡ଼, ଥାଳିଏ ନଡ଼ିଆ କୋରା । ମୁଁ ନାହିଁ କରୁ କରୁ ସବୁଯାକ ଚୂଡ଼ା ତିନ୍ତାଇ ଦେଇ ଚୁପୁଡ଼ି ଗୋଟାଏ ବଡ଼ ଥାଳିରେ ମୋ ଆଗରେ ଥୋଇ ଦେଲେ । କଦଳୀଗୁଡ଼ାକ ଚୋପା ଛଡ଼ାଇ ତା ସଙ୍ଗରେ ପକାଇଦେଲେ । ମୁଁ ଦହି ସରଟାକୁ ବାହାର କରି ମଧୁରେଣ ସମାପୟେତ୍‍ କରିବାକୁ ରଖି ପ୍ରାୟ ଅର୍ଦ୍ଧେକ ଦହି ଢାଳିଦେଇ ଅଧେ ଗୁଡ଼ ପକାଇ ଦଳାଟାଏ ଦଳି ପଞ୍ଚଗ୍ରାସ କଲାବେଳକୁ ଦେଖିଲି ଯେ, ଲଙ୍କାମରିଚ ନାହିଁ । ଭାବୁ ଭାବୁ ଗୋଟାଏ ପଥର ଥାଳିରେ ଚାରି ପାଞ୍ଚ ପ୍ରକାର ଆଚାର, ମେଞ୍ଚାଏ ଲୁଣ, ଦୁଇ ଗଣ୍ଡା କଞ୍ଚା ରାଗୁଆ ଲଙ୍କାମରିଚ ଆସି ପହଞ୍ଚିଗଲା, ଥାଳି ଥୋଇଦେବା ମାତ୍ରେ ଗୋଟାଏ ଲଙ୍କାମରିଚ ଚୋବାଇ ଦେଲି । ପାଟି ହୁ ହୁ ହେଉଥାଏ, ଆଖି ବୁଜି ଗେଫାକେତେ ମାରିଦେଲି । ପୁଣି ଆଉ ଗୋଟାଏ ଲଙ୍କା ଚୋବାଇ ଆଉ ଗେଫାକେତେ ଖାଇଗଲି । ଫେରେ ଗୋଟାଏ ଲଙ୍କାମରିଚ ସବୁ ଆଚାର ସଙ୍ଗେ ଏକତ୍ର ଚକଟି ଦେଲି । ଯେତେବେଳେ ଲୁଣ ପକାଇ ଆଚାର ଚକଟିଲି, ପାଟିରୁ ନାଳର ସୀମା ନାହିଁ । ବାକି ଅଧିକ ଦହି ଢାଳିଦେଇ ବାକି ଗୁଡ଼ତକ ପକାଇ ଦେଇ ପ୍ରତି ଗେଫାରେ ଖଟାସୋଡ଼କେ ଏପରି ପ୍ରାୟ ଚଉଦ ବିଶ୍ୱା ଶେଷ କଲି । ଦୁଇ ବିଶ୍ୱା ବାକି ଥାଏ, ଆଉ ବୁଢ଼ା ଛାଡ଼େ କୁଆଡ଼େ, ମୋ ଆଗରେ ବସି ସବୁ ଶେଷ କରିବାକୁ ବାଧ୍ୟ କଲେ । ମୋର ଆଉ ଖାଇବାକୁ ଇଚ୍ଛା ନ ଥାଏ, କେବଳ ଦହି ସରଟାରେ ମନ ଥାଏ । କଣ କରିବି, ସରଟା ପକାଇ ଦଳି ଦେଲାବେଳକୁ ହାତ କଚଟି ପର୍ଯ୍ୟନ୍ତ ଚିକ୍କଣଗୁଡ଼ାକ ଲାଗି ରହିଲା-। ମୁଁ କି ଛାଡ଼େ, ସବୁ ଅଙ୍ଗୁଳି ପାପୁଲି ଓ ପାପୁଲି ପଛ ବି ଚାଟି ପକାଇଲି-। ଆଉ ଦୁଇ ବିଶ୍ୱା ଖାଇଦେଲା ବେଳକୁ ଆଉ ଯାଏ କୁଆଡ଼େ, ଉଠିବା କଠିନ-। ଖୋଷଣୀ ହୁଗୁଳାଇ ବହୁ କଷ୍ଟରେ ଉଠି ହାତ ଧୋଇ ପଥର ପିଣ୍ଡାରେ ପଡ଼ିଗଲି ।

 

 

ଅମର—

ଆଚ୍ଛା ଦୁଇ ଚାରି ପ୍ରକାର ଆଚାର ଦିଆ ଯାଇଥିଲା । ପ୍ରତ୍ୟେକର ସୁଆଦ ନ ବାରି ଏକ ସଙ୍ଗେ ଖାଇଦେଲ କାହିଁକି ?

 

 

ବିଦୂ—

ଆଜ୍ଞା ବୁଝିଲେ ନାହିଁ କି, ଜିଭ ସିନା ସୁଆଦଟା ବାରେ, ନାକତଳ ଗଡ଼ିଆକୁ ଚାଲିଗଲେ ସବୁ ସମାନ । ରାଜା ହରିନାରାୟଣଙ୍କ ମୃତ୍ୟୁ ପ୍ରାୟ ଦୁଇ ବର୍ଷ ଅତୀତ ହେଲାଣି । ସୁଖଦୁଃଖ ସଂମିଶ୍ରଣ ଯୋଡ଼ିଏ ବର୍ଷ କାଳର ପ୍ରବଳ ନର୍ତ୍ତନରେ ଅତୀତର ଅଙ୍ଗରେ ମିଶିଗଲାଣି । ସେ ଦୁଇ ବର୍ଷ କେତେ ଉତ୍ଥାନ ପତନ ଓ ଜୀବନମରଣ ମଧ୍ୟ ଦେଇ ଅଟଳ ନିୟମରେ ତାଳସ୍ରୋତ ଦ୍ୱାରା କୌଣସି ଅଜ୍ଞାତ ଦେଶକୁ ଚାଲିଗଲାଣି, ମାତ୍ର ଏ ମଧ୍ୟରେ ଏପରି ଟ୍ରାସଟାଏ ମିଳିଲା ନାହିଁ, ହଉ ଦୀର୍ଘଜୀବୀ ହୁଅ, ଏହିପରି ପୁଣ୍ୟ ଅର୍ଜ୍ଜନ କର ।

 

 

ଅମର—

ଆପଣ ବେଳେ ଖାଇଗଲେ କଣ ମୋର ପୁଣ୍ୟ ହେବ ?

 

 

ବିଦୂଷକ—

ଛାମୁ ତ ପିଲା, କଣ କହିବି । ଆଜ୍ଞା—ଅନ୍ନଦାନଠାରୁ ଦାନ ନାହିଁ କି ପରୋପକାରଠାରୁ ପୁଣ୍ୟ ନାହିଁ ।

 

 

ଅମର—

ଆଚ୍ଛା ଆପଣ ମଣ୍ଡପରେ ବସନ୍ତୁ, ଯତ୍‍ସାମାନ୍ୟ ଭୋଜନ କରି ଯିବେ ।

 

 

ବିଦୂଷକ—

ରାଜାଘରେ ଯତ୍‍ସାମାନ୍ୟ କଥାଟା ଶୋଭା ପାଏ ନାହିଁ । ଆକଣ୍ଠଭୋଜନ ନ ହେଲେ କି ସନ୍ତୋଷ ଜନ୍ମିବ ?

 

 

ଅମର—

ଆଚ୍ଛା ବସନ୍ତୁ, ଦେଖାଯିବ । ମୁଁ ବନ୍ଦୋବସ୍ତ କରିଦେଇ ଶୀଘ୍ର ମୋଗଲ ଶିବିରକୁ ଯାତ୍ରା କରିବି । ମୋର ବିଳମ୍ବ ଦେଖି ପ୍ରଧାନ ସେନାପତି ଲୋକ ପଠାଇବେଣି । (ସଭାଷଦ୍‍ମାନଙ୍କୁ ଚାହିଁ) ଯେ ମୋ ସଙ୍ଗରେ ଯିବ ପ୍ରସ୍ତୁତ ହୋଇ ମୋ ପଛରେ ଆସ । ମୁଁ ଯାଉଛି । ମନ୍ତ୍ରୀ ! ବ୍ରାହ୍ମଣ ବିଚରା ମଣ୍ଡପରେ ବସିଛନ୍ତି, ପାଟମହାଦେଈଙ୍କୁ ଖବର ଦେବ, ତାଙ୍କୁ ପୂର୍ଣ୍ଣଭୋଜନ ଦେଇ ବିଦାୟ କରିବେ । ନଗରରକ୍ଷା ପ୍ରଶ୍ନ ବିଶେଷ ସାବଧାନ ଥିବ ।

 

ଦ୍ଵିତୀୟ ଦୃଶ୍ୟ—(କକ୍ଷ)

 

ଊର୍ମିଳା—

(ମନେ ମନେ) ସ୍ୱାମୀ ଶିବିରକୁ ଗଲେ, ମୋତେ କହିଗଲେ ନାହିଁ ? ଓହୋ ! ପୁରୁଷଙ୍କର ହୃଦୟୁ ବଡ଼ କଠିନ । ଭଗବାନ୍ ଜାଣନ୍ତି, କେତେଦିନ ଯୁଦ୍ଧ ଲାଗୁଛି, କିଏ ଜୟୀ ହେଉଛି ।

 

 

(ଗୀତ)

 

 

କାହିଁକିରେ ମନ ହେଉଛୁ ଅଥୟ

କାହିଁପାଇଁ ହେଉ ନାହୁଁ ତୁ ଥୟ ।

ଦେଖୁଛିରେ ହାସ୍ୟ—ମୟୀ ପୁଷ୍ପୁଁ ମଧୁ

ଚୋରି କରି ମଉଳାଏ ଭ୍ରମର ।

ଦେଖୁଛ ଜଗତେଅସଂଖ୍ୟ ଯୌବନ

କୁସୁମ ମଉଳି ଯାଏ ସତ୍ୱର,

ପୁରୁଷ ଭ୍ରମର ନୁହଇ କାହାର

ଛାଡ଼ି ଦମ୍ଭ ଶାନ୍ତି ଏକା ମନର ।

 

 

ଅମର—

(ଗାନ ଗାଇଲାବେଳେ ରାଜା ନୀରବରେ ଅନ୍ତଃପୁର ମଧ୍ୟରେ ପ୍ରବେଶ କରି ଡାକିଲେ) ଊର୍ମିଳା ! ଯୁଦ୍ଧ ଆରମ୍ଭ ହୋଇ ନାହିଁ ଶୁଣି ବାଟରୁ ଫେରି ଆସିଲି, କାଲି ଯିବି ।

 

 

ରାଣୀ—

(ସଲଜ କଣ୍ଠରେ ) ଚୋରି ପରି ତୁନି ହୋଇ କ’ଣ ଦେଖୁଥିଲ ପ୍ରଭୋ !

 

 

ରାଜା—

କଣ ଦେଖୁଥୁଲି ପ୍ରିୟେ ? ଶୁଣ ।

 

 

(ଗୀତ)

 

 

କି ଶୋଭା ଏ ରୂପରାଶି

ଅମଳ କମଳ ଅବା ଶାରଦୀୟା

ତାରାମଣ୍ଡିତ ଶଶୀ ।

ନୀଳାକାଶାଙ୍କିତ ଶୈଳଶ୍ରେଣୀ ସମ

କି ସୁଦୀର୍ଘ କେଶରାଶି ।

ନୟନଯୁଗଳ ବିକଚ କମଳ

ସମୁଜ୍ଜ୍ୱଳ ତାରା ଦିଶି ।

ସୁଚାରୁ ବଦନ ବସନ୍ତ କୁସୁମ

ସମ ଶୋଭା ପରଶଂସି ।

ପବିତ୍ର ଲାଳିତ ସରଳ ବିମଳ

ହାସ୍ୟ ଶୋଭା ପରକାଶି ।

 

 

ଊର୍ମିଳା—

ତୁମ୍ଭେ ବିଶ୍ୱର ସୌନ୍ଦର୍ଯ୍ୟ ଓ ପ୍ରକୃତିର ହାସ୍ୟ । ଶତ ଧନ୍ୟ ମୁହିଁ ମୋହର ଶତ ସୌଭାଗ୍ୟ, ତେଣୁ ତୁମ୍ଭ ପରି କୋହିନୂର ହୃଦୟରେ ଧାରଣ କରିବାକୁ ସମର୍ଥ ହୋଇଅଛୁ ।

 

 

ରାଣୀ—

(ଲଜ୍ଜାଜଡ଼ିତ କଣ୍ଠରେ) ମୁଁ ତୁମ୍ଭର ଦାସୀ, କେବଳ ଦାସୀ ଏହା ମୋର ଗୌରବ ।

 

 

ରାଜା—

(ବାହୁ ପ୍ରସାରଣଦ୍ୱାରା ରାଣୀକୁ ଆବଦ୍ଧ କରି ଓ ଚୁମ୍ବନ ଦେଇ) ଊର୍ମିଳା ! ତୁମ୍ଭେ ଦାସୀ ନୁହଁ । ତୁମ୍ଭେ ଏହି ମୋର ବିଶାଳ ହୃଦୟ ରାଜ୍ୟର ଅଧୀଶ୍ୱରୀ ।

 

 

ରାଣୀ—

(ଅନେକ କ୍ଷଣ ପରେ ନିଜକୁ ରାଜାଙ୍କ ବାହୁ ପାଶରୁ ମୁକ୍ତ କରି) ପ୍ରଭୋ ! ଚରଣରେ ଦାସୀର ଗୋଟିଏ ପ୍ରାର୍ଥନା ଅଛି ।

 

 

ରାଜା—

(କୃତ୍ରିମ କ୍ରୋଧରେ) ମୁଁ ଯେତେବେଳେ ତୁମ୍ଭର ପ୍ରଭୁ, ତୁମ୍ଭେ ମୋର ପ୍ରେମବନ୍ଧନରୁ କି ଅଧିକାରରେ ସ୍ୱେଚ୍ଛାରେ ମୁକ୍ତ ହୋଇ ଘୁଞ୍ଚି ଛିଡ଼ାହେଲ, ପ୍ରଥମେ ଏହାର କୈଫିୟତ୍‍ ମୁଁ ଚାହେଁ । ପରେ ତୁମ୍ଭର ପ୍ରାର୍ଥନା ଶୁଣିବି ।

 

 

ରାଣୀ—

(ହାସ୍ୟ ନୟନରେ) ସେଥିପାଇଁ ମୁଁ ଅପରାଧିନୀ । ପ୍ରଭୁଙ୍କ ବିଚାରରେ ସେଥିପାଇଁ ଯେଉଁ ଦଣ୍ଡ ଦେବା ଉଚିତ ତାହା ଗ୍ରହଣ କରିବାକୁ ସର୍ବଦା ମୁଁ ପ୍ରସ୍ତୁତ ।

 

 

ରାଜା—

ଅପରାଧିନୀର ହସ୍ତରେ ଶୃଙ୍ଖଳ ଥିବା ଉଚିତ । ପ୍ରଥମେ ତୁମ୍ଭଙ୍କୁ ଶୃଙ୍ଖଳିତ କରେଁ, ପରେ ବିଚାର କରିବି । (ଗୃହବିଲମ୍ବିତ ପୁଷ୍ପମାଳା ନେଇ ରାଣୀଙ୍କ ହସ୍ତ ବନ୍ଧନ କରିବା) ବନ୍ଦିନୀ ! ଏଥର ପ୍ରାର୍ଥନା କଣ କହ ?

 

 

ରାଣୀ—

ଅପରାଧିନୀ ତାହାର କୃତ ଅପରାଧ ପାଇଁ ଯୁକ୍ତି କରେ, ମାର୍ଜନାଭିକ୍ଷା କରୁଛି । ବନ୍ଦିନୀକୁ ମୁକ୍ତି ଦେବାକୁ ଆଜ୍ଞା ହେଉ ।

 

 

ରାଜା—

ଆଚ୍ଛା, ଏହା ପ୍ରଥମ ଅପରାଧ ବୋଲି ତାହା ମାର୍ଜନା କଲି; କିନ୍ତୁ ଭବିଷ୍ୟତରେ ଏପରି ଅପରାଧ ଯେପରି କରା ନ ଯାଏ ।

 

 

ରାଣୀ—

(ମୃଦୁହାସ୍ୟରେ) ଯେ ଆଜ୍ଞା ପ୍ରଭୋ !

 

 

ରାଜା—

(ରାଣୀହସ୍ତରୁ ପୁଷ୍ପମାଳା ଖୋଲି) ଯା ବନ୍ଦିନୀ । ତୁମ୍ଭେ ମୁକ୍ତ । ଏଥର ତୁମ୍ଭର ପ୍ରାର୍ଥନା କହ ।

 

 

ରାଣୀ—

ଏ ଯୁଦ୍ଧରେ କାହାର ପକ୍ଷ ଅବଲମ୍ବନ କରିଛ ?

 

 

ରାଜା—

ଏ ପ୍ରଶ୍ନ କାହିଁକି ରାଣୀ ?

 

 

ରାଣୀ—

କାରଣ ନ ଥିଲେ ପ୍ରଶ୍ନ ମିଳେ ନାହିଁ । ଯଦି କୌଣସି ପକ୍ଷ ଅବଲମ୍ବନ କରି ନଥାଅ, ତେବେ ପଠାଣକୁ ସାହାଯ୍ୟ କର ।

 

 

ରାଜା—

ପଠାଣ ତୁମ୍ଭର କିଏ ?

 

 

ରାଣୀ—

ପଠାଣ ମୋହର ସନ୍ତାନ । ପ୍ରିୟତମ, ଦାସୀର ସବିନୟ ଅନୁରୋଧ ତୁମ୍ଭେ ନିରପେକ୍ଷ ରହ । ଏହା ନ ହେଲେ ପଠାଣ ପକ୍ଷରେ ଅସ୍ତ୍ରଧାରଣ କର ।

 

 

ରାଜା—

ତାହା ହେବ ନାହିଁ ପ୍ରେୟସୀ । ମୋହର ସ୍ୱର୍ଗୀୟ ପ୍ରଭୁଙ୍କ ପଦାଙ୍କ ଅନୁସରଣ କରିବ । ବିଶେଷତଃ ମୁଁ ମୋଗଲକୁ ବାକ୍ୟଦାନ କରିଛି ।

 

 

ରାଣୀ—

ବାକ୍ୟଦାନ କରିଛ ? ତେବେ କଣ ହେବ ପ୍ରଭୁ ? ମୁଁ ମଧ୍ୟ ପଠାଣକୁ ସାହାଯ୍ୟ କରିବାକୁ ସତ୍ୟ କରିଛି ।

 

 

ରାଜା—

ପ୍ରିୟତମ ! ଏଥିପାଇଁ କାତର କାହିଁକି ? ରାଜପୁତ ବାକ୍ୟ ସତ୍ୟ, ନିରତ ଅଟଳ, ହିମାଦ୍ରୀ ଶିଖରସମ ଉନ୍ନତ । ଶତ ଶତ ବଜ୍ରାଘାତଦ୍ୱାରା ତାହା ଘୁଞ୍ଚେ ନାହିଁ । ରାଜପୁତର କର୍ତ୍ତବ୍ୟ ଆଶ୍ରିତରକ୍ଷଣ । କେବେ ଚନ୍ଦ୍ର ସୂର୍ଯ୍ୟ ବିଚଳତ ହୋଇପାରେ, ମାତ୍ର ରାଜପୁତ ସତ୍ୟ କେବେ ବିଚଳିତ ହୁଏ ନାହିଁ । ସେହି ରାଜପୁତ ବଂଶରେ ତୁମ୍ଭର ଜନ୍ମ, ଯେଉଁ ବଂଶରେ କର୍ତ୍ତବ୍ୟ ସକାଶେ ଥରେ ଜଗଦ୍‍ଜନନୀ ଭକ୍ତ ପାଇଁ ଦଶହସ୍ତରେ ଦଶପ୍ରହରଣ ଧରିଥିଲେ । ସେ କର୍ତ୍ତବ୍ୟ ପାଳନ କରିବା ତୁମ୍ଭ ପକ୍ଷରେ ସମିଚୀଦ ଅଟେ । ବିଧାତାଙ୍କର ଆଶିଷରେ ସମର୍ଥ ହୋଇ ରାଜପୁତ ଲଳନାର ଗୌରବରସ୍ମିଦ୍ୱାରା ତୁମ୍ଭେ ସମସ୍ତ ଜଗତକୁ ଆଲୋକିତ କର । ସେ ଆଲୋକ ଦର୍ଶନରେ ମୁଁ ଧନ୍ୟ ହୁଏ । ମୁଁ ତୁମ୍ଭକୁ କିଛିମାତ୍ର ସାହାଯ୍ୟ କରିବି ନାହିଁ । ନାରୀ ପାଇଁ ମୁଁ ବିଶ୍ୱାସଘାତକତା କରି ଅନନ୍ତନିରୟ ଅନନ୍ତକଳଙ୍କ ବହନ କରିବି ନାହିଁ, ଏହା ମୋର ପ୍ରତିଜ୍ଞା । ତୁମ୍ଭର କର୍ତ୍ତବ୍ୟକାର୍ଯ୍ୟ ସମ୍ପାଦନ ପାଇଁ ତୁମ୍ଭେ ଅଗ୍ରସର ହେବ । କେବେହେଁ ବିମୁଖ ହେବ ନାହିଁ । ହେ ଶକ୍ତିମୟୀ ! ଅନ୍ୟ କିଛି କରି ନ ପାରିଲେ କାୟମନୋବାକ୍ୟରେ ତୁମ୍ଭର ସନ୍ତାନ ପାଇଁ ନିରତ ଈଶ୍ୱରଙ୍କର ଆରାଧନା କରିବ ?

 

 

ରାଣୀ—

ସ୍ୱାମୀ, ଆଶୀର୍ବାଦ କର । ଆଶ୍ରିତରକ୍ଷଣ ପାଇଁ ଯେପରି ସମର୍ଥ ହୁଏ ଓ ରାଜପୁତଲଳନାର କର୍ତ୍ତବ୍ୟରୁ ଭ୍ରଷ୍ଟ ନ ହୁଏ ।

 

ରାଜା—

ଆଶୀର୍ବାଦ କରୁଛି, କର୍ତ୍ତବ୍ୟ ସାଧନରେ ରାଜପୁତଲଳନାର ଆଦର୍ଶସ୍ଥାନୀୟା ହୁଅ ।

 

 

(ରାଣୀ ଭକ୍ତିରେ ରାଜାଙ୍କ ପଦଧୂଳି ଗ୍ରହଣ କଲେ)

 

ତୃତୀୟ ଦୃଶ୍ୟ—(ଉପବନ)

 

ଆହା କି ମଧୁର ମୋହନ ମୂରତି,

ଆହାକି ଉଜ୍ଜ୍ୱଳ ଚିକ୍କଣ ଜ୍ୟୋତି ।

ବରଚ୍ଛା କି ହୃଦେ ରହିଅଛି ଲାଖି,

ନିର୍ମ୍ମଳ ପବିତ୍ର ବଦନ ଭାତି ।

ଚାତକ ପରାଇ ରହିଛି ଅନାଇଁ

ମରୀଚିକା ସମ ଅଶାରେ ମାତି,

ସ୍ନେହବାରିଧାରା ସତେ କି ବରଷି

ଶୀତଳ କରିବ ହୃଦୟ ତାତି ।

 

 

(ରାଜମହଲ ପ୍ରଧାନ ଧନପତି ରୁଦ୍ରପତିଙ୍କ କନ୍ୟା ଶୋଭନା ଉପବନ ମଧ୍ୟସ୍ଥ ବେଦିକା ଉପରେ ବସି ଗାନ କରୁଅଛନ୍ତି; ଗାନ ଶେଷରେ ନିଜ ମନକୁ କହୁଅଛନ୍ତି ।)

 

 

ଦିନେ ମାତ୍ର ଥରେ ତାଙ୍କୁ ଦେଖିଥିଲି, କିନ୍ତୁ ଏପର୍ଯ୍ୟନ୍ତ ସେ ରୂପ ଭୁଲି ପାରୁନାହିଁ । ଆହା, କିପରି ସେ ମଧୁରମୋହନ ମୂର୍ତ୍ତି, ସତେ ଯେପରି ଗୋଟିଏ ପୁଣ୍ୟର ଦୀପ୍ତି, ଗୋଟିଏ ସୂର୍ଯ୍ୟର ଜ୍ୟୋତି । ସେ ଜ୍ୟୋତି, ସେ ରୂପ, ସେ ମୂର୍ତ୍ତି ଏପର୍ଯ୍ୟନ୍ତ ନୟନ ସମ୍ମୁଖରେ ଉଦ୍ଭାସିତ ହେଉଅଛି । ସେ ମହତ୍ତ୍ୱ, ସେ ଉଦାରତା ମନୁଷ୍ୟର ନୁହେଁ, ନିଜର ବିପଦ ତୁଚ୍ଛ କରି ଯେତେବେଳେ ମୋତେ ଉଦ୍ଧାର କଲେ, ସେତେବେଳେ ମନେହେଲା ଯେପରି କୌଣସି ଦେବତା ମୋର ଉଦ୍ଧାର ପାଇଁ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଅଛନ୍ତି ।

 

 

ଆହା, କି ମଧୁର କଣ୍ଠସ୍ଵର ! ଆଜିଯାଏ ସେ ସ୍ୱର କର୍ଣ୍ଣରେ ଧ୍ୱନିତ ହେଉଅଛି । ଯାଦୁକର ପରି ମୁହୂର୍ତ୍ତକ ମଧ୍ୟରେ ମୋତେ ଅଭିଭୂତ କରି ପକାଇଲେ । ସେହିଦିନ ହୃଦୟରେ ତାଙ୍କର ସେ ମୂର୍ତ୍ତି ଅଙ୍କିତ କରିଦେଇ ଯାଇଅଛନ୍ତି । କାହିଁ ଶତ ଚେଷ୍ଟାରେ ତ ସେ ମୂର୍ତ୍ତି ହୃଦୟରୁ ଅନ୍ତର ହେଉ ନାହିଁ । ମନ ହୁଏ, ସେ ମଧୁର ନାମ ଦିବାନିଶି ଜପ କରନ୍ତି । ସାଧ୍ୟ ହେଲେ ଏହି ମୂର୍ତ୍ତି ନିତ୍ୟ ପୂଜା କରନ୍ତି । ଆଉ କଣ ସେ ମୂର୍ତ୍ତି ଦେଖି ପାରିବି ନାହିଁ ? ଆଉ କଣ ସେ କଣ୍ଠସ୍ୱର ଶୁଣିବି ନାହିଁ ? ହେ ପ୍ରେମମୟ ଦେବତା, ଆଉଥରେ ଆସ । ଅମଳଧବଳରୂପରେ କରୁଣନୟନରେ ତରୁଣହାସ୍ୟ ସହ ଆସ ।

 

 

(କହିବା ପରେ ବେଦିକା ଉପରେ ଶୋଇପଡ଼ିଲେ । ଏପରି ସମୟରେ ଏକ ସୁନ୍ଦରୀ ଆସି ଡାକିଲା)

 

 

ସୁନ୍ଦରୀ—

ସଖି ଶୋଭନା !

 

 

ଶୋଭନା—

(ଧୀରେ ଧୀରେ ଉଠି ଧୀର କଣ୍ଠରେ) କିଏ, ସଖୀ କାମନା ?

 

 

କାମନା—

ହଁ ଭଉଣୀ, ମୁଁ କାମନା, କିନ୍ତୁ ତୁମ୍ଭଙ୍କୁ ଆଜି ଏତେ ବିବର୍ଣ୍ଣ ଦେଖୁଛି କାହିଁକି ?

 

 

ଶୋଭନା—

(କାମନାର କଣ୍ଠାଲିଙ୍ଗନ କରି କାତରକଣ୍ଠରେ) ଭଗିନୀ, ମୋର ସବୁ ଯାଇଛି ।

 

 

କାମନା—

କଣ ସବୁ ଯାଇଛି ?

 

 

ଶୋଭନା—

ମୋର ହୃଦୟ, ମନ, ପ୍ରାଣ, ଆମୋଦଆହ୍ଲାଦ, ସୁଖଶାନ୍ତି, ନୟନର ତାରା, ହୃଦୟର ତରଙ୍ଗ ଜୀବନସର୍ବସ୍ୱ ସବୁ ଯାଇଛି ।

 

 

କାମନା—

ସବୁ ଗଲା କିପରି ?

 

 

ଶୋଭନା—

କଣ ତାହା ଶୁଣିବ ? ଆଉ ଗୋପନ ରଖିବି ନାହିଁ, ରଖି ମଧ୍ୟ ପାରୁ ନାହିଁ । ଅପର ନିକଟରେ ହୃଦୟର କଥା କହିଲେ ଆକୁଳ ଅକାଂକ୍ଷା ପରିତୃପ୍ତ ହୁଏ । ହୃଦୟର ଦୁର୍ବହ ଭାର ଅନେକ ପରିମାଣରେ ଲଘୁ ହୁଏ; ତେଣୁ ଆଜି ତୁମ୍ଭଙ୍କୁ କହିବି । ଶୁଣ ଭଉଣୀ, ଯେଉଁଦିନ ଦସ୍ୟୁକବଳରେ ପଡ଼ିଲି, ଯେଉଁଦିନ ସେ ନାରୀ ଗୌରବ ପଦାଘାତ କରିବାକୁ ଉଦ୍ୟତ ହୁଏ, ସେହିଦିନ ସେହିସମୟରେ ଅଗ୍ନି ପରି ତେଜସ୍ୱୀ ଏକ ବୀରପୁରୁଷ ଆସି ମୋତେ ଦସ୍ୟୁ କବଳରୁ ଉଦ୍ଧାର କଲେ । କେଡ଼େ ସୁନ୍ଦର ସେ ମୂର୍ତ୍ତି ! ଯାହା କହିବାକୁ ଓ ବୁଝାଇବାକୁ ମୋର ଭାଷା ନାହିଁ । ସେ କେବଳ ଅନୁଭୂତିର କଥା । କି ବୀରତ୍ୱ, କି ବିଦ୍ୟୁତ୍ ପ୍ରଭାସମ ଅସି ଚାଳନା, ତାହା ନ ଦେଖିଲେ ବୁଝି ହୁଏ ନାହିଁ । ଏକା ତିନି ଜଣ ସଶସ୍ତ୍ର ଦସ୍ୟୁକୁ ପରାଜିତ କରି ମୋତେ ଉଦ୍ଧାର କଲେ-। କି ମନୋହର କଣ୍ଠସ୍ୱର ! ମୋର ଗର୍ବ ଥିଲା ଯେ, ମୁଁ ଅତୁଲ୍ୟା ରୂପସୀ-। ଏପରି ପୁରୁଷ ଜଗତରେ ନାହିଁ, ଯେ ମୋହର ଯୌବନ ଓ ଅନନ୍ତ ସୁଷମାଭରା ରୂପରେ ଆକୃଷ୍ଟ ନ ହେବ । କିନ୍ତୁ ସେ ଗର୍ବ, ସେ ଧାରଣା ଚୂର୍ଣ୍ଣ ହୋଇଗଲା, ମୋ ପ୍ରତି ଥରେ ମାତ୍ର ଦୃଷ୍ଟି ପକାଇ ସେ ଦେବତା ନୟନ ନତକଲେ, ମୁଁ ଗୋପନରେ ତାଙ୍କୁ ଦେଖୁଥିଲି । କିନ୍ତୁ ଦ୍ଵିତୀୟ ଥର ମୋ ପ୍ରତି ଦୃଷ୍ଟିପାତ କରି ନାହାନ୍ତି । ପିତା ଉପକାରର ବନିମୟରେ ବହୁ ଐଶ୍ଚର୍ଯ୍ୟ ପ୍ରଦାନ କରିବାକୁ କହିଲେ, ସେ ତାହା ଉପେକ୍ଷା କଲେ । ଦେବତା ଆଉ କାହାକୁ କହନ୍ତି ? ସେ ଦେବତା ? ମୁଗ୍ଧ ହୃଦୟରେ ମୁଁ ମୋର ଜୀବନଯୌବନ ସର୍ବସ୍ୱ ତାଙ୍କ ଚରଣରେ ଅଯାଚିତଭାବରେ ଢାଳିଦେଲି ।

 

 

କାମନା—

ଆଚ୍ଛା କରିଛ, ସେ ଚୋର କିଏ କହିଲ, ତାକୁ ଧରି ଆଣେ ?

 

 

ଶୋଭନା—

ସେ ସାମାନ୍ୟ ଚୋର ନୁହନ୍ତି, ସେ ନିଜ ଇଚ୍ଛାରେ ଧରା ନ ଦେଲେ ପୃଥିବୀର ସମସ୍ତ ବିପଦ ଓ ସମ୍ପଦରାଶି ବିନିମୟରେ ମଧ୍ୟ ତାଙ୍କୁ କେହି ଧରି ପାରିବେ ନାହିଁ; ସେ ମନୁଷ୍ୟ ନୁହନ୍ତି, ସଂଯମର ସଜୀବ ପ୍ରତିମୂର୍ତ୍ତି ।

 

 

କାମନା—

ଯାହାହେଉ ସେ ଦେବତା ହୁଅନ୍ତୁ, ଦେବତାର ତ ନାମଧାମ ଅଛି ? ସେ ଦେବତାଟିର ନାମ କଅଣ କହ ତ ?

 

 

ଶୋଭନା—

ତାଙ୍କର ନାମ ଅମରପ୍ରସାଦ, ସେ ରାଜା ହରିନାରାୟଣ ସିଂହଙ୍କ ସର୍ଦ୍ଦାର ଥିଲେ; ମାତ୍ର ନିଜର ଗୁଣଦ୍ୱାରା ତାଙ୍କର କନ୍ୟା ଓ ରାଜ୍ୟ ପାଇ ବର୍ତ୍ତମାନ ରାଜା ।

 

 

କାମନା—

କିପରି ? ସର୍ଦ୍ଦାରରୁ ଏକାବେଳକେ ରାଜା ! ଘଟଣା କଣ କହିଲ ?

 

 

ଶୋଭନା—

ପ୍ରଥମେ ତାଙ୍କର ଶୌର୍ଯ୍ୟର କଥା ଶୁଣ । ଦିନେ ମୁଁ ମୋର ପିତା ଓ ମାତାଙ୍କ ସହ ମୁଙ୍ଗେର ଯାଉଥିଲି । ରାସ୍ତାରେ ତିନି ଜଣ ଦସ୍ୟୁ ଆମ୍ଭମାନଙ୍କୁ ଆକ୍ରମଣ କଲେ । ସେ ସମୟରେ ସେ ଅମ୍ଭମାନଙ୍କର ଚିତ୍କାର ଶୁଣି ହଠାତ୍ କେଉଁଠାରୁ ଆସି ପହଞ୍ଚି ଏକାକୀ ତିନିଜଣ ଦସ୍ୟୁଙ୍କୁ ପରାସ୍ତ କରି ଅମ୍ଭମାନଙ୍କୁ ଦସ୍ୟୁ ହସ୍ତରୁ ମୁକ୍ତ କଲେ । ତାଙ୍କର ଗୁଣ ଶୁଣ—ଯେତେବେଳେ ସେ ଦସ୍ୟୁଦଳନ କରି ପିତାଙ୍କ ନିକଟରେ ଉପସ୍ଥିତ ହେଲେ, ପିତା ତାଙ୍କର ଉପକାର ପାଇଁ ପୁରସ୍କାର ଯାଚିବାରୁ ସେ କହିଲେ ରାଜପୁତ କେବେ ଉପକାର ବିକ୍ରୟ କରେ ନାହିଁ । ଏହାଦ୍ୱାରା ସେ କି ଉଚ୍ଚତା ଏବଂ ବୀରହୃଦୟର ପରିଚୟ ଦେଇଥିଲେ-! ସେହି ମୁହୂର୍ତ୍ତରୁ ପତଙ୍ଗ ପରି ତାଙ୍କର ରୂପର ଜ୍ୟୋତିରେ ଆକୃଷ୍ଟ ହୋଇ ମୋହର ମନକୁ ଆହୁତି ଦେଇଥିଲି । ଆଜି ହୃଦୟଖୋଲି ତୁମ୍ଭ ପାଖରେ ଏହା କହିଲି ।

 

 

କାମନା—

ସଖି, ମୋତେ କ୍ଷମାକର, ମୁଁ କଥା ନ ବୁଝି ପରିହାସ କରୁଥିଲି ! ସତେ ସେ ତ ଦେବତା ! ବର୍ତ୍ତମାନ ମୋର ମନ ହେଉଛି, ଧାଇଁ ଯାଇ କିପରି ଥରେ ତାଙ୍କୁ ଦେଖି ଆସନ୍ତି ।

 

 

ଶୋଭନା—

ତାହା ନ ହେଲେ ସଖି, ମୁଁ ଚିନ୍ତା ଓ ଦୁଃଖର ନାମ ଜାଣି ନଥିଲି, ଆଉ ମୋର ଯେ ମୁଖ ସତତ ହାସ୍ୟରଞ୍ଜିତ ଥିଲା, ଆଉ ହୃଦୟ ତଟିନୀ ପରି ଚଞ୍ଚଳ ଆବେଗମୟୀ ଓ ଉଚ୍ଛ୍ୱାସମୟୀ ଥିଲା, ସେ ହୃଦୟ ଆଜି ଗାମ୍ଭୀର୍ଯ୍ୟରେ ଧୀର ଏବଂ ଚିନ୍ତାରେ ଶୁଷ୍କ ହୋଇ ଯାଇଅଛି । ଭାବିଥିଲି ଫୁଲପରି ଫୁଟି ରହିଥିବି, ଜୀବନରେ କେବେ ବିବାହ କରିବି ନାହିଁ । କିମ୍ବା କେବେ ପୁରୁଷକୁ ହୃଦୟଦାନ କରିବି ନାହିଁ । ମାତ୍ର ବର୍ତ୍ତମାନ ସେହି ଗର୍ବିତହୃଦୟ ପୁରୁଷର ଉପାସିକା ଓ ସେବିକା । ଭାବିଥିଲି, ପୁରୁଷ ରମଣୀ ହସ୍ତରେ ଯନ୍ତ୍ରଚାଳିତ ପିତୁଳା, ରମଣୀ କଥାରେ ଉଠେ ଓ ବସେ ଏବଂ ରମଣୀ ପାଇଁ କର୍ତ୍ତବ୍ୟ ଓ ବିବେକାଦି ବିସର୍ଜନ କରେ, କିନ୍ତୁ ଯେଉଁଦିନ ତାଙ୍କୁ ଦେଖିଛି, ସେହିଦିନ ମୋର ଭ୍ରାନ୍ତି ଦୂର ହୋଇଛି-। ସଖି, ମୋର ସବୁ ଗର୍ବ, ସବୁ ଅହଙ୍କାର ତାଙ୍କର ଉଜ୍ଜ୍ୱଳ ତେଜରେ ତରଳିଯାଇ ପ୍ରେମରେ ପରିଣତ ହୋଇଛି । ମୁଁ ବର୍ତ୍ତମାନ ଅତୁଳ ବିଭବର ଅଧିକାରିଣୀ, ଅସଂଖ୍ୟ ଦାସ ଦାସୀ ମୋର ମନସ୍ତୁଷ୍ଟି ପାଇଁ ସଦା ବ୍ୟସ୍ତ; ବହୁମୂଲ୍ୟ ବସନଭୂଷଣ ପ୍ରଭୃତି କୌଣସି ପଦାର୍ଥର ଅଭାବ ନାହିଁ, କିନ୍ତୁ କାହିଁରେ ସୁଖ ନାହିଁ, କି ଶାନ୍ତି ନାହିଁ । ସଖି, କାହିଁକି ଏପରି ହେଲା ? ଯାହାକୁ ପାଇବାର ଅଶା ନାହିଁ, ଯେ ଅପରର ବନ୍ଧନରେ ଆବଦ୍ଧ, ତା ପାଇଁ ହୃଦୟ କାହିଁକି ଏତେ ପାଗଳ ? ମନ କାହିଁକ ତାକୁ ଚାହେଁ ? ମୋର ଏକ ଅସମ୍ଭବ ଦୂରାଶା !

 

 

କାମନା—

ସଖି ! ତାହାହିଁ ପ୍ରେମର ନିୟମ । ଏହିଯୋଗୁ କବିମାନେ ପ୍ରେମକୁ ଅନ୍ଧ ବୋଲି କହନ୍ତି । ପ୍ରେମ ପାତ୍ରପାତ୍ରୀ ଜାତିଭେଦ କିମ୍ବା କୌଣସି ବାଧାବିଘ୍ନ ବୁଝେ ନାହିଁ । ଅନ୍ଧପରି ସାଗରଗାମିନୀ କୂଳପ୍ଲାବିନୀ ପାଗଳିନୀ ତରଙ୍ଗିଣୀ ପରି କେବଳ ପ୍ରବଳ ଉଚ୍ଛ୍ୱାସରେ ଇପ୍‍ସିତଲୋକ ନିକଟକୁ ଧାଇଁଯାଏ । ଭଗିନୀ, ପ୍ରେମ ସ୍ୱର୍ଗୀୟ ବସ୍ତୁ ଓ ନିଷ୍କାମ; କେବଳ ଦେବାକୁ ଚାହେଁ, ନେବାକୁ ଚାହେଁ ନାହିଁ । ଯଦି ସେହିପରି ମନ ରଖିପାର, ତାହାହେଲେ ଭଗିନୀ, ଏହାର ପ୍ରତିଦାନ ଦିନେ ନିଶ୍ଚୟ ପାଇବ । ଅନ୍ତରରେ ତାଙ୍କର ମୂର୍ତ୍ତି ସ୍ଥାପନ କରି, ତାଙ୍କରି କାର୍ଯ୍ୟରେ ତାଙ୍କରି ଉଦ୍ଦେଶ୍ୟରେ ସର୍ବସ୍ୱ ଉତ୍ସର୍ଗ କର, ଦେଖିବ “ତହିଁରେ କେତେ ସୁଖ, କେତେ ଶାନ୍ତି, କେତେ ଆନନ୍ଦ ଓ କେତେ ତୃପ୍ତି ମିଳିବ-

 

 

ଶୋଭନା—

(କାମନାର କଣ୍ଠାଲିଙ୍ଗନ କରି) ତୁ ଠିକ୍ କହିଲୁ, ମୋର ରୁଦ୍ଧନୟନ ଉନ୍ମୁକ୍ତ କରିଦେଲୁ । ମନୁଷ୍ୟ ଯେପରି ବିଧାତାକୁ ସବୁ ଉତ୍ସର୍ଗ କରି ପୂଜା କରେ, ସେହିପରି ଆଜିଠାରୁ ମୁଁ ତାଙ୍କୁ ସବୁ ଉତ୍ସର୍ଗ କରି ପୂଜା କରିବି ।

 

ପଞ୍ଚମ ଅଙ୍କ

ପ୍ରଥମ ଦୃଶ୍ୟ—(କକ୍ଷ)

 

(ଅମର ସିଂହଙ୍କ ରାଜପ୍ରାସାଦରେ ଏକ ଶୋଭାମୟ କକ୍ଷ ମଧ୍ୟରେ ଏକ ସୁକୋମଳ ଆସନ ଉପରେ ବସି ରାଣୀ ଊର୍ମିଳା ଭାବୁଅଛନ୍ତି ।)

 

 

ଓହୋ ! କି ଘୋର ଯୁଦ୍ଧ ଲାଗିଛି, ଫଳ କଣ ହେବ ଭଗବାନ୍ ଜାଣନ୍ତି । ଏତେ ଦିନ ଗଲା, ରାଜା ଥରେ ନଗରକୁ ଆସିଲେ ନାହିଁ ।

 

 

(ଏହି ସମୟରେ ଦ୍ଵାରଦେଶରେ ଏକ ଅପୂର୍ବ ନାରୀମୂର୍ତ୍ତି ଉପସ୍ଥିତ)

 

 

ରାଣୀ—

କିଏ ତୁମ୍ଭେ ବିଦ୍ୟୁଦ୍‍ବରଣି ରମଣୀ ?

 

 

ରମଣୀ—

ମୋର କି ପରିଚୟ ଦେବି ରାଣୀ ? କେବଳ ମୋର ପରିଚୟ ଏହି ଯେ, ମୁଁ ଜଣେ ଅଭାଗିନୀ । ଆଉ ଯଦି ଆପଣ ଅଧିକାର ଦିଅନ୍ତି, ତେବେ ଆପଣଙ୍କର ସାନ ଭଉଣୀ ।

 

 

ରାଣୀ—

ତୁମ୍ଭେ ଅଭାଗିନୀ ! ଏପରି ଅପରିସୀମ ରୂପରାଶି ଦେଇ ବିଧାତା ଯାହାକୁ ସୃଷ୍ଟି କରିଅଛନ୍ତି, ସେ କେତେବେଳେ ଅଭାଗିନୀ ନୁହେ । ଆଉ ତୁମ୍ଭେ ଯେ ହୁଅ, ଆଜିଠାରୁ ତୁମ୍ଭେ ମୋର ସାନ ଭଉଣୀ । ଆସ ଭଉଣୀ, ଘର ମଧ୍ୟକୁ ଆସ, ମୋ ପାଖରେ ବସ, ତୁମ୍ଭର ମନକଥା ଶୁଣେ ।

 

 

(ରାଣୀ ସହସା ଉଠିଆସି ରମଣୀର ହସ୍ତଧାରଣ କରି ଟାଣି ନେବା ସମୟରେ ଦେଖିଲେ ପଛରେ ଆଉ ଗୋଟିଏ ନାରୀ ହସ୍ତରେ କାରୁକାର୍ଯ୍ୟଖଚିତ କାଷ୍ଠନିର୍ମିତ ବାକ୍ସ ଧରି ଛିଡ଼ା ହୋଇଅଛି ।)

 

 

ରାଣୀ—

ଏ କିଏ ?

 

 

ରମଣୀ—

ସହଚରୀ ।

 

 

ରାଣୀ—

ଆସ ଭଉଣୀ । ତୁମ୍ଭେ ଆସ (ସମସ୍ତେ ଯଥା ସ୍ଥାନରେ ବସିବା ପରେ ମୃଦୁହାସ୍ୟ କରି ସ୍ନେହପୂର୍ଣ୍ଣ କଣ୍ଠରେ ରାଣୀ କହିଲେ ।)

 

 

ମୁଁ ଯେ କୌଣସି ନାରୀକୁ ଭଗିନୀ ସମ୍ବୋଧନ କରେ ନାହିଁ କିମ୍ୱା ଭଗିନୀର ଅଧିକାର ଦେଇ ଏକାସନରେ ବସେ ନାହିଁ, କିନ୍ତୁ ତୁମ୍ଭର ଭୁବନମୋହନ ରୂପ, ଶିଷ୍ଟ ଶାନ୍ତ ଧୀର ବାକ୍ୟ ଓ ଅଙ୍ଗଭଙ୍ଗୀ ପ୍ରତ୍ୟେକେ ତୁମ୍ଭର ଉଚ୍ଚତାର ପରିଚୟ ଦେଉଅଛନ୍ତି । ଯଦି ପ୍ରକୃତ ମୋତେ ଜ୍ୟେଷ୍ଠା ଭଗିନୀ ପରି ଜ୍ଞାନ କର, ତେବେ କିଛି ଗୋପନ ନ କରି ପ୍ରକୃତ ପରିଚୟ ଦିଅ !

 

 

ରମଣୀ—

ମୁଁ ରୁଦ୍ରପତିଙ୍କ କନ୍ୟା, ମୋର ନାମ ଶୋଭନା ।

 

 

ରାଣୀ—

କେଉଁ ରୁଦ୍ରପତି ? ଧନଶ୍ରେଷ୍ଠ କମଳାର ବରପୁତ୍ର ରୁଦ୍ରପତିଙ୍କ କନ୍ୟା ତୁମ୍ଭେ ?

 

 

ଶୋଭନା—

ହଁ ଭଉଣୀ ! ମୁଁ ତାଙ୍କରି ଅଭାଗିନୀ କନ୍ୟା ।

 

 

ରାଣୀ—

କୁବେରର ଐଶ୍ଚର୍ଯ୍ୟ ତୁମ୍ଭର ଚରଣରେ ଲୁଣ୍ଠିତ, ତୁମେ ଅଭାଗିନୀ କିପରି ?

 

 

ଶୋଭନା—

ଐଶ୍ଚର୍ଯ୍ୟର ବିନିମୟରେ କି ସବୁ ମିଳେ ?

 

 

ରାଣୀ—

ନା, ତାହା ମିଳେ ନାହିଁ ସତ୍ୟ । ବୁଝିଛି ଭଗିନୀ ତୁମ୍ଭର ମନରେ ଗୋଟିଏ ମନୁଷ୍ୟର ଅଭାବ ହୋଇଛି । ତାହାଛଡ଼ା ଆଉ କଣ ହୋଇପାରେ ? ତୁମ୍ଭର ରୂପ, ଐଶ୍ଚର୍ଯ୍ୟ କିଛି ତ ଅଭାବ ନାହିଁ; ଦେଖି ଶୁଣି ଗୋଟିଏ ବିଭା ହେଉନାହଁ-?

 

 

ଶୋଭନା—

ନା ଭଗିନୀ ! ଏ ହୃଦୟ ବହୁଦିନ ପୂର୍ବରୁ ଅଯାଚିତଭାବରେ ଏକ ଦେବତାର ପଦରେ ଉତ୍ସର୍ଗ କରିଛି ।

 

 

ରାଣୀ—

ସତେ ! କିଏ ସେ ସୌଭଗ୍ୟବାନ୍ ପୁରୁଷ, ଯେ ତୁମ୍ଭ ପରି ଅତୁଲ୍ୟା ରମଣୀର ହୃଦୟ ଅଧିକାର କରିଛନ୍ତି ?

 

 

ଶୋଭନା—

ସେ ଜଣେ ଯୋଦ୍ଧା; ପ୍ରକୃତରେ ସେ ମହା ସୌଭାଗ୍ୟବାନ୍ ପୁରୁଷ । ବୀରତ୍ୱରେ ସେ ପ୍ରତିଦ୍ୱନ୍ଦିହୀନ, ମହତ୍ତ୍ୱରେ ଅତୁଳନୀୟ । ତାଙ୍କର ରୂପ ଅନନ୍ତ ଓ ଗୁଣ ଅସୀମ—ଯେପରି କି ସ୍ଵର୍ଗର ଗୋଟିଏ କଲ୍ଲୋଳ ଜଗତକୁ ଶିକ୍ଷା ଦେବାପାଇଁ ମର୍ତ୍ତ୍ୟକୁ ଆସିଛି ।

 

 

ରାଣୀ—

ତୁମ୍ଭେ ଯେ ତାଙ୍କୁ ସ୍ନେହ କର ଓ ଭଲ ପାଅ, ଏ କଥା ସେ ଜାଣନ୍ତି ?

 

 

ଶୋଭନା—

ନା ।

 

 

ରାଣୀ—

ତାଙ୍କ ସଙ୍ଗେ କଥାବାର୍ତ୍ତା କରି ତୁମ୍ଭର ମନର ଭାବ ତାଙ୍କୁ ଜଣାଇଲ ନାହିଁ କାହିଁକି ?

 

 

ଶୋଭନା—

କଥାବାର୍ତ୍ତା ତ ବହୁଦୂରର କଥା, ସେ ଯେ ମୋତେ ଥରେମାତ୍ର ଦେଖି ନାହାନ୍ତି-

 

 

ରାଣୀ—

ଏ କି କଥା ?

 

 

ଶୋଭନା—

ଦିନେ ମୁଁ ଦସ୍ୟୁକବଳରେ ପଡ଼ିଥିଲି, ଏପରି ସମୟରେ ସେ ଆସି ଦସ୍ୟୁକବଳରୁ ମୋର ପ୍ରାଣ, ଇହକାଳ ଓ ପରକାଳ ରକ୍ଷା କଲେ । ମୁଁ ତାଙ୍କୁ ଦେଖିଛି, କିନ୍ତୁ ଲକ୍ଷ କରିଛି, ସେ ମୋ ପ୍ରତି ଥରେ ମାତ୍ର ଦୃଷ୍ଟିପାତ କରି ନାହାନ୍ତି । ପିତା ପ୍ରତ୍ୟୁପକାରସ୍ଵରୂପ ଐଶ୍ଚର୍ଯ୍ୟ ଦେବାକୁ କହିଲେ, କିନ୍ତୁ ସେ ଅମ୍ଳାନ ବଦନରେ ତାହା ଉପେକ୍ଷା କଲେ । ବୀରତ୍ୱ ଓ ମହତ୍ତ୍ୱର ଏକତ୍ର ସମାବେଶ ମୋର ହୃଦୟକୁ ବିମୁଗ୍ଧ କଲା । ମୁଁ ତାଙ୍କ ଚରଣରେ ମୋର ସର୍ବସ୍ୱ ଉତ୍ସର୍ଗ କଲି । କିଛି ଦିନ ପରେ ଶୁଣିଲି, ସେ ଗୋଟିଏ ବିଶାଳ ଜାୟଗିରି ପାଇଲେ ଏବଂ ଦେବୀରୂପିଣୀ ଜଣେ ରମଣୀ ତାଙ୍କର ସହଧର୍ମିଣୀ ହେଲେ । ପ୍ରଥମେ ପ୍ରଥମେ ମୋର ଲାଳସାନଳ ପ୍ରଜ୍ୱଳିତ ହୋଇ ଉଠୁଥିଲା, ଚିତ୍ତ ଦମନ କରି ପାରୁ ନ ଥିଲି । କିନ୍ତୁ, ଶୁଭମୁହୂର୍ତ୍ତରେ ଏହି ସହଚରୀର ଅମୀୟଝଙ୍କାର ସଦୃଶ ଉପଦେଶ ବାକ୍ୟ ସେ ଲାଳସାନଳ ନିର୍ବାପିତ କରିଦେଲା । ସଙ୍କଳ୍ପ କଲି, ତାଙ୍କର ମୂର୍ତ୍ତିପୂଜା କରି ଜୀବନ ଅତିବାହିତ କରିବି । ତାଙ୍କ ପାଇଁ ଓ ତାଙ୍କ କାର୍ଯ୍ୟରେ ଏ ଜୀବନ ଦେବାକୁ ହେଲେ ଦେବି । ଆଉ ମଧ୍ୟ ସଙ୍କଳ୍ପ କଲି, ସେହି ଦେବତାଙ୍କ ପ୍ରୀତ୍ୟର୍ଥରେ ମୋର ସବୁ ଅଳଙ୍କାର ଓ ରତ୍ନରାଜି ସେହି ସୌଭାଗ୍ୟଶାଳିନୀ ରମଣୀ ପଦରେ ଉପହାର ଦେଇ ଆଶୀର୍ବାଦ ଗ୍ରହଣ କରିବି । ହେ ମହୀୟସୀ ଭଗିନୀ, ଅଭାଗିନୀ ଭଗିନୀର ଏ ଦୀନ ଉପହାର ଗ୍ରହଣ କରି ତାକୁ ଆଶୀର୍ବାଦ କର, ଯେପରି ତାର ହୃଦୟ ସେ ଦେବତାଙ୍କର ଏକବିନ୍ଦୁ କରୁଣା ଲାଭ କରିବାକୁ ସମର୍ଥ ହୁଏ ।

 

 

ରାଣୀ—

ସତୀର ମନୋଭିଳାଷ କେତେବେଳେ ଅପୂର୍ଣ୍ଣ ରହେ ନାହିଁ । ତୁମ୍ଭଙ୍କୁ ଶତ ଧନ୍ୟବାଦ, ତୁମ୍ଭେ ମୋର ସାନ ଭଉଣୀ ନୁହଁ, ମୁଁ ତୁମ୍ଭର କନିଷ୍ଠା । ହେ ସତୀତ୍ୱର ଆଦର୍ଶରୂପିଣୀ ଭଗିନୀ, ତୁମ୍ଭେ ଆଶୀର୍ବାଦ କର, ଯେପରି ସ୍ୱାମୀଙ୍କ ଚରଣ ଦିଓଟି ପୂଜା କରି ତହିଁରେ ଶିର ରଖି ଏକ ପ୍ରାଣରେ ଏକ ଧ୍ୟାନରେ ଏକ ଜ୍ଞାନ ଓ ଏକ ଲକ୍ଷରେ ଧର୍ମର ମଙ୍ଗଳଶଙ୍ଖ ଶୁଣି ଶୁଣି ଜୀବନର ସାଫଲ୍ୟ ଲାଭ କରି ସାଧନାର ପର ପାରକୁ ଚାଲିଯାଇ ପାରେଁ । ଭଗିନୀ, ମୁଁ ଯଥାସାଧ୍ୟ ଚେଷ୍ଟା କରିବି । ଯେପରି ମୋର ପ୍ରଭୁ ତୁମ୍ଭଙ୍କୁ ଆନନ୍ଦରେ ଗ୍ରହଣ କରନ୍ତି, ତାଙ୍କ ସଙ୍ଗେ ମୋର ସାକ୍ଷାତ୍ ହେଲା ମାତ୍ରକେ ପ୍ରଥମେ ତୁମ୍ଭରି କଥା ଅଳି କରିବି । ଆସ, ଈଶ୍ୱରଙ୍କୁ ଡାକିବା, ସେ କିପରି ନିର୍ବିଘ୍ନରେ ନଗରକୁ ଶୀଘ୍ର ଫେରି ଆସନ୍ତୁ ।

 

ଦ୍ୱିତୀୟ ଦୃଶ୍ୟ—(ଉପବନ)

 

(ଚନ୍ଦ୍ର କିରଣରେ ଉପବନ ମଧ୍ୟରେ ଊର୍ମିଳା ଓ ଶୋଭନା ବସି ଗଳ୍ପ କରୁଅଛନ୍ତି-।)

 

 

ଶୋଭନା—

ଭଗିନୀ, ମୋର ବାଲ୍ୟଗୁରୁ କହିବାରୁ ଶୁଣିଛି ଯେ, ମନୁଷ୍ୟ ତିନିଗୋଟି କର୍ତ୍ତବ୍ୟ ନେଇ ଜନ୍ମ ହୋଇଥାଏ । ପ୍ରଥମ କର୍ତ୍ତବ୍ୟ ପିତାମାତାଙ୍କ ସେବା, ଦ୍ଵିତୀୟ କର୍ତ୍ତବ୍ୟ ସାହି ପଡ଼ୋଶୀ ଓ ଗ୍ରାମର ଉପକାର, ତୃତୀୟ କର୍ତ୍ତବ୍ୟ ଈଶ୍ୱରଙ୍କ ସେବା ଓ ତାଙ୍କ ପ୍ରତି ଭକ୍ତି । ସ୍ତ୍ରୀମାନେ ତ ଏ ସବୁ କିଛି କରୁ ନାହାନ୍ତି, ପିଲାବେଳେ ପିତା ମାତାଙ୍କର ଗଳଗ୍ରହ ହୋଇ ତାଙ୍କୁ କେତେ ଦୁଃଖ ଦେଲେ, ସାହି ପଡ଼ୋଶୀଙ୍କର କେତେ ଅପକାର କରି ବୟଃପ୍ରାପ୍ତି ମାତ୍ରକେ ସମ୍ପୂର୍ଣ୍ଣ ଅଜ୍ଞାତ ସ୍ଥାନକୁ ଆସି ସମ୍ପୂର୍ଣ୍ଣ ଅପରିଚିତ ଲୋକମାନଙ୍କ ସଙ୍ଗରେ ଚଳିଲେ । ଭଗିନୀ, ସ୍ତ୍ରୀ ଜନ୍ମ ଅକାରଣ, ତୁମ୍ଭେ ଘରେ ରହି ସ୍ୱାମୀ ପାଇଲ, ତୁମ୍ଭେ ପ୍ରକୃତ ଭାଗ୍ୟବତୀ ।

 

 

ଊର୍ମିଳା—

ନା ଭଗିନୀ, ତାହା ନୁହେ । ସେ ତିନି କର୍ତ୍ତବ୍ୟ ସ୍ତ୍ରୀମାନଙ୍କୁ ନିଜ ଘରେ କରିବାକୁ ପଡ଼େ ନାହିଁ, ପିତା ମାତାଙ୍କ ସେବା ବଦଳରେ ଶାଶୁ ଶ୍ୱଶୁରଙ୍କ ସେବା, ସାଇ ପଡ଼ୋଶୀ ଓ ଗ୍ରାମର ଉପକାର ନିଜ ଗ୍ରାମରେ ନ କରି ସ୍ଵାମୀଙ୍କ ଗ୍ରାମରେ କରିବା ଉଚିତ । ସ୍ତ୍ରୀ ପକ୍ଷରେ ସ୍ଵାମୀସେବା, ତାଙ୍କ ପ୍ରତି ଭକ୍ତି ଈଶ୍ୱରସେବା ଓ ଭକ୍ତି ସଙ୍ଗେ ସମାନ । ସ୍ୱାମୀଙ୍କୁ ଈଶ୍ୱର ରୂପରେ ଭାବିବା ହିନ୍ଦୁଧର୍ମର ଶ୍ରେଷ୍ଠତ୍ୱ । ଭଗିନୀ, ପ୍ରେମଫାନ୍ଦରେ ପଡ଼ି ନାହିଁ ବୋଲି ପିତା ମାତା ମନେ ପଡ଼ୁଛନ୍ତି । ଈଶ୍ୱର କରନ୍ତୁ, ଶୀଘ୍ର ତାହା ଅନୁଭବ କର । ଭାବିବ, ପୁତ୍ର କନ୍ୟା ହେବା ପର୍ଯ୍ୟନ୍ତ ଜଗତରେ ତାହା ସୁଖ ।

 

 

ଶୋଭନା—

ମୋ କପାଳରେ ତାହା କାହିଁ ? ତୁମ୍ଭର ସଙ୍ଗ ମୋର ଏକମାତ୍ର ସୁଖ । ଏହା ଭିନ୍ନ ଆଉ କିଛି ଆଶା ରଖି ନାହିଁ ।

 

 

ଊର୍ମିଳା—

ହଉ, ସେଦିନ ଆସୁ ଦେଖିବା, କାହା ସାଙ୍ଗ ସୁଖ ।

 

 

ଶୋଭନା—

ଭଗିନୀ, ଚନ୍ଦ୍ରକିରଣ ପିଲାଦିନେ କେଡ଼େ ପ୍ରୀତିକର ବୋଧ ହେଉଥିଲା । ଏବେ ସେପରି ଭଲ ଲାଗୁ ନାହିଁ ।

 

 

ଊର୍ମିଳା—

ଅଳ୍ପ ଦିନ ଅପେକ୍ଷା କର, ଦେଖିବ ପିଲାଦିନଠାରୁ ଅଧିକ ଭଲ ଲାଗିବ ।

 

 

(ଦାସୀ ଯାଇ ଖବର କଲା)

 

 

ଦାସୀ—

ରାଜା ଆସିଲେଣି ।

 

 

ଊର୍ମିଳା—

ଦାସୀ, ଏହାଙ୍କୁ ସଙ୍ଗରେ ନେଇ ତୁ ମୋ ପଛରେ ଆ । ଭଗିନୀ, ମୁଁ ଆଗରେ ଯାଉଛି, ଆଜି ତୁମ୍ଭ ଅଭିଳାଷ ପୂର୍ଣ୍ଣ କରିବି । ଦାସୀ, କେତେ ସଜଫୁଲ ଫୁଟିଛି, ଗୋଟିଏ ସୁନ୍ଦର ହାର କରି ମୋତେ ନେଇ ଦେବୁ । (ପ୍ରସ୍ଥାନ)

 

 

ଦାସୀ—

ଶୋଭନା, ଟିକିଏ ବସ, ମୁଁ ଫୁଲଗୁଡ଼ିଏ ତୋଳିଆଣେ ।

 

 

(ପ୍ରସ୍ଥାନ)

 

 

(ଶୋଭନା ଗାନ କଲେ)

 

 

ଆଶ୍ରି ପାଦପଦ୍ମକୁ ତରିଲି ହେ

ସୁଖବୀଜକୁ ହୃଦେ ରୋପିଲି ହେ ।

ବିପଦ ବେଳେ ହରି ହରି ହରି ଉଚ୍ଚାରି

ଅଶେଷ ଦୁଃଖରାଶି ମେଣ୍ଟିଲି ହେ ।

ତବ କୃପା-ବାରିକି ସୁଧା କେବେ ସରିକି

ବିନ୍ଦୁଏ ଝରି ଦିଏ ପ୍ରୀତିକି ହେ ।

 

 

(ଦାସୀର ପ୍ରବେଶ)

 

 

ଶୋଭନା—

ଦାସୀ, ରାଜା ଯେଉଁଠାରେ ଥିବେ, ସେଠାକୁ ମୋତେ ନେବୁ ନା ?

 

 

ଦାସୀ—

ନା, ଇମିତି କିଏ ନିଏନା ! ରାଣୀ ନ କହିଲେ କଣ କହୁଛ ଲୋ ମା, ଚାଲ ।

 

 

(ଉଭୟଙ୍କର ପ୍ରସ୍ଥାନ)

 

 

 

(ଅନ୍ତଃପୁରରେ ପ୍ରବେଶ କରି ରାଣୀଙ୍କୁ ନଦେଖି ଦାସୀକୁ ପଠାଇଥିଲେ, ବିଳମ୍ୱ ହେବାରୁ ଭାବୁଅଛନ୍ତି)

 

 

ରାଜା—

ମୁଁ ଏତେ ଦୀର୍ଘକାଳ ନଗରରେ ଅନୁପସ୍ଥିତ ହେବାରୁ ରାଣୀ କଣ ରୁଷି କରି ଆସିଲେ ନାହିଁ । ହଉ ଦାସୀ ଫେରୁ ଦେଖାଯିବ ।

 

 

(ରାଣୀଙ୍କର ପ୍ରବେଶ)

 

 

ରାଜା—

ପ୍ରିୟେ, ମୋତେ କ୍ଷମା କରିବ । ବହୁକାଳ ତୁମ୍ଭଙ୍କୁ ଛାଡ଼ି ରହିଛି । ଦାଉଦଙ୍କର ବଳ କ୍ରମଶଃ କ୍ଷୟ ହେବାରୁ ସେ ଦୁଇଦିନ ଅବସର ଚାହିଁଲେ । ପ୍ରଧାନ ସେନାପତି ତାହା ଗ୍ରାହ୍ୟ କରୁ ନଥିଲେ, ମାତ୍ର ମୋ କଥା ମାନି ତାଙ୍କୁ ଅବସର ଦେବାରୁ ମୁଁ ତୁମ୍ଭଙ୍କୁ ଦେଖିବାକୁ ସମୟ ପାଇଲି । କାଲି ଫେରି ଶିବିରରେ ପହଞ୍ଚିବା ଅବଶ୍ୟକ !

 

ରାଣୀ—

ନାଥ, ମୋର ହୃଦୟ ଆଜି କୁମୁଦିନୀ ଶରତକାଳର ପୂର୍ଣ୍ଣଚନ୍ଦ୍ର ଦେଖିଲା ପରି ଆନନ୍ଦରେ ଉତ୍‍ଫୁଲ୍ଲ ହେଉଛି । ଆଉ ଶ୍ରାବଣର ସ୍ରୋତସ୍ୱିନୀ ପରି ଉଦବେଳିତ ହେଉଛି ।

 

 

ରାଜା—

କାହିଁକି ପ୍ରିୟେ ?

 

 

ରାଣୀ—

ବିପଦସଙ୍କୁଳ ଯୁଦ୍ଧକ୍ଷେତ୍ରରୁ ନିରାପଦରେ ଆସି ପହଞ୍ଚିଛି, ପୁଣି ଏ ଦାସୀ ପ୍ରତି ଏପରି କରୁଣା ଥିବା ଜାଣି ଆଉ ମଧ୍ୟ ତୁମ୍ଭପାଇଁ ଯେଉଁ ଅମୂଲ୍ୟ ରତ୍ନଟି ସାଇତି ରଖିଛି, ତାକୁ ଏତେ ଶୀଘ୍ର ଶ୍ରୀଚରଣରେ ଅର୍ପଣ କରି ପାରିବି ଏହା ମୋର ଆଶା ନଥିଲା, ସେ ଆଶା ପୂର୍ଣ୍ଣ ହୋଇଛି ଭାବି—

 

 

ରାଜା—

(ବିସ୍ମୟରେ) ଅମୂଲ୍ୟ ରତ୍ନ—ତୁମ୍ଭେ ତ ମୋର ଅମୂଲ୍ୟ ରତ୍ନ, ତୁମ୍ଭଠାରୁ ବଳି ଅମୂଲ୍ୟ ରତ୍ନ ସଂସାରରେ ଅଛି, ଏହା ମୁଁ ଦିନେ ମାତ୍ର ଭାବି ନାହିଁ ।

 

 

ରାଣୀ—

ଭାବି ନାହଁ ସତ, ମାତ୍ର ଆଖିରେ ଦେଖିଲେ ଆଉ ଉପଭୋଗ କଲେ ବୁଝିବ, ସେତେବେଳେ ଏ ଦାସୀର କଥା ମନରେ ସ୍ଥାନ ପାଇବ କି ନାହିଁ ସନ୍ଦେହ ।

 

 

ରାଜା—

ଏତେ କପଟତା କାହିଁକି ରାଣୀ ! ପ୍ରକୃତ କଥା କହି ବିସ୍ମୟ ଦୂର କର । ଶୀଘ୍ର କର, ଧୈର୍ଯ୍ୟ ରହୁ ନାହିଁ ।

 

 

ରାଣୀ—

ମନେ ପଡ଼େ କି, ଦିନେ ବନ ମଧ୍ୟରେ ତିନି ଜଣ ଦସ୍ୟୁଙ୍କ କବଳରୁ ରୁଦ୍ରପତି, ତାଙ୍କର ସ୍ତ୍ରୀ ଓ କନ୍ୟା ଶୋଭନାକୁ ରକ୍ଷା କରିଥିଲେ ?

 

 

ରାଜା—

ବେଶ୍ ମନେ ଅଛି ।

 

 

ରାଣୀ—

ଆଉ ସେହିଦିନଠାରୁ ଶୋଭନାର ମନକୁ ଚୋରିକରି ଆଣିଛ, ସେକଥା ଆଉ ମନେ ନାହିଁ ।

 

 

ରାଜା—

ପ୍ରିୟେ, ତୁମ୍ଭ ପାଖରେ ମୁଁ ମିଥ୍ୟା କହେ ନାହିଁ, ସେଦିନ ମୁଁ ତାଙ୍କ ମୁଖକୁ ଥରେ ମାତ୍ର ଚାହିଁ ନାହିଁ ।

 

 

ରାଣୀ—

ତୁମ୍ଭେ ଚାହିଁ ନଥିବ, ମାତ୍ର ସେ ତୁମ୍ଭ ମୁଖକୁ ଚାହିଁ ତୁମ୍ଭର ରୂପ, ଗୁଣ ଓ ବୀରହରେ ମୁଗ୍ଧ ହୋଇ ତାଙ୍କର ଜୀବନ-ସର୍ବସ୍ୱ ତୁମ୍ଭ ପଦରେ ଉତ୍ସର୍ଗ କରିଥିଲେ । ତୁମ୍ଭଙ୍କୁ କିପରି ପାଇବେ, ଏହି ଚିନ୍ତାରେ ଦିନ କାଟୁଥିଲେ । ଯେତେବେଳେ ଶୁଣିଲେ, ତୁମ୍ଭେ ମୋହର ପାଣିଗ୍ରହଣ କଲ, ସେହି ଦିନଠାରୁ ନିରାଶାରେ ହୃଦୟଯନ୍ତ୍ରଣା ସହ୍ୟ କରି ବହୁ କଷ୍ଟରେ କାଳାତିପାତ କରୁଥିଲେ । ଅବଶେଷରେ ଧୈର୍ଯ୍ୟ ଧରି ତାଙ୍କର ଅଳଙ୍କାର ଓ ରତ୍ନରାଜି ମୋତେ ସମର୍ପଣ କରି ମୋ ସାହାଯ୍ୟରେ ତୁମ୍ଭର ଚରଣର ଦାସୀ ହେବାକୁ ମୋର ଆଶ୍ରୟ ନେଇଅଛନ୍ତି । ମୁଁ ତାଙ୍କୁ ଭଗିନୀରୂପରେ ଗ୍ରହଣ କରି ପ୍ରତିଜ୍ଞା କରିଛି, ତାଙ୍କର ଅଭିଳାଷ ପୂର୍ଣ୍ଣ ନ ହେଲେ ଅତ୍ମହତ୍ୟା କରିବି । ଓଃ, କି ସତୀତ୍ୱ । ତାଙ୍କର ଅଭିଳାଷ ପୂର୍ଣ୍ଣ ନ ହେଲେ ଆମ୍ଭର ମଙ୍ଗଳ ହେବ ନାହିଁ । ମୁଁ ଚରଣରେ ଏତିକି ଭିକ୍ଷା ମାଗୁଛି, ଯଦି ମୋଠାରେ ସ୍ନେହ ଥାଏ, ମୋର କଥାର ମୂଲ୍ୟ ଦିଅନ୍ତି, ତେବେ ତାଙ୍କୁ ବର୍ତ୍ତମାନ ସ୍ତ୍ରୀରୂପରେ ଗ୍ରହଣ କରନ୍ତୁ । ଅନ୍ୟ କଥା ବା କାଳକ୍ଷେପଣରେ ଆବଶ୍ୟକ ନାହିଁ । ସେ ପିତାଙ୍କର ଅନୁମତି ନେଇ ଆସିଛନ୍ତି-। ଏହି ଶୁଭ ମୁହୂର୍ତ୍ତରେ ତାଙ୍କ ଅଭିଳାଷ ପୂର୍ଣ୍ଣ କରନ୍ତୁ । ଏଥିରେ ମୁଁ ଯେପରି ଆନନ୍ଦ ଅନୁଭବ କରିବି, ସଂସାର ମଧ୍ୟରେ ଆଉ କୌଣସି ବିଷୟରେ ମୋର ସେପରି ଆନନ୍ଦ ଅନୁଭୂତ ହେବ ନାହିଁ ।

 

 

ରାଜା—

କଣ କହୁଛ, ତୁମ୍ଭେ ଥାଉଁ ଥାଉଁ ମୁଁ ଅନ୍ୟ ସ୍ତ୍ରୀ ଗ୍ରହଣ କରିବି ? ଏହା ମୋ ପକ୍ଷରେ ବଜ୍ରସମ ବୋଧ ହେଉଛି ।

 

 

ରାଣୀ—

କାହିଁକି ତୁମ୍ଭେ କାମବଶତଃ କିମ୍ବା ମୋ ପ୍ରତି ଅସନ୍ତୁଷ୍ଟ ହୋଇ ଅନ୍ୟ ସ୍ତ୍ରୀ ତ ଗ୍ରହଣ କରୁ ନାହଁ । ଯେ କନ୍ୟା ନିଜ ଇଚ୍ଛାରେ ତାହାର ନାରୀସର୍ବସ୍ଵ ତୁମ୍ଭଠାରେ ସମର୍ପଣ କଲା, ତାଙ୍କୁ ଗ୍ରହଣ ନ କଲେ ଧର୍ମତଃ ଦୋଷ ହେବ ।

 

 

ରାଜା—

ଧନ୍ୟ ତୁମ୍ଭେ ! ତୁମ୍ଭର ଧୈର୍ଯ୍ୟ, ତୁମ୍ଭର ଉଦାରତା, ଦୟା ଓ ସତୀତ୍ୱକୁ ମୁଁ ଶତ ଧନ୍ୟବାଦ ଦେଉଅଛି । ସେ କେଉଁଠାରେ ଅଛନ୍ତି ?

 

 

ରାଣୀ—

ଦୁହେଁ ଉପବନରେ ଗଳ୍ପ କରୁଥିଲୁ, ତୁମ୍ଭ ଆସିବା ସମ୍ବାଦ ଶୁଣି ମୁଁ ଆଗରେ ଆସିଲି, ସେ ଓ ଦାସୀ ପଛରେ ଆସୁଛନ୍ତି । ତାଙ୍କୁ ନେଇଆସୁଛି । (ପ୍ରସ୍ଥାନ)

 

 

ରାଜା—

କି ଆଶ୍ଚର୍ଯ୍ୟ କଥା—ଊର୍ମିଳା ପରି ପ୍ରିୟା ଓ ପ୍ରିୟବାଦିନୀ ସାଧ୍ୱୀ ଓ ପରମାସୁନ୍ଦରୀ ସ୍ତ୍ରୀ ଥାଉଁ ଥାଉଁ ମୁଁ ଅନ୍ୟ ସ୍ତ୍ରୀ ଗ୍ରହଣ କରିବି ? ଈଶ୍ୱର ! ଏ କି ରହସ୍ୟମୟ ବିପଦ ! ମୁଁ କ୍ଷତ୍ରିୟ । ରୁଦ୍ରପତି କନ୍ୟା ଯେତେବେଳେ ତାହାର ଜୀବନସର୍ବସ୍ୱ ମୋଠାରେ ସମର୍ପଣ କରି ମୋତେ ପାଇବା ଆଶାରେ ମୋର ଅର୍ଦ୍ଧାଙ୍ଗିନୀର ଆଶ୍ରୟ ନେଇଅଛି, ତାକୁ ନିରାଶ କରିବା ମହାପାପ । ପୁଣି ଊର୍ମିଳାର ଦୃଢ଼ପ୍ରତିଜ୍ଞା ଲଙ୍ଘନ ମହାବିପଦ । ହେଉ ଭଗବାନ, ଏହା ତୁମ୍ଭର ଇଚ୍ଛା ପରି ମୁଁ ମନେ କରି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛି । ଫଳାଫଳ ତୁମ୍ଭ ଉପରେ ନିର୍ଭର କଲି, କାରଣ ପୁରୁଷର ଧୈର୍ଯ୍ୟ ଏତେ ଅଧିକ ନୁହେ ଯେ, ବିଭିନ୍ନ ରୁଚିର ଦୁଇଜଣ ଲୋକଙ୍କ ମନ ସର୍ବଦା ତୃପ୍ତ ରଖି ପାରିବ ଏବଂ ଉଭୟଙ୍କୁ ସର୍ବଦା ସମଦୃଷ୍ଟିରେ ଦେଖି ପାରିବ ।

 

 

ଭଗିନୀ—

ଆସ ତୁମ୍ଭର ଅଭିଳାଷ ପୂର୍ଣ୍ଣ ହେଲା ।

 

 

 

(ଶୋଭନା—ଲଜ୍ଜାରେ ମୁଖ ନତ କରି ବସି ରହିଲେ)

 

 

 

ଦାସୀ, ଫୁଲ ଗୁନ୍ଥିଛୁ ?

 

 

ଦାସୀ—

ଆଜ୍ଞା, ଗୁନ୍ଥିଛି ।

 

 

ରାଣୀ—

(ଟିକଏ ଦୂରକୁ ଚାଲିଯାଇ ଦାସୀକୁ ପାଖକୁ ଡାକି ତା କାନରେ କଣ କହିଦେଇ ତାକୁ ଅନ୍ତଃପୁରକୁ ପଠାଇଦେଇ) ଭଗିନୀ, ବିଳମ୍ବ କାହିଁକି ? ସେ ପରା ଶିବିରରୁ ଯୁଦ୍ଧ କ୍ଳାନ୍ତିରେ ଫେରିଛନ୍ତି, ତାଙ୍କୁ ବିଶ୍ରାମ ଦେବା ଆମ୍ଭର କର୍ତ୍ତବ୍ୟ । ପ୍ରେମ ଆଗରେ ଲଜ୍ଜାର ସୀମା କେତେ ? ଏହାକୁ କେତେକ୍ଷଣ ରଖି ପାରିବ-? ଆସ । (ହସ୍ତ ଧରି ଉଠାଇ)

 

 

 

(ଉଭୟେ ଅମରସିଂହ ସମ୍ମୁଖକୁ ଗମନ କଲେ । ଅମରପ୍ରସାଦ ଥିବା କକ୍ଷ ଦେହଳୀ ନିକଟରେ ଉପସ୍ଥିତ ହେବାମାତ୍ରକେ ଶୋଭନାର ପାଦ ଲଜ୍ଜାରେ ନ ଚଳିବାରୁ ଊର୍ମିଳା ଶୋଭନାର ହସ୍ତ ଧରି)

 

 

ଊର୍ମିଳା—

ଆସ ଭଗିନୀ, ବର୍ତ୍ତମାନ ଲଜ୍ଜାର ଶେଷ ବିଭୀଷିକା—ଧୈର୍ଯ୍ୟଧରି ଆସ, ଏ ଶୁଭ ମୁହୂର୍ତ୍ତରେ ଈଶ୍ୱରଙ୍କୁ ଧ୍ୟାନ କର । ଆସ ପୂର୍ବରୁ କହିଛି, ବିଳମ୍ବ କର ନାହିଁ-। ଦାସୀ, ପୁଷ୍ପମାଳା ଦିଅ । (ଦାସୀ ହସ୍ତରୁ ପୁଷ୍ପମାଳା ନେଇ ଶୋଭନା ହସ୍ତରେ ପ୍ରଦାନ)

 

 

ରାଜା—

ଶୋଭନା, ତୁମ୍ଭେ ଏପରି ପାଗଳିନୀ ହେଲ କାହିଁକି ? ଦେଖୁଛ ମୋର ସ୍ତ୍ରୀ ଅଛି, ଆଉ ତୁମ୍ଭେ ଅତୁଳ ବିଭବ ମଧ୍ୟରେ ଅବସ୍ଥିତ । ତୁମ୍ଭେ ଇଚ୍ଛାନୁସାରେ ବର ବରଣ କରି ସୁଖରେ କାଳ କାଟିଥାନ୍ତ ।

 

 

ଶୋଭନା—

ପ୍ରଭୁ, ତୁମ୍ଭେ ଊର୍ମିଳାର ପାଣିଗ୍ରହଣ ପୂର୍ବରୁ ଯେତେବେଳେ ମୋର ସତୀତ୍ୱ ଦସ୍ୟୁକବଳରୁ ରକ୍ଷା କଲ, ସେହି ଦିନ ତାହା ମୁଁ ତୁମ୍ଭଙ୍କୁ ଦାନ କରିଛି । ଯାହା ଜଣକୁ ଦାନ କରିଛି, ତାହା ଆଉ ଜଣକୁ କିପରି ଦାନ କରିବି । ମୁଁ ଆପଣଙ୍କର ଚରଣଦାସୀ ହୋଇ ରହିବାକୁ ଜୀବନରେ ପରମ ସୁଖ ମନେ କରେ ।

 

 

ଊର୍ମିଳା—

ଶୋଭନାକୁ ଟିକଏ ଆଗକୁ ଠେଲିଦେଇ ଅନ୍ତର ହେଲେ ।

 

 

 

(ଶୋଭନା ପୁଷ୍ପମାଳା ଅମରପ୍ରସାଦଙ୍କ କଣ୍ଠରେ ଲମ୍ବାଇ ଦେଇ ଅନ୍ତର ହେବାବେଳେ)

 

 

ରାଜା—

ପ୍ରିୟେ, ତୁମ୍ଭର ଧୈର୍ଯ୍ୟ ଓ ସତୀତ୍ୱରେ ମୁଁ ମୁଗ୍ଧ ହୋଇଅଛି । ଆସ ତୁମ୍ଭଙ୍କୁ କୋଳ କରି ତୁମ୍ଭ ମନର ଆବେଗ ଦୂର କରେଁ !

 

 

 

ଯୁଗଳ ବଚନ, ଯୁଗଳ ନୟନ

 

ଯୁଗଳ ମିଳନ ରାଜେ ।

 

ସୁବର୍ଣ୍ଣେ ହୀରକ ଜଳଦେ ଚପଳା

 

ଜଡ଼ିତ ଏ ଶୋଭା ସାଜେ ।

 

କି ମଧୁର ତାନେ ପୟର ନୂପୁର

 

ରୁଣୁ ରୁଣୁ ରୁଣୁ ବାଜେ,

 

ମଦନ କଦନ ବିନାଶ କାରଣ

 

ଧ୍ୱନି କରେ ଅବା ବ୍ୟାଜେ ।

Image